Unknown

 

 

 

 

 

 

 

 

 

ବଜ୍ର-ପ୍ରହାର

ଚିନ୍ତାମଣି ମହାନ୍ତି

 

ହାୟ, ଏ କି ଦୃଶ୍ୟ ଦେଖାଇଲ ହରି ! ହରି ! ଏହି ଦୃଶ୍ୟ ଦେଖାଇବ ବୋଲି ପରା ଏତେଦିନଯାଏଁ ବଞ୍ଚାଇ ରଖିଥିଲୁ ? ଜରାର ତୀବ୍ର ଶୋଷଣରେ ଅସ୍ଥିପଞ୍ଜର ଅକର୍ମଣ୍ୟ । ଏତେବେଳେ ନିଜର ଦେହ ନିଜକୁ ଦୁର୍ବହ ବୋଧ ହେଉଅଛି । ତାହା ଉପରେ ପୁଣି ତୁମ୍ଭେ ଗୁରୁତର ଶୋକ-ଭାର ଆଣି ନିର୍ଦ୍ଦୟଭାବରେ ଲଦି-ଦେଇ ! ଶ୍ମଶାନ-ଯତ୍ରାପଥରେ ବଜ୍ର ପ୍ରହାର ସହିପାରିବି କି ପ୍ରଭୁ ? ଅନ୍ଧ ହାତରୁ ତାହାର ପ୍ରାଣର ଦୋସର ଯଷ୍ଟିଖଣ୍ଡି କାଢିନେଇ କି ପୌରୁଷ ଅର୍ଜିଲ, ତାହା ତୁମ୍ଭେ ଜାଣ । ଯେ ମୋତେ ହସାଉଥିଲା, ଖେଳାଉଥିଲା, ଖୁଆଉଥିଲା, ଚଳାଉଥିଲା–ତାହା ଅଭାବରେ ପ୍ରାଣ କାହା ଉପରେ ନିର୍ଭର କରି ରହିବ ? ତୁମ କଥା-ତୁମ କାର୍ଯ୍ୟ ତୁମକୁ ସୁନ୍ଦର ଏକା-! ତୁମେ କହିଛ ପରା-ମୃତ୍ୟୁ କିଛି ନୁହେଁ, ତାହା ଜୀର୍ଣ୍ଣବେଶ, ପରିବର୍ତ୍ତନମାତ୍ର; କିନ୍ତୁ ସେ ତ ଶିଶୁ ତାହାର ଶରୀର ତ ଲଳିତ ଲବଣ୍ୟରେ ଢଳଢଳ ହେଉଥିଲା, ପୂର୍ଣ୍ଣ ନ ହେଉଣୁ ତାହାର ବେଶ ବଦଳାଇବା ଦରକାର ହେଲା କାହିଁକି ? ସେ ତ ଅଲେଳ ଶିଶୁ-ବାବା ଛଡ଼ା ଅନ୍ୟ କିଛି ଜାଣେ ନାହିଁ-। ତାକୁ ତୁମ୍ଭେ ନେଇଗଲ, ସେଠାରେ ତାକୁ ମୋ ପରି ପ୍ରତିପାଳନ କରିବ କିଏ ? ସେ ତ ଆଉ କାହା ପାଳନରେ ସନ୍ତୁଷ୍ଟ ହେବ ନାହିଁ ତାହା ଲାଗି ଷୋଳ ଘଡ଼ିକି ଷୋଳ ପଦାର୍ଥ ମନ ଜାଣି ଯୋଗାଇ ରଖିବ କିଏ ? ମୋତେ ଯାହା ଦେଇଥିଲ, ତାହା ସବୁ ତ ଗୋଟି ଗୋଟି କରି ନେଇସାରିଲାଣି । ବାକୀ ଥିଲା କଣ୍ଡେଇଟିଏ, ମୁଁ ତାହାରି ସାଙ୍ଗରେ ଲୀଳାଖେଳାରେ ମାତି ଟିକିଏ ଚିତ୍ତ ବିନୋଦନ କରୁଥିଲି । ନିଷ୍କୁର ହରି ! ଏତିକି ତୁମ୍ଭେ ସହିପାରିଲ ନାହିଁ ? ଗୋଟିକୁ ଲକ୍ଷ୍ୟ କରି ଦୁଇଟି ପ୍ରାଣୀ ହତ୍ୟା କଲ ? ଦୁଃଖୀକୁ ଦୁଃଖ ଦେବା ବୋଧହୁଏ ତୁମ୍ଭର ଗୋଟିଏ ନିଷ୍ଠୁର ଆମୋଦ ଅଥବା ତାହାପ୍ରତି ମୋର ସ୍ନେହ ବୃଦ୍ଧି ଦେଖି ଇର୍ଷାପରାୟଣ ହେଲ ପ୍ରଭୁ ! ଭାବିଥିବ ପରା, ଏ ନିଜେ ଗୋଟିଏ ଅସ୍ଥାୟୀ ପଦାର୍ଥ ହୋଇ ଆଉ ଗୋଟିଏ ଅସ୍ଥାୟୀ ପଦାର୍ଥକୁ ଏତେ ସ୍ନେହ କାହିଁକି କରୁଛି ? ସେଥିରୁ କଅଣ ପାଉଛି ? ତାହା ନ କରି ମୋତେ ଯେତେ ତେତିକି ସ୍ନେହ ଆଦର କରନ୍ତା, ତେବେ ମୁଁ ତାକୁ ତ ସବୁ ଦିଅନ୍ତି । ଏହି ଛତରେ ପରା ମୋର ସ୍ନେହ-ପିତୁଳୀଟିକି ଛଡ଼ାଇ ନେଇଗଲି । ଏଣିକି ସେହି ସ୍ନେହଟା ତୁମ୍ଭ ଉପରେ ପଡିବ ବୋଲି ଭାବିଛି ପରା ? ମାତ୍ର ତାହା ଯେ ହୋଇପାରିବାର ଉପାୟ ନାହିଁ ହରି ! ସ୍ନେହ କେବେ ଦୃଶ୍ୟ ଛାଡ଼ି ଅଦୃଶ୍ୟ ଆଡ଼କୁ ଧାଏ ନାହିଁ । ତୁମ୍ଭେ ଅନନ୍ତ, ପୁଣି ଅଦୃଶ୍ୟ । ମୋର କ୍ଷୁଦ୍ର ସ୍ନେହ-ବିନ୍ଦୁଟି ତୁମ୍ଭକୁ କେଉଁଠି ଯାଇ ଭେଟିବ । ସେଥିପାଇଁ ମୁଁ ପ୍ରକାରାନ୍ତରରେ ତୁମ୍ଭଙ୍କୁହିଁ ପୂଜା କରୁଥିଲି, କ୍ଷୁଦ୍ର ଶିଶୁର ଶରୀଟାକୁ ତ ମୁଁ ସ୍ନେହ କରୁ ନ ଥିଲି । ତାକୁ ସ୍ନେହ କରୁଥିଲେ ମଲା ପରେ ସେହି ଦେହଟାକୁ ଅନାସ୍ଥା ଭାବରେ ନେଇ ଫିଙ୍ଗିଦେଇ ଆସନ୍ତି କାହିଁକି ? ମୁଁ ତାହାର ପ୍ରାଣକୁ ସ୍ନେହପୂଜା କରୁଥିଲି । ସମସ୍ତଙ୍କର ପ୍ରାଣ ପରା ତୁମ୍ଭେ ! ତେବେ ସେ ସ୍ନେହ, ଆଦର, ସେବା, ଯତ୍ନ ତୁମ୍ଭଙ୍କୁ ନ ହୋଇ ଆଉ କାହାକୁଁ ହୁଏ ? ମୁଁ ତୁମ୍ଭରି ସୃଷ୍ଟ କ୍ଷୁଦ୍ରଜୀବ ହୋଇ ତୁମ୍ଭରି ଦତ୍ତ ବିବେକ ବଳରେ ଏହା ବୁଝୁଅଛି । ଆଉ ତୁମ୍ଭେ ଅନନ୍ତ ସ୍ରଷ୍ଟା, ଅନନ୍ତ ଶକ୍ତିମାନ୍‌ହୋଇ ଏହା କଅଣ ବୁଝୁ ନାହିଁ ? ଏ କଥା କିଏ ବା ବିଶ୍ୱାସ କରିବ ? ସେଥିପାଇଁ କହିଲି, ଏହା ଗୋଟାଏ ଛଳନା ।

କେହି କେହି କହନ୍ତି,‘‘ ଆତ୍ମୀୟ-ନିଧନ ଶୋକର କାରଣ ନୁହେଁ । ତାହା କାମ, କ୍ରୋଧ, ଲୋଭାଦି ପରି ମାନବର ଗୋଟିଏ ସହଜ ବୃତ୍ତି; ଜନ୍ମ ସମୟରୁ ଅନ୍ୟାନ୍ୟ ବୃତ୍ତିଗୁଡ଼ିକ ପରି ଶୋକ ସଙ୍ଗରେ ଆସିଅଛି । ସମୟ ପାଇଲେ ସେ ଫୁଟିଉଠି ଆତ୍ମପ୍ରକାଶ କରେ । ଶୋକ ବାହାରକୁ ଆସେ ନାହିଁ, ତାହା ମନ ଭିତରେ ଥାଏ-ଏକଥା ସତ୍ୟ ହୋଇପାରେ । ଶୋକ ମନ ଭିତରେ ଥାଇପାରେ; ମାତ୍ର ସ୍ଥୂଳ ବୃଦ୍ଧିରେ ଏତିକି ଜଣାଯାଏ-ବାହାରରୁ ଆଘାତ ଆସି ଶୋକକୁ ସ୍ପର୍ଶ କଲେ ସେ ଚେଇଁ ଉଠେ । ଆତ୍ମୀୟ-ବିଚ୍ଛେଦ ବା ପ୍ରିୟ-ନିଧନରେ ଶୋକ ଉପଯୁକ୍ତ ସମୟ ପାଏ । ଯେତେବେଳେ ଏହି ବିଚ୍ଛେଦ ବା ମୃତ୍ୟୁରେ ଶୋକ ଫୁଟିଉଠେ, ତେତେବେଳେ ଏହି ବିରହ ବା ମୃତ୍ୟୁରେ ଶୋକର କାରଣବୋଲି କହିରେ ଭୁଲ ହେବ କାହିଁକି ? ତୁମ୍ଭେ ଶୋକ ଦିଅ ନାହିଁ, ତାହା ପ୍ରାଣୀଙ୍କ ମନରେ ଥାଏ, ଏହା ଖାଲି ମନୁଷ୍ୟକୁ ବହଲାଇବା ପାଇଁ ଛାତି ଛଡ଼ା କଥା ସିନା । ତୁମ୍ଭେ ସବୁ ଦିଅ ପ୍ରଭୁ ! ପୁଣି ସମୟରେ ସବୁ ହରଣ କର-ଏହା ମୋର ଯେପରି ବିଶ୍ୱାସ ହେଉପଛେ ମୋତେ ଯଥେଷ୍ଟ ଆଶ୍ୱାସନା ଦିଏ । ପ୍ରଭୁ, ତୁମ୍ଭେ ମଙ୍ଗଳମୟ, ତୁମ୍ଭ କାର୍ଯ୍ୟରେ ମଙ୍ଗଳ ଛଡ଼ା ଆଉ କିଛି ନାହିଁ, ମୋତେ ଏ ଅଚଳ ଅବସ୍ଥାରେ ଶ୍ମଶାନ-ପଥ ମଧ୍ୟରେ ଘାଣ୍ଟି ଚକଟି କି ଅମୃତ ବାହାର କରିବ, ତାହା ତୁମ୍ଭେ ଜାଣ ପ୍ରଭୁ ! ତୁମ୍ଭରି ଦତ୍ତ ଜ୍ଞାନ ବୃଦ୍ଧିରେ ମନୁଷ୍ୟ ତାହା ବୁଝିବାକୁ ଅକ୍ଷମ । ତୁମ୍ଭ ଅଦ୍ଭୁତ ରହସ୍ୟ ତୁମ୍ଭ ଛଡ଼ା ଆଉ କାହାରି ଭେଦ କରିବାର ବାଟ ନାହିଁ ମାୟାମୟ !

ହରି ହେ ! ଜଗତରେ ମୁଁ ବଡ଼ ଦୁଃଖୀ-ବଡ ନିଃସଙ୍ଗ, ଏହା ତୁମ୍ଭେ ଜାଣ । କର ଯୋଡ଼ି କୋଟି ବାର ପ୍ରାର୍ଥନା କରୁଛି, ମୋର ଯେଉଁ ଅମୂଲ୍ୟ ନିଧିଟି ଛଡ଼ାଇ ନେଇଛ, ଦୟାକରି ତାକୁ ଫେରାଇଦିଅ । ମୋର ଯେ ତାହା ବଡ଼ ଲୋଡ଼ା, ପ୍ରଭୁ ! ଏପରିକି ନ ହେଲେ ନ ଚଳେ । ଜୀବନଟା ଶୂନ୍ୟରେ ଆଉ କାହା ଉପରେ ନିର୍ଭର କରିବି ? ଯଦି ମୋ, ଦୁଭାର୍ଗ୍ୟକୁ ତୁମ୍ଭ ରାଜ୍ୟରେ ଫେରାଇଦେବାର ବିଧି ନ ଥାଏ କିମ୍ଭା ସେଥିରେ ତୁମ୍ଭର ବିଧିବ୍ୟବସ୍ଥା ରଦ ହୋଇଯିବାର ଅଶଙ୍କା ଥାଏ ଅଥବା ଏ ହତଭାଗ୍ୟକୁ ଶେଷଜୀବନରେ ଟିକିଏ ଶାନ୍ତି ପ୍ରଦାନ କଲେ, ଯେବେ ତୁମ୍ଭର ଏତେ ବଡ଼ ବିରାଟ ସୃଷ୍ଟି ଭାଙ୍ଗିଯିବାର ବିଶ୍ୱାସ ଥାଏ, ତେବେ ମୋର ଏତିକି ମାଗୁଣି ଯେ, ମୋ ଯିବାଯାଏ ମୋ ରତ୍ନଟିକୁ ଶ୍ରାଚରଣ ତଳେ ଟିକିଏ ସ୍ଥାନ ଦେଇ ନିରାପଦରେ ରକ୍ଷାକର ।

ସେ ବଡ଼ ଅଭିମାନିନୀ। ତାକୁ ପ୍ରବୋଧ କରି ବାର ସାମଗ୍ରୀ ତୁମ୍ଭ ପାଖରେ ଯଥେଷ୍ଟ ଅଛି; ମାତ୍ର ମାନବ ଦୁର୍ବଳସ୍ୱଭାବ ହେତୁ ତାର ମନ ଥୟ ଧରେ ନାହିଁ ।

ତୁମ୍ଭେ ବିଶ୍ୱବ୍ରହ୍ମାଣ୍ତ ସମସ୍ତଙ୍କର ପିତା, ତୁମ୍ଭର ଅନନ୍ତ କୋଟି ସନ୍ତାନଙ୍କୁ ଯେତିକି ନିଘା କରିବ, ଗୋଟିଏ କ୍ଷୁଦ୍ର ଶିଶୁକୁ ତାହାଠାରୁ ଅଧିକ ନିଘା କାହିଁକି କରିବ ? ମାତ୍ର ପ୍ରଭୁ, ମୋର ବିନୀତ ପ୍ରାର୍ଥନା ଯେ, ସେଉଟି ଦୟାର ପାତ୍ର, କଥା ବୁଝିପାରେ ନାହିଁ, କହିପାରେ ନାହିଁ; ତାକୁ ଅତିରିକ୍ତ ନିଘା କରିବ । ମା ମୋର ଅତିରିକ୍ତ କଷ୍ଟ ଭୋଗ କରିଛି । ତୁମ୍ଭେ ଅନ୍ତର୍ଯ୍ୟାମୀ, ତାହା ମନ ଜାଣି ତାକୁ ସୁଖଶାନ୍ତି ପ୍ରଦାନ କର । ତୁମ୍ଭର ସଞ୍ଚିତ ପଦାର୍ଥ ତୁମ୍ଭେ ନେଇଗଲ, ସେଥିରେ ମୋର କଥା କହିବାର ଅଧିକାର ନାହିଁ; ମାତ୍ର ମୁଁ ଯେ ଏତେ କାଳ ତୁମ୍ଭ ପଦାର୍ଥକୁ ସାଇତି ରଖିଲି, ତାହାର ପୁରସ୍କାର କଣ ଶେଷକୁ ଶୋକଭୋଗ ? ତୁମ୍ଭ ରାଜ୍ୟରେ କି ଏହିପରି ବୁଝାମଣା ପ୍ରଭୁ ! ତୁମ୍ଭ ପଦାର୍ଥ ତୁମ୍ଭେ ସ୍ୱେଚ୍ଛାକ୍ରମେ ପାଇଲ; ମାତ୍ର ମୋ ଭାଗ୍ୟରେ ବେଠି ଏକା ସାର ହେଲା ।

ମା, ଉମାରଣୀ-ମୋର ପ୍ରାଣର ଉମା, ତୁ କେଉଁଠି ଅଛୁ ମା ? ତୁକେତେ ଦୁରରେ ଅଛୁ-? ତୋର ଦୁର୍ଭାଗ୍ୟ, ବୃଦ୍ଧ, ଅକ୍ଷମ, ତାପର କ୍ଷୀଣ ଡାକ କି ସେଠାକୁ ଶୁଭୁ ନାହିଁ ମା ? ତୁ ଯେଉଁଠି ଥା ପଛକେ ସୁଖରେ ଅଛୁ ତ ମା ? ମୋର ତେତିକି ଲୋଡ଼ା । ତୋର ସୁଖରେ ମୋର ସୁଖ-ଆନନ୍ଦରେ ଆନନ୍ଦ । ଛାଇ ପରି ପାଖରେ ଲାଗିଥିଲୁ, ଏବେ ମୋତେ ଛାଡ଼ି କିମିତି ରହିଛୁ ମା-? ତୋର ରୁଗ୍‌ଣ ବାପ କଥା କି ମନରେ ପଡ଼ୁ ନାହିଁ ଉମା ? ନା, ତୁ ଯେ ଦେଶରେ ଅଛୁ, ସେ ଦେଶକୁ ଗଲେ ଲୋକେ ଏଡେ ନିଷ୍ଠୁର ହୋଇଯାନ୍ତି ? ତୋ ପାଇଁ ତିନି ଦିନ ତିନି ରାତି କାଲ ଠାକୁରଙ୍କ ପାଖରେ ମୁଣ୍ତ କୋଡିହୋଇ କେତେ କାତର ଭିକ୍ଷା କରିଛି ! କାହିଁ କେହି ତି ଆଡନେତ୍ରରେ ଟିକିଏ ଚାହିଁଲେ ନାହିଁ ! ସତେ କି ଦେବ-ହୃଦୟ ଏଡ଼େ ନିଷ୍ଠୁର ମା ? ତୁ ବର୍ତ୍ତମାନ ତାଙ୍କ ମେଳରେ ଅଛୁ, ଅବଶ୍ୟ ଅନୁଭବ କରୁଥିବୁ । କେଜାଣି ବା ମୁଁ ଦୁଃଖ ଜଣାଇବା ପରି ଜଣାଇପାରି ନାହିଁ । କି ଭାଷାରେ କିପରି ଭାବରେ ଜଣାଇବାକୁ ହୁଏ, ତାହା ମୋତେ କିଏ କହିଦେବ ? ତୁହି ସିନା ମୋର ଶିକ୍ଷାଦାତ୍ରୀ ଥିଲୁ । କେତେ କଥା ତୁ ଇଙ୍ଗିତରେ ମୋତେ ଶିଖାଇଛୁ, କାହିଁ ତାହା ତ ଶିଖାଇ ନାହୁଁ । ନାନା ବିଷୟରେ ପ୍ରଶ୍ନ ଛଳରେ ତୁ ମୋତେ ଯେଉଁ ଅମୂଲ୍ୟ ଶିକ୍ଷା ଦେଇଛୁ, ତାହା ମୁଁ ପାଶୋରିବି ନାହିଁ । ସେହି ଶିକ୍ଷା ଫଳରେ ଦୁଇଖଣ୍ତି ପୁସ୍ତକ ଲେଖି ରଖିଛି ତାହା ତୋର ଗୌରବମୟ ଆଉ ପୂଣ୍ୟସ୍ମୃତି ହୋଇ ରହିଲା ।

ମାଲୋ, ମୁଁ ଜୀଇଁ ଥାଉଁ ଥାଉଁ ତୋର ମରଣ ଦେଖିଲି, କାହିଁ ମୋ ହୁଦୟ ତ ଖଣ୍ତ ଖଣ୍ତ ହୋଇ ଫାଟିଗଲା ନାହିଁ! ମନୁଷ୍ୟ ଶରୀର ପଥରରେ ତିଆାରି ମା । ସେ ସବୁ ଆଘାତ ସହିପାରେ । ତୋତେ ଖଟ ରେଜେଇରେ ନିଦ ହୁଏ ନାହିଁ, ତୁ ଧୂଳିରେ କିମିତି ଶୋଇଲୁ ମା ! ଏ ଦୃଶ୍ୟ ଦେଖି ମୋର ପ୍ରାଣ ଯା ବାହାରି ନ ଗଲା ? ମୁଁ ଘରେ ରହିଲି, ତୁ କେଉଁ ଅପନ୍ତରାରେ ପଡ଼ିରହିଲୁ ! ଧିକ୍‌, ଶତ ଧିକ୍‌ ମନୁଷ୍ୟ-ହୃଦୟକୁ ।

ମା, ତୋର କଣ ଊଣା କଲି ଯେ, ତୁ ଅଭିମାନ କରି ମୋତେ ଛାଡ଼ି ଚାଲିଗଲୁ ? ତୋର ସୁନ୍ଦର ଦେବ-ଶିଶୁ ମୁହଁ ମୁଁ ଆଉ ଥରେ ଦେଖିପାରିଲି ନାହିଁ । ଏହି ଅନୁତାପ କଲିଜାକୁ ଫଟାଇଦେଉଛି ମାଁ । ଜନ୍ମେ ଜନ୍ମେ ତୁ ମୋର ଝିଅ କିମ୍ୱା ମା ରୂପରେ ଆନନ୍ଦ ଦାନ କର; ମାତ୍ର ଆଉ ଏପରି ତଣ୍ଟିକଟା ରାତି ଧରିବୁ ନାହିଁ ତ ମା ! ତୋତେ କେତେବେଳେ କଅଣ କହିଥିବି, ତୋର ଅଧମ ବାପାର ସେ ଦୋଷ ଧରିବୁ ନାହିଁ ।

ଆଉ ଗୋଟିଏ କାମ କରିବୁ ମା, ତୁ ଏବେ ଅନନ୍ତ ଅନାବିଳ ପୂଣ୍ୟ ଧାମରେ ଅଛୁ ଆଉ ମୁଁ ମର୍ତ୍ତ୍ୟର ପାପ-ପଙ୍କରେ ଘାଣ୍ଟି ହେଉଛି । ମୁଁ ପାପୀ, ଭଗବାନ ମୋର ଡ଼ାକ ଶୁଣିବେ ନାହିଁ । ତୁ ପୂଣ୍ୟବତୀ, ମର୍ତ୍ତ୍ୟଭୂମି କିପରି ଜାଗା ତାକୁ ଦେଖି-ଯାଇଛୁ । ଏଠାରେ ରହିବାକୁ ମନ ବଳୁ ନାହିଁ ମା-। କିନ୍ତୁ ଉପାୟ କଣ ? ଠାକୁରେ ତ ମୋ କଥା ଶୁଣିବେ ନାହିଁ, ତୁ ତାଙ୍କର ସ୍ନେହର ପାତ୍ର, ତୋ କଥା ସେ ଏଡ଼ିପାରିବେ ନାହିଁ । ତୁ ତୋର ଏ ଅଧମ ବାପ ସକାଶେ କହିଲେ ସେ ଅବଶ୍ୟ ଶୁଣିବେ-। ଭଗବାନଙ୍କୁ କହି ତାଙ୍କରି ପାଦ ତଳେ ତୋହରି ପାଖରେ ମୋ ଲାଗି ଟିକିଏ ଜାଗା କରି ରଖ, ଆଉ ମୋତେ ଶୀଘ୍ର ନେବାର ଉପାୟ କର । ମୁଁ ଯିବାକୁ ଉଚ୍ଚାଟ । ତୋତେ ଛାଡ଼ି ମୁଁ ଏଠାରେ ରହିପାରିବି ନାହିଁ । ମା ମୋର, ତୋର ବୁଢା ବାପ ଲାଗି ଏତକ କରିବୁ । ମୁଁ ଗଲେ ଦୁହେଁ ଆନନ୍ଦ-ଧାମରେ ଅଖଣ୍ତ ଆନନ୍ଦରେ ରହିବା । ତୋ ପ୍ରଖର ବୁଦ୍ଧିବୃତ୍ତି ଦେଖି ‘‘ତୁ କାହିଁ କି ପୁଅ ହେଲୁ ନାହିଁ’’ ବୋଲି ସମସ୍ତେ କହିବାରୁ ତୁ ସେହି ଅଭିମାନରେ ପୁଅ ହୋଇ ଆସିବା ପାଇ ଚାଲିଗଲୁ କି ମା ? ତୋର ସେ ଶୁଭଇଚ୍ଛା ପୂର୍ଣ୍ଣ ହେଉ । କିନ୍ତୁ ମା, ତୁ ଫେରି ଆସିବା ବେଳକୁ ମୋର ଧୂଳି ପାଉଁଶ ସୁଦ୍ଧା ନ ଥିବ । ଏ ଜନ୍ମରେ ତୋ ସଙ୍ଗରେ ଦେଖା ଏତିକି ମା !

ମା, ତୁ ତ ଦେବ-ଦେହ ଧରି ଦେବ-ମେଳରେ ଅଛୁ । ସେଠାରେ ଦେବଚକ୍ଷୁ ପାଇଥିବୁ-। ଦେବ-ଚକ୍ଷୁ କୁ ପରା ସବୁ ଦିଶେ ମା ! ତୁ କି ତୋର ଏ ଦୁଃଖୀ ବାପର ଯନ୍ତ୍ରଣା ସ୍ୱର୍ଗରୁ ଥାଇ ଦେଖୁ ନାହୁଁ ମା ? ତୁ ତ ଆଉ ଏବେ ମର୍ତ୍ତ୍ୟର ଶିଶୁ ନୋହୁ-ସ୍ୱର୍ଗର ଦେବଶିଶୁ । ମର୍ତ୍ତ୍ୟର ବୃଦ୍ଧ ସ୍ୱର୍ଗର ଶିଶୁକୁ ସରି ନୁହେଁ । ତୁ ପୃଣ୍ୟବତୀ ପୁଣି ଭାଗ୍ୟବତୀ, ନଚେତ୍‌ ପ୍ରଭୁ ତୋତେ ଏ ପାପ ଧରାରୁ ଏତେ ଚାଣ୍ତେ ନେଇଯାନ୍ତେ କାହିଁକି ? ମୁଁ ଯେଡ଼େ ଅଭାଜନ ହେଲେ ସୁଦ୍ଧା ତୋ ଭଳି ଦେବ-ଶିଶୁର ମଧୁମୟ ତୁଣ୍ତରୁ ପିତୃ-ଆହ୍ୱାନ ପାଇ ନିଜକୁ ଧନ୍ୟ, ଭାଗ୍ୟଧର ମଣୁଛି । ତୋ ଲାଗ ସମସ୍ତେ କାନ୍ଦୁଛନ୍ତି, ତୋ ମା କାନ୍ଦି କାନ୍ଦି କଣ୍ଠଗତ ପ୍ରାଣ ହେଲାଣି, ତୋ ବୋଉ ଦିନରାତି କପତୀ ପରି ଝରୁଛି–ତୋର ବାବା ଆଉ ଭାଇଙ୍କ ମୁହଁ ଶୁଖି ଫିକା ପଡ଼ିଯାଇଛି–ତୋର ନୂଆବଉ ସାନ ଅପାଙ୍କ ଆଖିରୁ ଲୁହ ଶୁଖି ନାହିଁ–ସାନଭାଇ ନାଥିଆ ପିଲାଙ୍କ ପରି ଭେଁ ଭେଁ ରଡ଼ି ଛାଡ଼ିଛି–ତୋର ସାନ ଭଉଣୀ ଆଶାଟି ତୋତେ କେତେ ଖୋଜି ହେଉଛି, ଏହା କଅଣ ତୁ ଦେଖୁ ନାହିଁ ମା ? ତୁ ଦୂରକୁ କେବେ ଯାଇ ନାହୁଁ, ମୋତେ ଛାଡ଼ି ତୁ ଦୂରକୁ ଯାଇପାରିବୁ ନାହିଁ–ସବୁବେଳେ ମୋରି ପାଖରେ ଅଛୁ–ଖାଲି ଦେଖା ଦେଉ ନାହିଁ ସିନା ! ଏତେ ହଟ, ଏତେ ରୁଷା କାହିଁକି–ବାୟାଣୀ, ମୁଁ ତ କେବେ ତୋର ମନ ଭାଙ୍ଗି ନାହିଁ ! ତୁ ଯେତେବେଳେ ଯାହା ଅଳି କରୁଥିଲୁ ମୁଁ ତାହା ଆଣି ଦେଉଥିଲି, ଜାଣି ଶୁଣି ତ କିଛି ତ୍ରୁଟି କରି ନାହିଁ ! ତେବେ ଏତେ ଅଭିମାନ କାହିଁକି ? ମନୁଷ୍ୟ ଗତି ସିନା ସୀମାବଦ୍ଧ; ମାତ୍ର ତୁ ଏବେ ଇଚ୍ଛା କଲେ ତ ମୁହୁର୍ତ୍ତକରେ ବ୍ରହ୍ମାଣ୍ତ ବୁଲି ଆସିପାରିବୁ । ତୋ ପକ୍ଷରେ କେହି ଦୂର ନୁହେ, ତୁ ଥରେ ଆସି ଆମର ସବୁ ଅବସ୍ଥା ଦେଖି ସାନ୍ତ୍ୱନା ଦେଇ ଯା । ଆମମାନଙ୍କ ଶୋକଶାନ୍ତି ନିମନ୍ତେ ଭଗବାନଙ୍କ ପାଦପଦ୍ମରେ ଅଳି କର । ତୋର ପ୍ରାର୍ଥନା ସେ ନିଶ୍ଚେ ପୁର୍ଣ୍ଣ କରିବେ ।

ମା ଉମାରାଣୀ–ତୁ ତ ଚାଲିଗଲୁ, ତୋ ଉପରେ ମୋର ଯେଉଁ ସ୍ନେହ ଥିଲା,ସେ ସ୍ନେହକୁ ଏବେ ମୁଁ କଅଣ କରିବି ? ତାକୁ କାହାକୁ ଦେବି ? ତୋର ଯାହା ପ୍ରାପ୍ୟ, କେଉଁ ଭାଗ୍ୟଧର ତାହା ପାଇବ ? ‘କିଏ ସ୍ନେହ ନେବ ହୋ-ସ୍ନେହ ନେବ ହୋ’ କହି ବିନା ମୂଲ୍ୟରେ ଯାଚି ବୁଲିଲେ କି ଗ୍ରାହକ ମିଳବେ ନାହିଁ । ଏ ହତଭାଗ୍ୟର ବ୍ୟର୍ଥ ସ୍ନେହ କିଏ କାହିଁକି ନେବାକୁ ଆସିବ ? ଯଦି କେହି ଆମେ, କେବେ ସେ ସ୍ନେହର ଅଯୋଗ୍ୟ, ସୁତରାଂ ଅପାତ୍ର । ଅପାତ୍ରରେ ଦାନ କରି ଫଳ ବା କଅଣ ? ସେଥିରେ ଦାନ ବୃଥା ହୁଏ । ତୋର ସୁନ୍ଦର ନୃତ୍ୟଟି ସିନା ଲୁଚାଇ ରଖିଛୁ, ଆଉ ସୃଷ୍ଟିକୁ ତ ଲୁଚାଇପାରିବୁ ନାହିଁ ? ମୁଁ ତୋର ସେହି ପବିତ୍ର ଅପାଶୋରୀ ସ୍ମତିକୁ ସ୍ନେହ କରିବି । ଘର ବାହାର କାନ୍ଥଚାଳ, କେଉଁଠିବା ସ୍ମୃତି ନାହିଁ । କାହିଁରେ ବା ତୋର ସୁନ୍ଦର ପବିତ୍ର ଛୋଟ ହାତ ଦୁଇଟି ଲାଗି ନାହିଁ ! କେଉଁଠି ‘ଅଆ’ ଫଳା, କେଉଁଠି ୧।୨ପ୍ରଭୁତି ଅଙ୍କ, କେଉଁଠି ବା ବିବିଧ ଚିତ୍ର ଅଙ୍କିତ ରହି ତୋର ସ୍ମୃତିକୁ ଆଲୋକିତ କରୁଛନ୍ତି । ତୋର ମୂର୍ତ୍ତି ମୋର ପ୍ରଧାନ ଅବଲମ୍ୱନ ଥିଲା । ଏଣିକି ସ୍ମୃତି କେବଳ ଅବଲମ୍ୱନ ହେବ । ତୋର ମୂର୍ତ୍ତି ତ ଜୀବନରେ ଆଉ ଦେଖିବ ନାହିଁ; ମାତ୍ର ସେ ମୂର୍ତ୍ତିକି କେବେ ପାଶୋରିପାରିବି ନାହିଁ । ତୋର ସ୍ମୃତି ଭିତରେ ଯେଉଁ ସୌମ୍ୟ ସୁନ୍ଦର ମୂର୍ତ୍ତି ଅଛି, ସବୁବେଳେ ତାକୁ ଦେଖି କୃତାର୍ଥହେବି । ମା, ତୋର ଦେହ ତ ମାନବ-ଦେବ ଥିଲା ନାହିଁ । କି ଲଳିତ ଲାବଣ୍ୟ, କି ଅପୂର୍ବ ଜ୍ୟୋତି ! ମନୁଷ୍ୟ ଚର୍ମରୁ ସେଭଳି ଜ୍ୟୋତି ବାହାରିବା ଏକାବେଳକେ ଅସମ୍ଭବ । ପ୍ରାତଃକାଳରେ ନବପଲ୍ଲବ ଉପରେ ବାଳସୂର୍ଯ୍ୟକିରଣର ମଧୁର ଜ୍ୟୋତି ଦେଖିଛି ଫୁଲ ଉପରେ ଚନ୍ଦ୍ରିକାର ଶୀତଳ ଜ୍ୟୋତି ଦେଖିଛି; ମାତ୍ର ତୋ ଦେହରୁ ଯେଉଁ ଜ୍ୟୋତି ବାହାରେ, ସେ ରୂପ ଜ୍ୟୋତି ଅନ୍ୟତ୍ର ଦେଖି ନାହିଁ । ବିଧାତା ରତ୍ନର ଜ୍ୟୋତିରେ ତୋତେ ତିଆର କରିଥିଲା । ତୋହରି ଅଙ୍ଗଜ୍ୟୋତିରେ ତୋର କ୍ଷୁଦ୍ର ଅଳଙ୍କାରଗୁଡ଼ିକ ହସିଉଠୁଥିଲା; ଏବେ ଦୂର୍ଭାଗ୍ୟରୁ ତୋର ଅଙ୍ଗ ସଙ୍ଗରୁ ବଞ୍ଚିତ ହୋଇ ମଳିନ ଦିଶୁଛି । ତୁ ନିଶ୍ଚେ ଅଭିଶପ୍ତା ଦେବୀ ଥିଲୁ । ମର୍ତ୍ତ୍ୟଭୂମିରେ ଅଳ୍ପକାଳ ମଧ୍ୟରେ ଶାପ ଗୋଟିଏ କଟାଇ ପୁଣି ସ୍ୱସ୍ଥାନକୁ ଚାଲିଗଲୁ । ତୋ ଲାଗି ଯେ ଏଣେ ଗୋଟାଏ ପରିବାର ହାୟ ହାୟ କରି ପ୍ରାଣ ଫଟାଉଛନ୍ତି, ତାଙ୍କର ଦୁଃଖ ଯନ୍ତ୍ରଣା ତୁ କାହିଁକି ଦେଖିବୁ-? ତୋର ଉଦ୍ଦେଶ୍ୟ ସିଦ୍ଧ କରି ତୁ ଚାଲିଗଲୁ । ତୋର ତେତିକି ଏକା ଲୋଡ଼ା ଥିଲା ।

ମାଲୋ, ତୁହି ଏକା ମୋ ଇଷ୍ଟପୂଜାରେ ଉତ୍ତର-ସାଧିକା ଥିଲୁ । ତୋହରି ସାହାଯ୍ୟରେ ମୁଁ ପୂଜା କରୁଥିଲି । ତୁ ଚାଲିଗଲୁ, ମୋର ସେହି ପୂଜା ଶେଷ ହେଲା କି ଅପୂର୍ଣ୍ଣ ରହିଲା, ତାହା ତୁହି ଜାଣୁ ମା ! ଏଣିକି ସେ ପୂଜା ଛାଡ଼ି ତୋହରି ପୁଣ୍ୟସ୍ମୃତିକୁ ତିକ୍ତ ପୂଜା କରୁଥିବି, ଆଉ ଆଜୀବନ କାନ୍ଦୁଥିବି । ତୁ ମୋର କନ୍ୟା ହୋଇ ଅଳ୍ପଦିନରେ ଭଗବାନଙ୍କର କୃପା ଲାଭ କଲୁ; ମାତ୍ର ମୁଁ ତାହା ଅବଧି ପାଇଲି ନାହିଁ-ଏହା ମୋର କ୍ଷୋଭର କଥା ନୁହେଁ ମା-ଆନନ୍ଦର କଥା । ମୁଁ ସେହି ଆନନ୍ଦରେ ଅଧୀର ହୋଇ ଆତ୍ମଗୌରବ ଅନୁଭବ କରୁଛି । ସେହି ଆନନ୍ଦ ଅଶ୍ରୁ ହୋଇ ମୋର ଅଜଣାରେ ସୁଦ୍ଧା ଝଡ଼ିପଡ଼ୁଛି । ମା, ମୋ ରାଣଟି, ତୁ କାନ୍ଦିବୁ ନାହିଁ । ଜଗତର ଯେ ରାଜାଧିରାଜ, ତୁ ତାଙ୍କର ପ୍ରୀତି ଆକର୍ଷଣ କରିପାରିଛୁ, ସ୍ୱତରାଂ ତୋର ଅଭାବ କଅଣ ? ଭଗବାନଙ୍କ ଶ୍ରୀଚରଣରେ ଅଚଳା ଭକ୍ତି ରଖି ମୋର ଯିବାଯାଏଁ ଅପେକ୍ଷା କରିଥା ମା ! ସେ ଭବଭୟହାରୀ । ସେ ଯାହାକୁ ପ୍ରସନ୍ନ, ତାହାର ପୁଣି ଭୟ କଅଣ ? ଭଗବାନଙ୍କ ପ୍ରେମାମୃତ ପାନ କରି ଅପାର ଆନନ୍ଦ ଉପଭୋଗ କର–ତୁ ଆନନ୍ଦର ସନ୍ତାନ, ଚିର-ଆନନ୍ଦମୟ । ଆନନ୍ଦ ତୋର ସର୍ବସ୍ୱ, ତୁ ଆନନ୍ଦରେ ଗଢା, ଏହା ଭୁଲିବୁ ନାହିଁ ।

ଭଗବାନ୍‌, ଏବେ ତୁମ୍ଭଙ୍କୁ କଥାଏ ପଚାରିବି । ସଂସାରରେ ଯେବେ କେହି କାହାର ନୁହେଁ, ତେବେ ସ୍ନେହ, ମମତା ପ୍ରଭୃତି ନାଗଫାସଗୁଡ଼ାଏ ସୃଜିଲ କାହିଁକି ? କହିବ ପରା–ସେ ସବୁ ତୁମ୍ଭେ କରି ନାହିଁ, ତାହା ମାୟାର କାର୍ଯ୍ୟ, କିନ୍ତୁ କୁହନି ଭଲା–ସେ ମାୟାଟି କିଏ ମାୟାଧର ? ତୁମ୍ଭେ ତ ସ୍ରଷ୍ଟା, ମୁଁ ସୃଷ୍ଟ, ଆମ୍ଭ ଦୁହିଁଙ୍କ ମଧ୍ୟରେ ସମ୍ୱନ୍ଧ । ମାୟା ଗୋଟାଏ ପୁଣି କେଉଁଠୁ ଆସି ଆମ ଭିତରେ କାହିଁକି ପଶିଲା ? ଆଉ ତାକୁ ନିଯୁକ୍ତ କଲା ବା କିଏ ? ମୁଁ ତ ସେ ମାୟାକୁ ଚିହ୍ନେ ନାହିଁ । ମୁଁ ତାକୁ କିଣିଆଣି ନାହିଁ, କି କୋଡ଼ିହାଣି ରୋଜଗାର କରି ନାହିଁ । ଖାଲି ମୋଟା ବୁଦ୍ଧିରେ ଏତିକି ବୁଝିଛି -ଯେ ମାୟାଧର, ମାୟା ତାହାରି ସୃଷ୍ଟି । ଏଥିରେ ଯେତେ ସନ୍ଦେହ ଥାଏ, ତେବେ ସେହି ସନ୍ଦେହ ମୋର ସୁଖ । ତୁମ୍ଭେହିଁ ସେହି ଦୂରନ୍ତା ମାୟାକୁ ଆଣି ମଝିରେ ଠିଆକରାଇ, ଦୋଷ ତାହାରି ମୁଣ୍ଡରେ ଇଦୁଅଛ । ତୁମ୍ଭେ ଯେବେ ମାୟାକୁ ସୃଷ୍ଟି କରି ନାହିଁ, ତେବେ ଏଡ଼େ ଆଦରରେ ମାୟାଧର ବୋଲି ନାମଟିଏ ବହିଛ କାହିଁକି ? ପ୍ରଭୁ, ଏ ଲୁଚକାଳି ଖେଳ ତୁମ୍ଭଙ୍କୁ ସୁନ୍ଦର ହୋଇପାରେ; ମାତ୍ର ରକ୍ତମାଂସ ଦେହୀ ମନୁଷ୍ୟ ସେଥିରେ ଯନ୍ତ୍ରଣା ଅନୁଭବ କରେ ।

ହରି ହେ, ଆହୁରି କଥାଏ ପଚାରିବି, ମୋର ଦୁଃସାହସିକତାକୁ କ୍ଷମା ଆଜ୍ଞା ହେବ । ସେ ତ ଶିଶୁ, ଚାରିବର୍ଷ ପୂର୍ଣ୍ଣହୋଇ ପାଞ୍ଚବର୍ଷରେ ଗୋଡ଼ ଦେଇଥିଲା । ଧର୍ମ କଅଣ, ଅଧର୍ମ କଅଣ, ସେ ଜ୍ଞାନ ତାହାର ଅଙ୍କୁରି ନ ଥିଲା, ସୁତରାଂ ସେ କି ଗୁରୁତର ପାପ କରିଥିଲା ଯେ, ସେଥିପାଇଁ ମୃତ୍ୟୁ ପୁର୍ବରୁ ତାକୁ ଏତେ ଦଣ୍ଡ ଦେଲ ? ଯେବେ ତାହା ପୂର୍ବଜନ୍ମ -ସଞ୍ଚିତ ପାପର ଫଳ ହୁଏ, ତେବେ ବି ତ ଶାସ୍ତିର ସମୟ ଅସଂଗତ । କି ପାପରୁ ସେ ଦଣ୍ଡ ପାଇଲା, ତାହା କି ସେ ବୁଝିପାରିଲା ? ତୁମ୍ଭର ତ ବାଳ, ବୃଦ୍ଧ, ଯୁବା ତିନିକାଳରୁ କେଉଁ କାଳ ନାହିଁ, ତୁମ୍ଭେ ବାଳକାଳ କଥା କାହୁଁ ଜାଣିବ ? ତା’ର ହିତାହିତ ଜ୍ଞାନ ଜନ୍ମିଲା ପରେ ତାକୁ ଦଣ୍ଡ ଦେଇଥିଲେ ସେ ତାକୁ ପୂର୍ବାର୍ଜିତ ପାପର ଫଳ ବୋଲି ଜାଣିପାରନ୍ତା ଏବଂ ଭବିଷ୍ୟତ ଜନ୍ମକୁ ସାବଧାନ ହୁଅନ୍ତା । ଆଉ ସାବଧାନ ବା କଅଣ ହେବ ? ସେଥିର ବାଟ ବା ତୁମ୍ଭେ ରଖି ନାହଁ । ମନୁଷ୍ୟକୁ ଜାତିସ୍ମର କରିଥିଲେ ଗତ ଜନ୍ମର କଥା ତାହା ମନରେ ଥାନ୍ତା; ସୁତରାଂ ଭବିଷ୍ୟତକୁ ସାବଧାନ ହେବାର ସୁବିଧା ମିଳନ୍ତା । ଦୋଷ ସଂଶୋଧନ ନିମନ୍ତେ ଦଣ୍ଡ ଦରକାର ହୁଏ ସତ; ମାତ୍ର ଦୋଷ ନ ଜାଣିପାରିଲେ ସଂଶୋଧନ କରିବ କଅଣ ? ଆଉ ମନୁଷ୍ୟକୁ ତୁମ୍ଭେ କାହିଁକି ଦଣ୍ଡ ଦିଅ ? ସେ କୁପଥଗାମୀ କାହିଁକି ହୁଏ–ପାପ କାହିଁକି କରେ ? ତାକୁ କର୍ମରେ ପ୍ରବର୍ତ୍ତାଏ କିଏ ? ମୋର ଯାହା, ତାହାତ ତୁମ୍ଭର ଦତ୍ତ । ସେମାନଙ୍କ କାର୍ଯ୍ୟ ସକାଶେ ମୋତେ କାହିଁକି ଦାୟୀ କରିବ ପ୍ରଭୁ ! ତୁମ୍ଭ ଉପରେ କେହି ବିଚାରକ ନାହିଁ ବୋଲି ସିନା ତୁମ୍ଭର ଏ ଯଥେଚ୍ଛାଚାର ଚଳିଯାଉଛି । ହରି ହେ ! ଯେବେ ମୋର ଏ ବିଶ୍ୱାସ ମିଥ୍ୟା ବା ଭୁଲ ହୋଇଥାଏ, ତେବେ ସେଥିପାଇଁ ବି ତୁମ୍ଭେ ଦାୟୀ । ମୋ ମନରେ ଯେତେବେଳେ ଯେଉଁ ବିଶ୍ୱାସ ହୁଏ, ତାହା ତୁମ୍ଭେ ଆଣି ଦିଅ । ହେ ପ୍ରଭୁ, ଯାହା ହେବାର ଥିଲା ହେଲା,–ଯାହା କରିବାର କଲ, ଏବେ କ୍ଷୁଦ୍ର ଶିଶୁଟିକୁ ଦୟାକର । ମୁଁ ତାକୁ ତୁମ୍ଭ ପାଦତଳେ ତୁମ୍ଭ ସେବା-ଦାସୀରୂପେ ଅର୍ପଣ କଲି । ତାକୁ ଶ୍ରୀଚରଣ ତଳେ ସ୍ଥାନ ଦିଅ–ତାହାର ସନ୍ତପ୍ତ ଆତ୍ମାର ଶାନ୍ତିର ଅମୃତ ପ୍ରଲେପ ଲଗାଇଦେଇ ତାହାର ପ୍ରାଣ ଆନନ୍ଦମୟ, ଅମୃତମୟ ଓ ଉତ୍ସବମୟ କର । ସେ ତୁମ୍ଭ ସେବାଦାସୀର ଉପଯୁକ୍ତ ହେଉ, ତାହା ମସ୍ତକରେ ମଙ୍ଗଳ ହାତ ବୁଲାଇ ଏହି ଆଶୀର୍ବାଦ କର ହରି–ତୁମ୍ଭ ମଙ୍ଗଳମୟ ପାଦପଦ୍ମରେ ଏତିକି କାତର ଭିକ୍ଷା ।

୧୯୨୯ ସାଲ ମାର୍ଚ୍ଚ ୨୯ ତାରିଖ ଶୁକ୍ରବାର, ତୁ ଗୋଟାଏ କାଳ ଦୁର୍ଦ୍ଦିନ । କି ଅଶୁଭ କ୍ଷଣରେ କି ଅମଙ୍ଗଳ ମୁଣ୍ଡାଇ ତୁ ଆସିଥିଲୁ ! ତୋର କୁଶ ପିତୁଳା ଚଣ୍ଡାଳ ହାତରେ ପୋଡ଼ାହେଉ–ତୋର ଚିତାଭସ୍ମ ଚର୍ମନାସାରେ ପତିତ ହେଉ । ସଂସାରରେ ତୋର ପ୍ରତିଷ୍ଠା ନ ରହୁ–ନାମ ସୁଦ୍ଧା ନ ରହୁ । ତୁ ମୋର କି ସୁଖର ଖେଳଘର ଭାଙ୍ଗିଦେଲୁ ! ମୁଁ ଯାହାର ଭବିଷ୍ୟତ୍‌ ସମ୍ୱନ୍ଧରେ ଉଜ୍ଜଳ ସ୍ୱପ୍ନ ଦେଖିଥିଲି, ତୁ ତାକୁ ହରିନେଇ ମୋର ଯେ କ୍ଷତି କଲୁ, ତାହା ଆଉ ପୂର୍ଣ୍ଣ ହେବ ନାହିଁ । ନିଷ୍ଠୁର, ମୋ ସୁଖରେ ତୁ ଯେପରି ବଜ୍ର ପ୍ରହାର କଲୁ, ତୋ ମସ୍ତକରେ ସେହିପରି ଅକାଳ ବଜ୍ର ଛିଡିପଡ଼ୁ । ମୋର ଆନନ୍ଦ -ସୌଧ ତୁ ଚୁର୍ଣ୍ଣ କରି ଧୂଳିରେ ମିଶାଇଦେଲୁ–ତୋର ନାମ ଉଚ୍ଚାରଣ କରିବା ମହାପାପ ।

ହାୟ, ମୁଁ ଏ କଅଣ କରୁଛି–କାହାକୁ ଗାଳି ଦେଉଛି ? ମୁଁ କାଳକୁ ନିନ୍ଦୁଛି । କାଳରୂପୀ ବ୍ରହ୍ମ ପରା–ତେବେ ମୁଁ ମୂଢ, ଭଗବାନଙ୍କୁ ନିନ୍ଦା କଲି । ହରି ହେ, କ୍ଷମାକର, କ୍ଷମାକର ପ୍ରଭୋ ! ଢେର ତୀବ୍ର ଭର୍ତ୍ସନା କଲିଣି । ମୁଁ କଅଣ କହିଯାଉଛି, ତାହା ମୁଁ ଜାଣେ ନାହିଁ । କେଉଁ ସଇତାନ ମୋ ଭିତରେ ପଶି ମୋର ଅଜ୍ଞାତରେ ମୋରି ମୁହଁରେ କେବେ କଅଣ କହି ଯାଉଛି । ମୁଁ ତାହାର ବିନ୍ଦୁବିସର୍ଗ ଜାଣେ ନାହିଁ ପ୍ରଭୋ ! ମୁଁ ବର୍ତ୍ତମାନ ବାତୁଳ, ତୁମ୍ଭେ ତ ମୋତେ ବାତୁଳ କରାଇଛ, ତେବେ ପାଗଳର ପ୍ରଳାପ ବାଣୀ ନ ସହିବ କାହିଁକି ? ମୋର କି ଚାରା ଅଛି ? ପ୍ରଭୁ, ତୁମ୍ଭେ ଯେଉଁଆଡ଼କୁ ଢଳାଉଅଛ, ମୁଁ ସେ ଆଡକୁ ଢଳୁଛି । ତୁମ୍ଭେ ଯାହା କରାଉଛ, ମୁଁ ତାହା କରୁଛି । ସତ କହୁଛି ହରି, ଅଜ୍ଞାନ ସୁକୁମାର ଶିଶୁର ରୋଗ ଯନ୍ତ୍ରଣା ଦେଖି ମୋର ହୃଦୟ ଫାଟିଗଲା । ଅନ୍ୟର ଦେହରୁ ରୋଗ ଯେବେ ଆଣି ହେଉଥାନ୍ତା, ତେବେ ମୁଁ ନିଶ୍ଚୟ ତାହା ଦେହରୁ ରୋଗକୁ କାଢିଆଣି ମୋ ଦେହରେ ରଖିଥାନ୍ତି; ମାତ୍ର ତୁମ୍ଭ ରାଜ୍ୟରେ ତାହା ହେବାର ଉପାୟ ନାହିଁ ଭଗବାନ ! ତାହାର ଯେବେ ପରମାୟୁ ନ ଥିଲା, ତେବେ ମୋର ଅବଶିଷ୍ଟ ଆୟୁ ତାକୁ ଦେଇ ବଞ୍ଚାଇ ରଖିଥିଲେ କି ହୁଅନ୍ତା ନାହିଁ ? ଏହିସବୁ କାରଣରୁ ମୁଁ ତୁମ୍ଭର ମହିମା ଭୁଲିଯାଇ ତୁମ୍ଭଙ୍କୁ ଅବିଶ୍ୱାସ କରିଛି । ଯେତେହେଲେ ତ ମୁଁ ଦୁର୍ବଳ ସ୍ୱଭାବ ମନୁଷ୍ୟମାତ୍ର, କାହୁଁ ବା ପ୍ରବଳ ହୋଇ ଦୃଢ ହୋଇ ତୁମ୍ଭ ଆଘାତ ନିର୍ବିକାରରେ ସହିପାରିବି ? ସେ ଶକ୍ତି ତୁମ୍ଭେ କଅଣ ମୋତେ ଦେଇଛ ପ୍ରଭୋ ? ମୁଁ ତୁମ୍ଭଙ୍କୁ ଯେତେ ଅବିଶ୍ୱାସ କରେ ପଛକେ–ଯେତେ ଚଳିହୁଏ ପଛକେ; ମାତ୍ର ଏହା ନିଶ୍ଚୟ ଜାଣେ ଯେ, ତୁମ୍ଭେ ମୋ ଉମାର ମଙ୍ଗଳ ପାଇଁ ତାକୁ ନେଇଯାଇଛ । ତୁମ୍ଭେ ଦେଖିଲ–ଏଠାରେ ତାହାର ଉପଯୁକ୍ତ ଲାଳନ ପାଳନ ହେଉ ନାହିଁ–ତୁମ୍ଭ ଛଡ଼ା ତାକୁ ଆଉ କେହି ପୂର୍ଣ୍ଣରୂପେ ପାଳନ କରିପାରିବ ନାହିଁ–ତହୁଁ ତାକୁ ନିଜ କତିକି ଘେନିଗଲା । ତୁମ୍ଭେ ମଙ୍ଗଳମୟ, ତୁମ୍ଭ କାର୍ଯ୍ୟରେ ବା ଇଚ୍ଛାରେ ଅମଙ୍ଗଳ ଥାଇପାରେ ନାହିଁ । ପ୍ରଭୁ, ତୁମ୍ଭେ କ୍ଷମାମୟ, ମୁଁ ବିହ୍ୱଳ ଅବସ୍ଥାରେ ଯାହା କହିପକାଇଛି, ସେ ଅପରାଧ କ୍ଷମାକର । ଆଉ ଏପରି ଆତ୍ମବିସ୍ତୃତି ଜୀବନରେ ଦିଅ ନାହିଁ, ତୁମ୍ଭ ମଙ୍ଗଳମୟ ପାଦପଦ୍ମରେ ଏହାହିଁ ମୋର ପ୍ରାଣର ଭିକ୍ଷା ।

ନାରାୟଣ, ତୁମ୍ଭେ ସମସ୍ତଙ୍କୁ ଜନ୍ମଦେଇଛ, ପାଳନ କରୁଛ, ରକ୍ଷା କରୁଛ–ତୁମ୍ଭେ ଜଗତର ସମ୍ପଦଦାତା ଆଉ ମଙ୍ଗଳଦାତା, ତୁମ୍ଭେ ସମସ୍ତଙ୍କୁ ସବୁ ଦେଉଛ । ତୁମ୍ଭେ ସୁଖଦାତା; କିନ୍ତୁ କାହାରି ପୂର୍ଣ୍ଣସୁଖ ତୁମ୍ଭେ ସହିପାର ନାହିଁ । ତାହା ତ ଦେବତାଙ୍କର ଚିରନ୍ତନ ସ୍ୱଭାବ । କାହାରି ପୂର୍ଣ୍ଣସୁଖ ଦେଖିଲେ ତୁମ୍ଭେ କିଛି ହେଲେ ଖଣ୍ଡନ ନ କରି ରହିପାର ନାହିଁ । ମୁନିୠଷିମାନଙ୍କର ଉଗ୍ର ତପସ୍ୟା ଦେଖିଲେ ଦେବତାମାନେ ଅଧିକାର ହରାଇବା ଆଶଙ୍କାରେ ଛଳରେ, କୌଶଳରେ ସେମାନଙ୍କର ତପୋଭଙ୍ଗ କରନ୍ତି । ଶାସ୍ତ୍ରପୁରାଣରେ ଏଥିର ଉଦାହରଣ ଯଥେଷ୍ଟ ସୁଲଭ । ପ୍ରଭୁ, ତୁମ୍ଭେ ଦେଇକରି ଯେବେ ସହି ନ ପାର, ତେବେ ଦିଅ କାହିଁକି ? ତୁମ୍ଭେ ତ ସଂସାର ଜଞ୍ଜାଳରୁ ମୋତେ ମୁକ୍ତ କରିଦେଇଛ, ତୁମ୍ଭେ ତ ମୋତେ ପୂର୍ଣ୍ଣ ସୁଖ, ପୂର୍ଣ୍ଣ ଆନନ୍ଦ ଦେଇଛ, ତୁମ୍ଭରି ପ୍ରସାଦରେ ତ ଏ ଦୀନର ମାଟି କୁଟୀରରେ ସ୍ନେହ, ପ୍ରୀତି, ପୁଣ୍ୟ, ଶାନ୍ତି, ମମତା, ସାମ୍ୟ, ମୈତ୍ରୀ, ପବିତ୍ରତା, ଆତ୍ମୀୟତା ପ୍ରଭୃତି ସ୍ୱର୍ଗୀୟ ଭାବର ମଳୟ ସୌରଭ ଖେଳିବୁଲୁଛି । ତୁମ୍ଭେହିଁ ତ ମୋ ପ୍ରାଣରେ ଦୁର୍ଲ୍ଲଭ ଆନନ୍ଦ ଓ ଅପୂର୍ବ ସନ୍ତୋଷ ଢାଳିଦେଇ ମୋତେ ନିଶ୍ଚିନ୍ତ କରାଇଛ । ତୁମ୍ଭେହିଁ ତ ମୋତେ ତୁମ୍ଭ ପୂଜାର ପୂର୍ଣ୍ଣ ସୁବିଧା ଆଉ ଅବସର ଦେଇଛ । ପୁଣି ଚିତ୍ତବିନୋଦନର ଜୀବିତ ଯନ୍ତ୍ରସ୍ୱରୂପ ମୋର ଉମା ସୁନ୍ଦରୀକୁ ଆଣି ମୋତେ ଦେଇଥିଲ । ମୋର ଆଉ ଅଭାବ କଅଣ ଥିଲା ? ପୂର୍ଣ୍ଣ ସୁଖ ଆଉ କାହାକୁ କହନ୍ତି ? ମନୁଷ୍ୟପ୍ରାଣ ଏହାଠାରୁ ଅଧିକ କଅଣ ଖୋଜେ ? ଏତେ ସୁଖ, ଏତେ ଆନନ୍ଦ, ଏତେ ସୁବିଧା–ମୋ ପରି ଆଉ କାହାର ଥିଲା ? କିନ୍ତୁ ହାୟ, ମୋର ଏତେ ସୁଖସୌଭାଗ୍ୟ ତୁମ୍ଭେ ସହନ୍ତ କାହିଁକି ? ମୋର ଖେଳ କଣ୍ଡେଇଟି ଛଡ଼ାଇନେଇ ମୋର ପୂର୍ଣ୍ଣତାକୁ ତୁମ୍ଭେ ଅପୂର୍ଣ୍ଣ କରିଦେଇ, ଏଥୁ ବଳି କ୍ଷୋଭ କଅଣ ଅଛି ? ତୁମ୍ଭେ ସମସ୍ତଙ୍କୁ ସର୍ବଦା ପୂର୍ଣ୍ଣତା ଆଡ଼କୁ ନେଇଯାଅ; ମାତ୍ର କାହାରିକୁ ପରିପୂର୍ଣ୍ଣ କରାଇ ଦିଅ ନାହିଁ ପ୍ରଭୁ ! ତୁମ୍ଭେ ଦେଇକରି ପୁଣି ଛଡ଼ାଇ ନିଅ, ଏଥିରେ କି ତୁମ୍ଭଙ୍କୁ ଦତ୍ତାପହାର ଦୋଷସ୍ପର୍ଶ କରେ ନାହିଁ ? ତେବେ ମନୁଷ୍ୟ ପ୍ରତି କାହିଁକି ଭିନ୍ନ ବ୍ୟବସ୍ଥା ? ଦତ୍ତଦ୍ରବ୍ୟ ପୁନର୍ଗ୍ରହଣ କଲେ ନିରୀହ ଜୀବ ମନୁଷ୍ୟର ପାପ ହୁଏ କାହିଁକି ? ବଡ଼ଲୋକଙ୍କୁ ସବୁ ସୁନ୍ଦର ପ୍ରଭୁ !

କହିବ ଅବା ବନ୍ଧନ କାଟିଦେଇ ନଚେତ୍‌ ଭାର ଓହ୍ଲାଇଦେଇ ମୋର ସୁବିଧା କରି ଦେଇଛ । କାହିଁ, ସେ ବନ୍ଧନରେ ମୁଁ ତ କଷ୍ଟ ଅନୁଭବ କରି ‘ତ୍ରାହି ମଧୁସୂଦନ’ ଡାକ ଛାଡ଼ି ନାହିଁ; ବରଂ ସେ ବନ୍ଧନକୁ ଫୁଲ ପରି ମଧୁର କୋମଳ ସ୍ପର୍ଶ ମଣୁଥିଲି । ସେହି ବନ୍ଧନ ମୋର ମୁକ୍ତିଠାରୁ ଶ୍ରେୟସ୍କର ଥିଲା । ରତ୍ନହାରକୁ ଭାର ମଣି କେହି ଗଳାରୁ କାଢି ଫୋପାଡ଼ିଦିଏ କି ଭଗବାନ ? ଯାଉ ସେ କଥା, ଆଉ ତୁମ୍ଭ ଉପରେ ମାନ କରିବି ନାହିଁ । ଆପଣା ମାରିଲେ କି ଅଭିମାନ ଧରିଲେ ତ ତୁମ୍ଭ ହୃଦୟ ତରଳିବ ନାହିଁ କିମ୍ବା ମୋର ହୃତ ରତ୍ନଟି ଫେରାଇଦେବ ନାହିଁ ତେବେ ସହସ୍ର ଅଭିମାନରେ ଫଳ କଅଣ ? ତୁମ୍ଭେ ଅନନ୍ତ, ମହାନ୍‌ ପୁଣି ନିରାକାର । ଲୋକେ ତୁମ୍ଭର ମୂର୍ତ୍ତି କାହିଁକି କାଠ ପଥରରେ ଗଢନ୍ତି ? ମୋର ଗୋଟିଏ ସନ୍ଦେହ ଥିଲା, ଏବେ ସେ ସନ୍ଦେହ ଦୂର ହେଲା ! ମୁଁ ଏବେ ବେଶ୍ ବୁଝିପାରୁଛି ଯେ, ଯାହାର ହୃଦୟ କାଠ ପଥର ପରି କଠିନ, ତାହାର ମୂର୍ତ୍ତି କାଠ ପଥରରେ ହିଁ ଗଢିବା ଉଚିତ । ଆଉ ମୋର ମା ତ ମାୟା-ମୋହର ବନ୍ଧନରୁ ମୁକ୍ତ ହୋଇଯାଇଛି, ତାହା ପାଇଁ ଶୋକ କରି ପୁଣି ସେହି ବଜ୍ରବେଢୀ କାହା ଗୋଡ଼ରେ ଛନ୍ଦିବି ବା କାହିଁକି ? ମା ମୋର ତ ଉପରକୁ ଉଠିଯାଇଛି, ପୁଣି ତାକୁ ତଳକୁ ଟାଣିବାର ବିଫଳ ଚେଷ୍ଟା କାହିଁକି ବା କରିବି? ଯେ ଅଗ୍ନି ପରି ନିର୍ମଳ ହୋଇଯାଇଛି, ତାହାର ପୁଣ୍ୟ ଦେହରେ କଦର୍ଯ୍ୟ ମାୟା-ମୋହ-ପଙ୍କ ବୋଳି ନିଜେ ପାପ ଅର୍ଜ୍ଜନ କରିବି କାହିଁକି ? ଶାସ୍ତ୍ରକାରମାନେ କହିଛନ୍ତି–

ଶ୍ଳେଷ୍ମାଶ୍ରୁ ବାନ୍ଧବୈର୍ମୁକ୍ତଂ,

ପ୍ରତୋଭୁକ୍ତେ ଯତୋଽବଶଃ ।

ଅର୍ଥାତ୍‌ ମୃତବ୍ୟକ୍ତିର ଆତ୍ମୀୟମାନେ କୋଳଜନ୍ମିତ ଯେଉଁ ଶ୍ଳେଷ୍ମା ଓ ଅଶ୍ରୁ ପରିତ୍ୟାଗ କରନ୍ତି, ପରଲୋକଗତ ଆତ୍ମା ତାହାକୁହିଁ ଭୋଗକରେ । ଭଗବାନ୍‌, ତୁମ୍ଭ ହୃଦୟ ଯେପରି ନିଷ୍ଠୁର, ତୁମ୍ଭ ଶାସ୍ତ୍ର-କାରମାନଙ୍କର ହୃଦୟ ବି ସେହିପରି ନିଷ୍ଠୁର । ସତେ କି ଆତ୍ମୀୟ ଶୋକରେ ଅଶ୍ରୁବିସର୍ଜନର ଫଳ ଏତେ ଘୃଣ୍ୟ–ଏତେ ବୀଭତ୍ସ ପ୍ରଭୁ ! ଅଶ୍ରୁ ଛଡ଼ା ସାନ୍ତ୍ୱନା ଦେବ କିଏ ? ଯେଉ ଅଶ୍ରୁ ଶୋକକୁ ବଢାଏ, ସେହି ଅଶ୍ରୁ ତ ସାନ୍ତ୍ୱନା ଆଣି ଦିଏ । ମନର କ୍ଳେଦରାଶି ଶୋକତାପରେ ତରଳିଯାଇ ଅଶ୍ରୂରୂପରେ ବାହାରି ନ ଗଲେ ମନୁଷ୍ୟ ବଞ୍ଚିବ କିପରି ? ପୂଯ, ଦୂଷିତ ରକ୍ତ ବାହାରି ନ ଗଲେ ଘା ଶୁଖିବ କି ହରି ?

ମନୁଷ୍ୟ ଦୁଇଦିନ ପାଇଁ ଏ ହତାଶ ପ୍ରବାସ ଭୂମିକୁ ଆସିଛି । ସେ ତୁମ୍ଭରି ସୃଷ୍ଟ ଓ ତୁମ୍ଭେ ତାକୁ ପଠାଇଛ । ଏପରି ଅବସ୍ଥାରେ ତାକୁ ହନ୍ତସନ୍ତ କରିବା କଅଣ ତୁମ୍ଭର ଉଚିତ କାର୍ଯ୍ୟ ପ୍ରଭୁ ! ସେ ଦୁଇଟା ଦିନ ଟିକିଏ ସୁଖଶାନ୍ତିରେ କଟାଇ ତୁମ୍ଭଙ୍କୁ ପୂଜା କରିବାର ସୁବିଧା ପାଇବ । ଏହା ଛଡ଼ା ମନୁଷ୍ୟର ମୁଖ୍ୟ ଅଭିଳାଷ ଆଉ କଅଣ ଅଛି ? ତାକୁ ଏତକ ସୁବିଧା ଦେବାକୁ ତୁମ୍ଭେ ଏତେ କୁଣ୍ଠିତ କାହିଁକି ? ତାହାର ଏତିକି କାମନା କି ତୁମ୍ଭର ଅସହ୍ୟ ପ୍ରଭୁ ? ତୁମ୍ଭେ ମନୁଷ୍ୟକୁ ନିରାଟ ନିଛାଟିଆ ମରୁଭୂମିରେ ଛାଡ଼ିଦେଇ ନିରସ୍ତ ହୋଇ ନାହିଁ, ତାହା ସଙ୍ଗେ ସଙ୍ଗେ ବିବିଧ ରୋଗ-ପୀଡ଼ା ବିପଦ-ଆପଦ, ଚିନ୍ତା-ଭାବନା ପ୍ରଭୃତି ଶତ୍ରୁ ଗୁଡ଼ାକ ପଠାଇଛ । ସେହି ତପ୍ତଭୂମିରେ ପଦେ ପଦେ ବାଧାବିଘ୍ନ ଲଙ୍ଘନ କରି ବାଟ ଚାଲିବା କେତେ ଦୂରୁହ ବ୍ୟାପାର, ତାହା କି ତୁମ୍ଭେ ନ ଜାଣ ଭଗବାନ-! ତୁମ୍ଭେ ତ ମନୁଷ୍ୟକୁ ବିରାଡ଼ି ଛୁଆ ପରି ବାର ଜାଗାରେ ନେଇ ଗୁଞ୍ଜୁଛୁ, ତାହାର କି ବିଶ୍ରାମର ସ୍ଥାନ ନାହିଁ ? ଖାଲି ଯିବା ଆସିବା କଅଣ ତାହାର କାମ ? ବିଶ୍ରାମର ଯେଉଁ ବିଧାନ ତୁମ୍ଭେ କରିଛ, ତାହା ତ ଜନ୍ମେ ଦୁଇ ଜନ୍ମର କଥା ନୁହେଁ–ବହୁଜନ୍ମର ସାଧନାରେ ବିଶ୍ରାମ ମିଳିପାରେ; ମାତ୍ର ସାଧନାରେ ବହୁଜନ୍ମ କଟାଇଦେବା ଭଳି ବିରାଟ ଧୈର୍ଯ୍ୟ କ୍ଷୁଦ୍ର ମାନବର ଅତି କ୍ଷୁଦ୍ର ଧୈର୍ଯ୍ୟ କୋଷରେ ଥାଇପାରେ କି ପ୍ରଭୁ ? ସେହି ଯୁଗ ବ୍ୟାପୀ କଠୋର ମହା ସାଧନା ତୁମ୍ଭ ପାଖରେ ରହି କରିବାର ବିଧାନ କରିଥିଲେ ମନ୍ଦ କଅଣ ହୁଅନ୍ତା ? ତେବେ ବାର ଜାଗାରେ ଜନ୍ମ ଦେଇ ବାର ତୁଠ ପାଣି ଚଖାଇବାରେ ଲାଭ କଅଣ? ସେଥିରେ ବାଟ ଚାଲି ଚାଲି ମନୁଷ୍ୟ ଥକିପଡ଼େ ସିନା । ଶ୍ରାନ୍ତ କ୍ଲାନ୍ତ ଲୋକର କେଉଁ କାର୍ଯ୍ୟରେ ଉତ୍ସାହ ଥାଏ ?

ହରି ହେ, ତୁମ୍ଭେ ଯାହା ନିଅ, ତାକୁ ଆଉ ଫେରାଇଦିଅ ନାହିଁ–ଏହା ତୁମ୍ଭର ଅକାଟ୍ୟ ବ୍ୟବସ୍ଥା । ହେଉ, ତୁମ୍ଭ ମଙ୍ଗଳ ବ୍ୟବସ୍ଥା ସଫଳ ହେଉ । ଫେରାଇ ନ ଦେଲେ ନାହିଁ; ମାତ୍ର ଥରେ ଆଖି ଆଗରେ ଆଣି ସେହି ସୌମ୍ୟ ସୁନ୍ଦର ମୂର୍ତ୍ତିଟି ଦେଖାଇଦେଉଥିଲେ ସେଥିରେ ତୁମ୍ଭର କ୍ଷତି କଅଣ ହୁଅନ୍ତା ? ଏ କଥାରେ ତୁମ୍ଭେ ଅବା ପଚାରିବ–ଯାହା ଯାଇଛି, ତାହା ତ ଚିରକାଳ ପାଇଁ ଯାଇଛି । ଯାହାକୁ ଆଉ ପାଇବାର ସମ୍ଭାବନା ଏକାବେଳକେ ନାହିଁ,ତାହାର ମୂର୍ତ୍ତି ଟିକିଏ ଦେଖିଲେ ତୋର କଅଣ ବା ଲାଭ ହେବ ? ହଁ–ପ୍ରଭୁ, ଲାଭ ମୋର ଯଥେଷ୍ଟ । ତୁମ୍ଭେ ତ ମନୁଷ୍ୟ ରୂପରେ ଅବତୀର୍ଣ୍ଣ ହୋଇଥିଲ ହରି । ସୁତରାଂ ମନୁଷ୍ୟ ପ୍ରକୃତି ତୁମ୍ଭର ଅଜ୍ଞାତ ନୁହେଁ । ଏ ମାଟିର କି ଦୁର୍ଗୁଣ ଅଛି କେଜାଣି, ସେଥିରେ ଗୋଡ଼ ଲାଗିଥିବା–ଯାଏ ଯେ ଯେଡ଼େ ପଣ୍ତିତ, ଯେତେ ଜ୍ଞାନୀ ଯେତେ ଧୈର୍ଯ୍ୟାଳୁ ହେଉ ପଛେ, ଯେଡ଼େ ଅନୁଭବୀ, ଯେଡ଼େ ଜାଣିବାର ଲୋକ ହେଉ ପଛେ, ଶୋକ ସମୟରେ ସେ ଏକଆଡ଼େ ମନକୁ ପ୍ରବୋଧ ଦେଉଁ ଦେଉଁ ଅନ୍ୟ ଆଡ଼େ ଅଜ୍ଞାତରେ ତାହା ଚକ୍ଷୁରୁ ଲୋତକ-ଧାରା ଝରି-ପଡ଼େ-ସେ ଅଶ୍ରୁର ଅବାରିତ ବେଗ ସମ୍ଭାଳିବାକୁ କାହାରି ଚାରା ନାହିଁ । ମୁଁ କାହାକୁ ଭଲପାଏଁ–ପ୍ରାଣ ଯାହା ପାଇଁ ବ୍ୟାକୁଳ–ସଂସାର ଯାହା ଅଭାବରେ ତୁଚ୍ଛ, ସେହି ପ୍ରାଣ-ପ୍ରତିମାକୁ ଦେଖିଲେ ଶୋକର ଆବେଗ ଟିକିଏ ଊଣା ପଡ଼ିବ । ଥରକୁ ଥର ଦେଖିବା ଦ୍ୱାରା ଆତ୍ମର ବ୍ୟାକୁଳତା କ୍ରମେ ହ୍ରାସ ହୋଇ ପରି-ଶେଷରେ ମିଳାଇଯିବା । ମନୁଷ୍ୟର ପରା ଏହା ଅଭ୍ୟାସ-ଯୋଗ ହରି ? ସ୍ୱୟଂ ତୁମ୍ଭେ ତ ଅଭ୍ୟାସ ମହାଯୋଗର ଭୂୟସୀ ପ୍ରଶଂସା କରିଛ । ମୁଁ ଅଜ୍ଞାନ ଜୀବ, ତପ, ଯଜ୍ଞ ପ୍ରଭୃତି ମୋର ଅସାଧ୍ୟ । ସୁତରାଂ ଅଭ୍ୟାସ ଯୋଗ ହିଁ ମୋ ପକ୍ଷରେ ସହଜ, ସୁଗମ୍ୟ । ମୁଁ ତାହାରି ଦ୍ୱାରା ଶୋକ, ତାପ ଭୁଲିଯାଇପାରିବି । ମୂଢ ବୁଦ୍ଧିରେ ମୋତେ ଏହି ବାଟ ସଳଖ ଦିଶୁଛି । ମୋର ମୂଢ ବିଶ୍ୱାସ ମୋ ପକ୍ଷରେ ନିଶ୍ଚୟ ଶ୍ରେୟସ୍କର ହେବ । ପ୍ରବାଦ ଅଛି–

ଦୃଢ ତରେ କି ମୁଢ ତରେ

ମଝିମଝିକିଆ ବୁଡ଼ିମରେ ।

ଅର୍ଥାତ୍‌ଯେ ଦୃଢ ବିଶ୍ୱାସୀ, ସେ ତରେ-ଯେ ମୁଢ ବିଶ୍ୱାସୀ ସେ ବରେ–ଆଉ ଯେ ଦୃଢ ନୁହେଁ ଅର୍ଥାତ୍‌ ଯାହାର ମନ ଛାଡ଼ପୁଡ଼, ସେହି ସନ୍ଦେହମନା, ଯୁକ୍ତିବାଦୀ, ତର୍କସର୍ବସ୍ୱ ଏକା ବୁଡ଼ିମରେ । ଦୟା ମୟ, ମୋର ସ୍ନେହପିତୁଳାଟିକୁ ଥରେ ଥରେ ମୋତେ ସ୍ୱପ୍ନରେ ଆଣି ଦେଖାଇଦିଅ–ଅଶ୍ରୁସିକ୍ତ ନେତ୍ରରେ, ବାସ୍ପବୁଦ୍ଧ କଣ୍ଠରେ ମୋର ଏତିକି ପ୍ରାର୍ଥନା ।

ହରି ହେ, ସେ ତୁମ୍ଭର ଜଣେ ପରମ ଭକ୍ତ ଥିଲା । ଭକ୍ତି ସେ ସଙ୍ଗରେ ଆଣିଥିଲା, ଅତି ଶୈଶବରେ ସେହି ଭକ୍ତି ତାହା କୋମଳ, ସରଳ, ନିର୍ମଳ ପ୍ରାଣରେ ଫୁଟି ଉଠିଥିଲା । ସେ ପ୍ରତ୍ୟହ ଖେଳ ଛଳରେ ତୁମ୍ଭର ପୂଜା କରୁଥିଲା । ଅଜ୍ଞାନ ଶିଶୁ ପୂଜା କଅଣ ଜାଣେ ନାହିଁ–ପୂଜା କାହିଁକି କରେ ବୁଝେ ନାହିଁ; ମାତ୍ର ପୂଜା କରେ । ମୁଁ ବାରମ୍ୱାର ତାହାର ଅର୍ଥଶୂନ୍ୟ ପୂଜା ଦେଖି ସ୍ତବ୍‌ଧ ମୁଗ୍‌ଧ ଏବଂ ଆତ୍ମବିସ୍ମୃତ ହୋଇଅଛି । ଫୁଲଗୁଡ଼ିଏ ତୋଳି ଆଣି ରାମାୟଣ, ମହାଭାରତ, ଗୀତା ପ୍ରଭୃତି ଗ୍ରନ୍ଥ ଉପରେ ମନୋମତ ଭାବରେ ସଜାଇ ରଖି ବାରମ୍ୱାର ପୂଜା କରେ ଓ ପ୍ରଣାମ କରେ । ବାଳିକାର ସେହି ନିର୍ବାଣୀ ପୂଜା ଦେଖି ପୃଥିବୀରେ ଥିଲା ପରି ଜ୍ଞାନ ହୁଏ ନାହିଁ । କି ଏକ ସ୍ୱର୍ଗୀୟ ଆନନ୍ଦ ଆସି ମନକୁ ଆଚ୍ଛନ୍ନ କରିପକାଏ। ନିର୍ବୋଧ ଶିଶୁର ଏହି କ୍ରିୟାହୀନ, ମନ୍ତ୍ର ହୀନ, ବ୍ରତ୍ୟହୀନ ଖୁସିପୂଜା ମନକୁ ଯଥେଷ୍ଟ ଶିକ୍ଷା ଦିଏ । ସେ ପୂଜା ଦେଖି ଅନେକ ଥର ତୁମ୍ଭଙ୍କୁ ଡାକି ମୁଁ କହିଛି–ହେ ଦୟାମୟ ହରି, ଅଲେଳ ବାଳିକାର ଏହି ପ୍ରୀତି ପୂଜା ତୁମ୍ଭେ ନିଶ୍ଚୟ ହାତ ବଢାଇଦେଇ ଗ୍ରହଣ କରୁଥିବ । ସହସ୍ରେ ଜ୍ଞାନୀର ପୂଜା ଏ ଆନନ୍ଦମୟ ଶିଶୁ ପୂଜା ନିକଟରେ ଆନ୍ତରିକତାରେ ତୁଚ୍ଛ। ଭାବଗ୍ରାହି, ତୁମ୍ଭେ ଅନ୍ତର୍ଯ୍ୟାମୀ, ଅସ୍ପଷ୍ଟବାକ୍‌ ଶିଶୁର ଅପ୍ରକଟ ମନୋଭାବ ତୁମ୍ଭେ ଏକା ବୁଝିପାରୁଥିବ-। କାହିଁ, ତୁମ୍ଭ ପାଖରେ ତ ସେ କିଛି ପ୍ରାର୍ଥନା ବା ଅଳି କରୁ ନାହିଁ ! ପୂଜା ଶେଷରେ ଜୁହାର ହୋଇ ଅମିୟ ମଧୁର ବାଣୀରେ ହାତ ଯୋଡ଼ି ଏତିକି କହୁଛି–ଠାକୁର, ଜୁହାର । ଆହା କି ନିଷ୍କାମ ଭକ୍ତି ! ଏରୂପ ଭକ୍ତି ଯେବେ ମୋର ବୃଦ୍ଧପ୍ରାଣରେ ଜାତ ହୁଅନ୍ତା, ତେବେ ମୁଁ ନିଜକୁ ଶତ ଧନ୍ୟ ଓ କୃତାର୍ଥ ମଣନ୍ତି । ଦୟାମୟ, ଯେ ତୁମ୍ଭଙ୍କୁ କିଛି ନ ମାଗେ, ତୁମ୍ଭେ ଯାଚିକରି ତାକୁ ସବୁ ଦିଅ-। ତୁମ୍ଭର ପ୍ରିୟ ଭକ୍ତକୁ ତୁମ୍ଭେ ନିଜ କୋଳକୁ ଟାଣି ନେଇଛୁ, ଏହା ଅପେକ୍ଷା ଉତ୍କୃଷ୍ଟ ହୃଦୟ, ଉତ୍କୃଷ୍ଟ ଦାନ ଆଉ କଅଣ ହୋଇପାରେ ? କ୍ଷୁଦ୍ର ଶିଶୁ ଅଢେଇ ଦିନରେ ତୁମ୍ଭର ପ୍ରୀତି ଆକର୍ଷଣ କରିପାରିଲା; ମାତ୍ର ମୁଁ ବାଲ୍ୟରୁ ବାର୍ଦ୍ଧକ୍ୟଯାଏଁ ତୁମ୍ଭଙ୍କୁ ଡ଼ାକି ଡ଼ାକି ମୋର କଅଣ ହେଲା ? ତେତେ ମୋର ପୂଜା ପ୍ରକୃତ ପୂଜା ନୁହେଁ । ନ ହେଉ ପଛକେ ଶୋଚନା ନାହିଁ, ପୂଜାରେ ମୋର ଆନନ୍ଦ, ମୁଁ କେବଳ ପୂଜା କରୁଥିବି। ମୁଁ ତୁମ୍ଭ ପଦତଳେ ଭିକ୍ଷା ମାଗିବାକୁ ଯୋଗ୍ୟ ନୁହେ–ମାଗିବାର ଅଧିକାର ବି ନାହିଁ । ତୁମ୍ଭେ ପରମ ଦୟାମୟ ଅକ୍ଷମ ଜାଣି ବେଳେ ବେଳେ ଦୟା କରିବି, ଏ ମହା ବିଶ୍ୱାସ ମୋର ଅଛି ।

ମା ଉମା, ଏବେ ମୁଁ ବିଦାୟ ନେଉଛି; କିନ୍ତୁ ମନରେ ଗୋଟିଏ ଅପଶୋରା ଦୁଃଖ ରହିଲା । ତୁ କିଏ ଚିହ୍ନିପାରିଲି ନାହିଁ । ତୁ କେଉଁ ଦୟାଳୁ ଦେବତା, ବଳେ ବଳେ ଆସି ମୋର ଉପକାର କରିଛୁ । କେତେଗୁଡ଼ିଏ କାମ ବି ମୋ ହାତରେ କରାଇଗଲୁ । ଆଜି ‘‘କୁନି ବହି’’ ଲେଖିଦେ, କାଲି ‘ନୂଆ ବହି’’ ଲେଖିଦେ–ଏହିପରି ଖେଳ ଗୀତ, ହସ ଗୀତ, ବାଘ ଭାଲୁ ଗପ, ଛଟା, ଢଗ ପ୍ରଭୃତି କେତେ ଫରମାସ ଦେଇ ମୋ ହାତରେ ଲେଖାଇଛୁ । ଏହା ସବୁ କାହିଁକି କଲୁ, ତାହା ତୁହିଁ ଜାଣ । ତୋତେ ମୁଁ ଚିହ୍ନିପାରି ନାହିଁ; କିନ୍ତୁ ତୁ ମାନବୀ ନୋହୁ । ଏତେ ମାୟା, ମମତା, ସ୍ନେହ, ପ୍ରେମ ମନୁଷ୍ୟ କରିପାରେ ନାହିଁ ମା ! ତୁ ମୋର ଘରେ ବାହାରେ ମଧୁର ବାଳୋତ୍ସବ ଅହର୍ନିଶ ଲଗାଇଥିଲୁ । ତୋତେ ମୁଁ ଚିହ୍ନିପାରିଥିଲେ ଯେ ତୋର ଉପଯୁକ୍ତ ଅର୍ଚ୍ଚନା କରିପାରିଥାନ୍ତି, ଏହା ମୁଁ ଗର୍ବ କରି କହୁ ନାହିଁ । ଅର୍ଚ୍ଚନା କରି ନ ପାରେ ପଛେ; ମାତ୍ର ପ୍ରାଣପଣେ ଚେଷ୍ଟା କରିଥାନ୍ତି-। ମୁଁ ପରା ମାଟିରେ ଅଛି ମା, ମାଟିର ମନୁଷ୍ୟ ମାଟି ଆଖିରେ ତୋତେ ଚିହ୍ନିବି କିପରି ? ଆଉ ତୋ ଲାଗ ଦୁଃଖ କରିବି ନାହିଁ ମା ! ତୋତେ ଭଗବାନଙ୍କ ଶ୍ରୀଚରଣରେ ଅର୍ପଣ କରିସାରିଛି, ଏଣିକି ଦୁଃଖ କଲେ ଦାନରେ ଦାବୀ କରିବା ଦୋଷ ଘଟିବ । ତୁ ପୂଣ୍ୟମୟ ଓ ଆନନ୍ଦମୟ ମହାଧାମରେ ଆନନ୍ଦମୟ ଭଗବାନଙ୍କ ପାଦ ତଳେ ମହିମାମୟୀ ରାଜରାଜେଶ୍ୱରୀ ରୂପରେ ବିରାଜମାନ କର–ମୋର ଏହି ଆର୍ଶୀର୍ବାଦ ମା !

ଶାନ୍ତିଃ–ଶାନ୍ତିଃ–ଶାନ୍ତିଃ

 

[ ୨ ]

 

ମା ଉମା, ଆଜିକି ବାରଦିନ ହେଲା ତୁ କେଉଁଠି ଯାଇ ରହିଲୁ ନା ! ସେ ସୁନ୍ଦର ଚାଲି, ସେ ସୁନ୍ଦର ଠାଣୀ କେଉଁଠି ନେଇ ଲୁଚାଇ ରଖିଲୁ ମା ? ତୋତେ ଦଖି ମୁଁ ସବୁ ଯାତନା, ସବୁ ଆଘାତ ଭୁଲିଯାଉଥିଲି; ଭାବିଥିଲି–ଏ ନିଃସଙ୍ଗ ପ୍ରବାସରେ ତୁହି ଏକା ମୋର । ଧ୍ରୁବ ତାରା ପରି ତୋତେ ଏକା ଲକ୍ଷ୍ୟ କରି ମୋର ଜୀବନ୍ତ ଜୀବନ-ତରଣୀ ଉତ୍ତାଳ ତରଙ୍ଗ ମୟ ସଂସାର-ସମୁଦ୍ର ବକ୍ଷରେ ହସି ହସି ଛାଡ଼ି ଦେଇଥିଲି; ଭାବିଥିଲି ତୋହରି ଉପରେ ଏକା ମୋର ସମ୍ପୂର୍ଣ୍ଣ ଅଧିକାର । କାହିଁକି ନା, ତୁ ମୋର ଉମା, ମୋର ପ୍ରାଣର ଉମା । ତୁ ତୋର ବାପମାର ନୋହୁ କି ଆଉ କାହାରି ନୋହୁ, ତୁ ମୋର ଏକା ମୋର । ସେ ମୋହର ଉପଯୁକ୍ତ ଶାସ୍ତି ମୁଁ ଏବେ ଭୋଗ କରୁଛି ମା ! ତୁ ଶିଶୁ, ଏ ବୃଦ୍ଧର ହୃଦୟ ଜ୍ୱାଳା ତୁ ବୁଝିପାରିବୁ ନାହିଁ । ମୁଁ ଯାହା ଲେଖୁଛି, ତାହା କାହିଁରେ ଲେଖୁଛି ଜାଣୁ ? ପଞ୍ଜାରାରୁ ଖଣ୍ଡେ ହାଡ଼ ଭାଙ୍ଗି ଆଣି ତାକୁ କଲିଜାର ରକ୍ତରେ ବୁଡ଼ାଇ ଲେଖୁଛି ! ତୋହରି ପାଇ ମୁଁ ଜୀବିତ ଥିଲି, ଆଉ ବଞ୍ଚି ରହିବାରେ ଫଳ କଅଣ ? ଆଉ କାହା ଲାଗି ବା ବଞ୍ଚିବି, ପୁଣି କାହିଁକି ବା ବଞ୍ଚିବି ? କିନ୍ତୁ ଜୀବନକୁ ଫିଙ୍ଗିଦେବାର ତ ଉପାୟ ନାହିଁ । ସୁତରାଂ ସେ ପଥ ବଜ୍ରକଠୋର ପାଷାଣରେ ରୁଦ୍ଧ । ତେବେ କଅଣ କରିବି ? ନା, କିଛି ନା, ସବୁ ନୀରବରେ ସହିଯିବି–ଏହାହିଁ ସହଜ ଉପାୟ । ତାହା ବି ଆସି ଘଟିଲାଣି ମା । ସବୁ ତ ସହିଯାଉଛି, ତୋର ଶୋକଟା ବା କେତେ ଦିନ ଥାନ୍ତା ? ହାୟ, ନିଷ୍ଠୁର ହୃଦୟ । ତୁ ଫାଟିଯା, ନିର୍ମମ ସଂସାର, ତୁ ପୋଡି ଯା । ଆଉ ଠକ ସ୍ନେହ, ତୁ ମରିଯା । କଅଣ କହିବି ମା, ମୁଁ ତୋତ ବି ପାଶୋରିବାକୁ ବସିଲିଣି। କାହିଁ ପ୍ରଥମ ଦିନର ଶୋକ, ହା-ହତାଶ, ଅଶ୍ରୁ-ପ୍ରବାହ ଦ୍ୱିତୀୟ ଦିନକୁ ଊଣା ହାଇ ଆସିଲା ମା । ସେ ମାୟା, ସେ ମୋହ, ସେ ସ୍ନେହ, ସେ ମମତା ସବୁ କୁଆଡେ ଉଭେଇ-ଗଲା । ଯେଉଁଗୁଡ଼ାକ ଲାଗି ମୁଁ ଏତେ ବ୍ୟାକୁଳ ହେଉଥିଲି, ଏବେ ଜାଣିଲି-ସେଗୁଡାକ ତୁଚ୍ଛା ଭେଳିକିବାଜି । ସେଗୁଡ଼ାକ ମୋତେ କି ନିର୍ଦ୍ଦୟ ପରିହାସ କଲେ । ତାଙ୍କ ସଂସର୍ଗର ଫଳ ଏତିକି ହେଲା ଯେ-ଇଚ୍ଛାରେ, କ୍ଷୋଭରେ ମୁଣ୍ତ ତଳକୁ ହେଲା । ସେହି କ୍ଷଣସ୍ଥାୟୀ ଉତ୍ତେଜନାର ବ୍ୟର୍ଥ ବିକାରଗୁଡାକ ମାଟିରୁ ବାହାରିଥାଏ, ପୁଣି ମାଟିରେ ମିଶି ମାଟି ହୋଇଯାଏ । ମନୁଷ୍ୟକୁ ବିଧାତା କେତେ ବେଶ ପିନ୍ଧାଇ, କେତେ ସୁଆଙ୍ଗ ରୂପରେ ସଜାଇ ନଚାଏ-ହସାଏ-କନ୍ଦାଏ, ପୁଣି ସବୁ କୁଆଡେ ମିଳେଇଯାଏ । ସେହି ସ୍ନେହ, ମୋହ ପ୍ରଭୃତି ଅସଭ୍ୟ ଇତରଗୁଡାକ ଦାନ୍ତ ଦେଖାଇ ହସି ବିଦ୍ରୁପ କରି ବୁଲନ୍ତି । ସେ ଲାଞ୍ଚନା, ସେ ଅପମାନରେ ମର୍ମସ୍ଥଳ ବିନ୍ଧଉଠେ ମା ।

 

ଛି, ମନୁଷ୍ୟ ଏଡ଼େ ଭ୍ରାନ୍ତ, ଏଡ଼େ ନିର୍ବୋଧ, ଏଡ଼େ ନିର୍ଲ୍ଳଜ୍ଜ ଯେ, ସେହିମାନଙ୍କ ଶିଖାଣରେ ପଡି ନିଜକୁ ସେ ଭୁଲିଯାଏ । ଅଧିକ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ମନୁଷ୍ୟ ସେହି ପ୍ରତାରକମାନଙ୍କଦ୍ୱାରା ବାରମ୍ୱାର ପ୍ରତାରିତ ହୋଇ ସୁଦ୍ଧା ବେଳେ ବେଳେ କୁକୁର ପରି ସେମାନଙ୍କ ପଛେ ଗୋଡ଼ାଇଥାଏ। ହାୟ, ମନୁଷ୍ୟକୁ ଲୋକହସା କରି ହଟହଟାରେ ପକାଇଲେ କି ବିଧାତାର ଏତେ ଆନନ୍ଦ ହୁଏ ? ଅନେକ ଥର କହେ–ସ୍ନେହଟା ବଡ ଦଗାଦିଅ କୁସଙ୍ଗୀ, ଆଉ ତାହାର ପାଖି ପଶିବି ନାହିଁ; କିନ୍ତୁ ମା ଚଣ୍ତାଳ ସ୍ନେହ ବଳେ ବଳେ ଆସି ମୋତେ ଜାକିଧରେ । ସ୍ନେହକୁ ଭୁଲିଲେ, ତୋତେ ଭୁଲନ୍ତି; ମାତ୍ର ତାହା ପାରୁଛି କାହିଁ ? ତୋର ଠାକୁର ପୂଜା, ତୋର ସୁନ୍ଦର କୁନି ହାତ ଚଖଣ୍ତି ସବୁବେଳେ ଆଖି ଆଗରେ ନାଚି ବୁଲୁଚି । ତୁ ଯେତେବେଳେ ଠାକୁରଙ୍କୁ ଦେବା ପାଇଁ ତୋର ଫୁଲ ହାତରେ ଫୁଲଟିଏ ଧରୁ, ତେତେବେଳେ ଫୁଲ ଉପରେ ଫୁଲ ଫୁଟିଲା ପରି ଦିଶେ । ଠାକୁରଙ୍କ ଶ୍ରୀଚରଣରେ ଦୁଇଟି ଫୁଲ ଏକା ଥରକେ ଉତ୍ସର୍ଗତ ହୁଏ । ତୋର ସ୍ନିଗ୍‌ଧ କୋମଳ ହାତଟି ତ ଗୋଟିଏ ସ୍ୱର୍ଗୀୟ ସୁନା-ଫୁଲ ତୁ ଆଉ ଅନ୍ୟ ଫୁଲ କାହିଁକି ଦେଉ ମା ? ସେ ହାତର ମଧୁର ସ୍ପର୍ଶ ପରି ଫୁଲ ସ୍ପର୍ଶ ହେବ ନାହିଁ ମା । କିନ୍ତୁ ହାୟ, ତୋର ମୃତ୍ୟୁବେଳେ ଦେଖିଛି ମା, ତୋର ଫୁଲ ପରି ସୁନ୍ଦର ଛୋଟ ହାତ ଦୁଇଟି ଛିନ୍ନଲତା ପରି ଅବଶ ହୋଇ ପଡିଲା । ସୁଗୋଲ, ସୁତଳ, କ୍ଷୁଦ୍ର ମସ୍ତକଟି ଛିନ୍ନ ମୃଣାଳ ପଦ୍ମଫୁଲ ପରି ବିଛଣାରେ ତଳିପଡି ଲୋଟିଲା । ଆଉ ସେ ନିଦାରୁଣ ଦୃଶ୍ୟ ଦେଖି ମୋର ଆଖି ଫୁଟି ନ ଯାଇ ଅକ୍ଷତ ରହିଲା–ଏହାଠାରୁ ବଳି ଆଶ୍ଚର୍ଯ୍ୟ କଅଣ ହୋଇପାରେ ? ମନୁଷ୍ୟର ଆଖି ଲୁହାରେ ତିଆାରି । ସେ ସବୁ ଅଗ୍ନିଦୃଶ୍ୟ ସହିପାରେ । ମୁଁ ଅନର୍ଗଳ ଅଶ୍ରୁଧାର ବି ଉଦ୍‌ଗାର କରିପାରେ । ତାହାର ଅସହ୍ୟ କିଛି ନାହିଁ । ଯେଉଁ ସଂସାରର ଏହା ଖେଳ, ସେ ସଂସାର ପାଦରେ ତୁ ଦୂରରୁ ଜୁହାର କରି ଯାଇଛୁ ମା–ତୁ ଭାଗ୍ୟବତୀ ।

 

ତୋର ସ୍ନେହର ଶାସନ କି ମଧୁର ମା । ଜଳଖିଆ ଘେନି ବସି ମୋତେ ଖାଇବାକୁ ଡ଼ାକୁ; ମାତ୍ର ମୁଁ ମନା କଲେ ତୁ କଅଣ କହୁ ? କହୁ ପରା ନ ଖାଇଲେ ମୁଁ କାନ୍ଦିବି ।’’ ଏହି କଥା ପଦକରେ କି ଅମୃତ ଅଛି–କି ଅଗାଧ ସ୍ନେହ ଅଛି–କି ଘନିଷ୍ଠ ଆତ୍ମୀୟତା ଅଛି, ତାହା ଭୁକ୍ତଭୋଗୀ ଛଡା ଆଉ କିଏ ବୁଝିବ ? ତୋର ଏ କଥା ଶୁଣି ମୋ ବୁଦ୍ଧି ବଣା ହୋଇଯାଏ । କାନ୍ଦିବା ତ ତୋର ଅବ୍ୟର୍ଥ ବ୍ରହ୍ମାସ୍ତ୍ର । ସେଥିରେ ମୋର ନାହିଁ କରିବା କୁଆଡ଼େ ଧୂଳି ହୋଇ ଉଡ଼ିଯାଏ । ଏଭଳି ମଧୁର ଶାସନ ଯାହା ବାଗ୍ୟରେ ଘଟିଛି, ତାହାଠାରୁ ଭାଗ୍ୟଧର କିଏ । ସେହି ସିନା ମର୍ତ୍ତ୍ୟରେ ଅମୃତ ଭୋଗର ଅଧିକାରୀ । ପ୍ରବଳ ରାଜ୍ୟଶାସନ ଅନ୍ୟଥା ହୋଇପାରେ; ମାତ୍ର ସ୍ନେହର ଶାସନ ଅନ୍ୟଥା କରିବାକୁ ଛାତି କାହାର ଅଛି ? ସ୍ନେହର ଶାସନ ପାଖରେ ମସ୍ତକ ସ୍ୱତଃ ଅବନତ ହୋଇପଡ଼େ । ଏହି ସବୁ କଥା ମନରେ ପଡ଼ିଲେ ମନ କଅଣ ହୁଏ ? ହରି ହେ, ମୋତେ ଏ ପ୍ରାଣଫଟା ଦୃଶ୍ୟଆଣି ଦେଖାଉଛି କିଏ ? ତୁମ୍ଭେ ନା ତୁମ୍ଭର ସେହି ମାୟା ? ନିଜେ ଆଣି ଦେଖାଇ, ପୁଣି ତାକୁ ଭୁଲିଯିବାକୁ କୁହଛ ? ଏ କିପରି ବିଷମ ସମସ୍ୟାର କଥା ପ୍ରଭୁ । ଯାହାକୁ ଯେ ଦେଖେ, ତାକୁ ସେ ଭୁଲିବ କିପରି ? ତୁମ୍ଭର ଏ ସୃଷ୍ଟିରେ ତୁମ୍ଭେ ସମସ୍ତଙ୍କୁ ସବୁବେଳେ ଦେଖୁଛ, କାହିଁ ବେଳେ ହେଲେ କାହାକୁ ଭୁଲିପାରୁଛ କି ? ସବୁ କଥା କି ତୁମ୍ଭର ଛଳ ଶ୍ଳେଷରେ ପୂର୍ଣ୍ଣ । ନିଜେ ଯାହା ନ ପାରିବ, ଅନ୍ୟକୁ ତାହା କରିବାକୁ କହିବାଟା କଅଣ ପ୍ରଭୁପଣ ହେ ମହାପ୍ରଭୂ । ମୂର୍ତ୍ତିଟିକୁ ତ ତୁମ୍ଭେ ନେଇଯାଅ, ଆଉ ସ୍ମୁତିଟି ରଖିଯାଅ କାହିଁକି ? ସ୍ମୁତି ଯେଉଁ ଯନ୍ତ୍ରଣା ଦିଏ, ତାହା କି ତୁମ୍ଭେ ଅନୁଭବ କର ? କାନ୍ଦରେ ଅବା ସେ ଯନ୍ତ୍ରଣାରୁ ନିସ୍ତାର ମିଳନ୍ତା; ମାତ୍ର ତୁମ୍ଭେ କନ୍ଦାଇଦେଉଛ କାହିଁ ? ଯେତେ ଦିନଯାଏଁ କାନ୍ଦିପାରୁଥିଲି, ତେତେ ଦିନଯାଏଁ ବେଦନା ଊଣା ଥିଲା । ଏବେ ତ ଆଉ କାନ୍ଦିପାରୁ ନାହିଁ, ଶୋକର ତୀବ୍ର ଉତ୍ତାପରେ ଅଶ୍ରୁଝରଣାର ଧାର ମରିଗଲାଣି କିମ୍ୱା କେଉଁ ଦୂରନ୍ତ ଅପଦେବତା ଅଶ୍ରୁଝର ମୁହଁରେ ପ୍ରକାଣ୍ତ ପାଷାଣ ଚାପ ଦେଇ ସ୍ରୋତ ରୁଦ୍ଧ କରି ଦେଇଛି । ଆଉ ତ କାନ୍ଦିପାରିବି ନାହିଁ । ହାୟ, ଏ ଦୁଃଖ ଏ ବ୍ୟଥା, ବେଦନା କେଉଁଠି ରଖିବି ? ପ୍ରଭୁ ମୋତେ କାନ୍ଦିବାକୁ ଦିଅ, ସେହିଥିରେ ମୋର ଶାନ୍ତି ଅଛି–ସାନ୍ତ୍ୱନା ବି ଅଛି । କାନ୍ଦିବା ସୁଖ କଅଣ ତୁମ୍ଭେ ଜାଣ ନାହିଁ ହରି । କାହୁଁ ବା ଜାଣିବ ? ତୁମ୍ଭେ ତ ଚିର ଆନନ୍ଦମୟ । କ୍ରନ୍ଦନ ମାହାତ୍ମ୍ୟ ବୁଝିବା ତୁମ୍ଭ ପକ୍ଷରେ ସମ୍ଭବ ନୁହେଁ । ଯେ କାନ୍ଦ ନ ଜାଣେ, ସେ ସଂସାରରେ ଜୀବନର ଗୋଟିଏ ପ୍ରଧାନ ସୁଖରୁ ବଞ୍ଚିତ । ବିଶ୍ୱବନ୍ଧୁ, ମୋତେ କାନ୍ଦିବା ପାଇଁ ଶକ୍ତି ଦିଅ ଓ ଅବକାଶ ଦିଅ ମୁଁ ପ୍ରାଣ ଭରି କାନ୍ଦେ । ତୁମ୍ଭର ଏ ସେବକ ହାସ୍ୟରଙ୍କ ନୁହେଁ ପ୍ରଭୁ । ଅନେକ ଥର ଅନେକ କଥା କଳ୍ପନା କରେ, ମାତ୍ର ଶେଷରେ କିଛି କୂଳକିନାରା ପାଏ ନାହିଁ । ଅତୀତରେ ଅଚଳ ଗର୍ଭସ୍ଥ ମହା-ଯବନିକା ଫେଡ଼ି କିଏ ଦେଖାଇବ ? କିଏ କହିବ ସେ ପୂର୍ବଜନ୍ମରେ ମୋର କଅଣ ଥିଲା ? ତେବେ କଅଣ ଶତ୍ରୁ ଥିଲା ? ସେ ଜନ୍ମର ପ୍ରତିଶୋଧ ନେବାକୁ ଅକ୍ଷମ ହୋଇ ଜନ୍ମାନ୍ତରରେ ବି ତାହା ନ ପାଶୋରି ଛଦ୍ମ ବେଶରେ ଆସି ଶତ୍ରୁତା ସାଧନ କରି ଗଲା ! ବ୍ୟାଜ ସ୍ନେହରେ ମୋର ଆପାଦମସ୍ତକ ଛନ୍ଦ ମୋର ବିସ୍ତର କ୍ଷତି କରି ଚାଲିଗଲା । ଯେଉଁ ମନସ୍ତାପ ଦେଇଗଲା, ତାହା ଶୀତଳ ହେବାର ନୁହେଁ ଅଥବା ମୁଁ ତାହାର ଋଣୀ ଥିବି, ସେ କୌଶଳରେ ୠଣ କଳନ୍ତର ପରିଶୋଧ କରିନେଇ ଚାଲିଗଲା । ୠଣୀ ଥିଲେ, ମୁଁ ତାହା ଥିବି ସିନା, ମାତ୍ର ସେ କଦାପି ମୋର ୠଣୀ ନୁହେଁ । ସେ ୠଣୀ ଥିଲା ବୋଲି ମୋର ବିବେକ ଦେବତା ଶତ ବାର କହିଲେ ସୁଦ୍ଧା ମୁଁ ତିଳେ ବିଶ୍ୱାସ କରିବି ନାହିଁ । କେହି ତମ୍ୱା ତୁଳସୀ, ଶାଳଗ୍ରାମ ଧରି କଠୋର ନିୟମ ପକାଇ କହିଲେ ବି ମୁଁ ମାନିବି ନାହିଁ । ମୁଁ ଜାଣେ ସେ ନିଶ୍ଚୟ ଦେବତା ଥିଲା । ଦେବତା କି କେବେ କାହାର ୠଣୀ ହୋଇପାରନ୍ତି ?

 

ହରି ହେ, ଗୋଟାଏ କଥାରେ ମନରେ ଭାରୀ ସନ୍ଦେହ ହୁଏ । ମନୁଷ୍ୟ ଏ ପାଖକୁ ଆସି ଯେପରି ଗୋଟାଏ ପରିବାରର ଆଶ୍ରୟ ପାଏ, ସେ ପାଖକୁ ଗଲେ ସେହିପରି ଗୋଟାଏ ପରିବାର ପାଏ କି ? ତାହା ଯେବେ ପାଉଥାଏ, ତେବେ ମୋର ଉମା ବି ତ ଗୋଟାଏ ଆଶ୍ରୟ ପାଇଥିବ ! ଗୋଟାଏ ପରିବାର ବି ତ ତାକୁ ଆତ୍ମୀୟ କରି ନେଇଥିବ ? ତେବେ ତାହା ଲାଗି ମୋର ଚିନ୍ତା ବା ଦୁଃଖ କାହିଁକି ? ସେ ଯେଉଁଠି ଯାହା ପାଖରେ ଥାଉ, ସୁଖରେ ଥିଲେ ତେତିକି ମୋର ପରମ ସୁଖ-। ଜ୍ଞାନୀ, ପଣ୍ଡିତମାନେ ଏ କଥାରେ ହସନ୍ତୁ ପଛକେ–ମୋର ଏ ସିଦ୍ଧାନ୍ତକୁ ଅଦ୍ଭୁତ ସିନ୍ଧାନ୍ତ କହି ଉଡ଼ାଇଦେଉନ୍ତୁ ପଛେ; ମାତ୍ର ମୋର ଯେତିକି ଜ୍ଞାନ, ଯେତିକି ବିଶ୍ୱାସ, ମୁଁ ସେହି ଅନୁପାତରେ କହିଛି । ମୋତେ ଯାହା ଦିଶିଲା, ମୁଁ କହିଲି । ତାହା ଭୁଲ ହେଲେ ବି ମୋର ଶୋଚନା ନାହିଁ । ଜନ୍ମ ମୃତ୍ୟୁର ନିଗୁଢ ରହସ୍ୟ କିଏ ଭେଦ କରିପାରିବ ? ଜୀବସୃଷ୍ଟି ରୂପ କାଳର ଖାଦ୍ୟ କେଉଁଠି ତିଆରି ହୁଏ, ପକ୍ଷୀ ପଲ ପରି ଜୀବସୃଷ୍ଟି କେଉଁଠୁ ଉଡ଼ିଆସି ପୁଣି କେଉଁଠିକି ଉଡିଯାଏ, ତାହା କିଏ ଦେଖିଛି-? କେଉଁଠି କେଉଁ କାରଖାନାରେ ଜନ୍ମମୃତ୍ୟୁ ଗଢାହୁଏ, ସେ ଅଜ୍ଞାନ ରାଜ୍ୟର କଥା କିଏ କିପରି କହିପାରିବ ? ଜନ୍ମମୃତ୍ୟୁ ସତ କି ମିଛ–ପ୍ରକୃତ କି ସ୍ୱପ୍ନର ବିକାର, ସ୍ଥୂଳରେ ଜନ୍ମ ମୃତ୍ୟୁ ବୋଲି କିଛି ଅଛି କି ନାହିଁ, ତାହା କିଏ ଜାଣେ ? କି ଜଟିଳ ଗୋଲକଧନ୍ଦା ତୁମ୍ଭେ ସୃଷ୍ଟି କରିଛ ପ୍ରଭୁ-? ତାହା ଭିତରେ କିଏ ବାଟ ପାଇବ ? ଶାସ୍ତ୍ର ପୁରାଣ ତ ଅନୁଭବର କଥା ନୁହେ–ଅନୁମାନର କଥା-। ସେହି ଶୂନ୍ୟମୟ ଅନୁମାନ ଉପରେ ଦୃଢ ନିର୍ଭର କରି ହୁଏ ନାହିଁ । ମନୁଷ୍ୟ ବଡ଼ ଦାର୍ଶନିକ ଜାତି-। ସେ ଦୃଷ୍ଟ ଛଡ଼ା ଅଦୃଷ୍ଟକୁ ସ୍ୱୀକାର କରେ ନାହିଁ । ସେ ଯାହା ଦେଖେ, ତାକୁ ସତ ମଣେ; ଅଦେଖା ପ୍ରତି ତାହାର ଅବିଶ୍ୱାସ ସ୍ୱାଭାବିକ ।

 

ଧର୍ମର କଷଣ ଚାରି ଯୁଗରେ ଅଛି ପ୍ରଭୁ ! ବଳି ରାଜା ଧର୍ମ କରି ପାତାଳକୁ ଗଲା, ଦଶରଥ ଧର୍ମରକ୍ଷା କରି ପ୍ରିୟ ପୁତ୍ର-ବିଚ୍ଛେଦରେ ପ୍ରାଣତ୍ୟାଗ କଲେ–ଏପରି ଦୃଷ୍ଟାନ୍ତ ଆହୁରି ଅନେକ ଅଛି । ଧର୍ମ କଅଣ ବା ଧର୍ମସାଧନର ଉତ୍କୃଷ୍ଟ ପନ୍ଥା କଅଣ, ତାହା ମୁଁ ଜାଣେ ନାହିଁ, କି ଜାଣିବା ଭଳି ଜ୍ଞାନ ଶକ୍ତି ମୋର ନାହିଁ । ଧର୍ମ ମହାନ୍‌ ମୁଁ କ୍ଷୁଦ୍ର–ସୁତରାଂ ଧର୍ମକୁ ସମ୍ପୁର୍ଣ୍ଣ ଧାରଣା କରିବି କିପରି ? ତଥାପି ମୋଟା ବୁଦ୍ଧିରେ ମୋଟାମୋଟି ବୁଝିଛି ଯେ, ‘‘ହିଂସା, ଲୋଭ ଓ ଗର୍ବ ନ କରିବା, ମିଛ ନ କହିବା, ଈଶ୍ୱର ବିଶ୍ୱାସ କରିବା–ଏହାହିଁ ଧର୍ମ, ଏତିକିମାତ୍ର ମୁଁ ଜାଣେ । ମୋର ଧର୍ମ ଏହି କ୍ଷୁଦ୍ର ଗଣ୍ଡି ମଧ୍ୟରେ ଆବଦ୍ଧ, ଅତୀତ ମଧ୍ୟରେ ପଶି ଖୋଜୁଛି; ମାତ୍ର ନିଜର ଜ୍ଞାନକୃତ ଅକର୍ମ କିଛି ପାଉ ନାହିଁ । ଆଉ ଅଜ୍ଞାନରେ କଅଣ ହୋଇଥିବ, ତାହା ସେହି ଅଜ୍ଞାନ ଜାଣେ–ସେଥିପାଇଁ ସେହି ଏକା ସମ୍ପୂର୍ଣ୍ଣ ଦାୟୀ । ତେବେ ମୋତେ ଦେଇଥିବା ରତ୍ନଟି ଛଡ଼ାଇନେଇ କେଉଁ ଅପରାଧରେ ପ୍ରଭୁ ? ଧର୍ମ ବାଟରେ ଚାଲୁ ଚାଲୁ ଦଣ୍ଡ ପାଇଲେ ମନୁଷ୍ୟର ତଳ ତଳ ତରଳ ଚଞ୍ଚଳମତି ବଦଳିଯିବା ଅସମ୍ଭବ, କଅଣ ? ଏହାକୁ ତୁମ୍ଭେ ପରୀକ୍ଷା ବୋଲି କହିଯାଇ; ମାତ୍ର ତାହା ବିଚିତ୍ର କଥା । ତୁମ୍ଭେ ତ ମୋର ପ୍ରାଣର ପରମ ଗୁରୁ । ତୁମ୍ଭେ ଯାହା ଶିଖାଇବ, ମୁଁ ତାହା ଶିଖିବି । ଆଉ ଅଧିକ ଗୋଟିଏ ମାହାଳିଆ ପରୀକ୍ଷା କଅଣ କରିବ ? ଧୈର୍ଯ୍ୟ ନିଷ୍ଠାର ପରୀକ୍ଷା ତ ? ତୁମ୍ଭେ ଯେତିକି ଦେଇଛ, ମୁଁ ତାହାଠାରୁ ଅଧିକ ଆଉ କେଉଁଠୁ ଆଣିବି ? ଯେବେ ନିତାନ୍ତ ପରୀକ୍ଷା ନ କଲେ ନ ଚଳେ, ତେବେ ଏତେ କଠୋର ପରୀକ୍ଷା ଛଡ଼ା ଆଉ କିଛି କଅଣ ଥିଲା ନାହିଁ ? ତୁମ୍ଭର ଉଦ୍ଧେଶ୍ୟ ତୁମ୍ଭେ ଏକା ବୁଝ ପ୍ରଭୁ !

 

ପ୍ରଭୁ, ତାକୁ କିଛି ଉପହାର ଦେବା ସକାଶେ ପ୍ରାଣ କାନ୍ଦୁଛି । କିନ୍ତୁ ସେ ତ ଚିର ପବିତ୍ର, ପୁଣି ବର୍ତ୍ତମାନ ପବିତ୍ର ଧାମରେ–ପବିତ୍ର ମେଳରେ ଅଛି । ପାର୍ଥିବତାରେ କଳୁଷିତ ମୋର ଉପହାର ସେ ଗ୍ରହଣ କରିବ କାହିଁକି ? ତେବେ ଗୋଟାଏ ଆଶା ଅଛି ଯେ, ତୁମ୍ଭରି, ହସ୍ତରେ ସେ ଉପହାରଟି ଦେଇପଠାଇଲେ, ତୁମ୍ଭ ପୂଣ୍ୟକର ସ୍ପର୍ଶରେ ତାହା ପବିତ୍ର ହୋଇଯିବ; କିନ୍ତୁ କି ଅପୂର୍ବ ଚିଜ ଉପହାର ଦେବି ? ସେ ଯେଉଁଠାରେ ଅଛି, ସେଠାରେ କଅଣ ଅବା ଦୁର୍ଲ୍ଲଭ ? ଶୁଣୁଛି, ସେ ରାଜ୍ୟରେ ସବୁ ଅଛି–ନାହିଁ କେବଳ ଅଶ୍ରୁ । ଯେଉଁଠି କ୍ଷୁଧା, ତୃଷା ଶୋକ, ତାପ ନାହିଁ–ସେଠାରେ ଅଶ୍ରୁ କାହୁଁ ଆସିବ ? ସେହି ପ୍ରେମମୟ ଅନଶ୍ରୁ ରାଜ୍ୟରୁ ଅଶ୍ରୁ ଉପହାର ଏକା ଉପଯୁକ୍ତ । ସ୍ନେହର ସୁନା କାରରେ ଗୁନ୍ଥା ମୋର ଏହି ଅଶ୍ରୁ ମୁକ୍ତାହାରଟି ଗ୍ରହଣ କର, ଦୟାମୟ ! ମୋର ଏହି ଉପହାର ସେ ତୁମ୍ଭ ହସ୍ତରୁ ପାଇଲେ ଅତି ଆଦରରେ, ଅତି ଆଗ୍ରହରେ ଗ୍ରହଣ କରିବ–ଏ ଧାରଣା ମୋର ଷୋଳ ପଣ ଅଛି, ପ୍ରଭୁ !

 

ଭଗବାନ, ତୁମ୍ଭେ କି ବିଚିତ୍ର ଇନ୍ଦ୍ରଜାଲ ସୃଷ୍ଟି କରିପାର ! ପ୍ରତି ଲିତା, ପ୍ରତି ମୁହୂର୍ତ୍ତ ଭିତରେ କଅଣ ଲୁଚି ରହିଛି, ହଠାତ୍‌ କି ଘଟନା ଆସି ହାବୁଡିଯିବା, ତାହା କିଏ ଜାଣିପାରିବ ? ଯେ ଆଖି ଆଗରେ ଥିଲା, ଟିକିଏ ଆଖିପିଞ୍ଛଡା ନ ପଡୁଣୁ ସେ ଯାଇ କେଉଁ ଅନନ୍ତ ସୁଦୂର ବ୍ୟବଧାନରେ ଲୁଚିଗଲା, ତାହା ଜାଣି ହେଲା ନାହିଁ । କଥା କହୁ କହୁ କୁଆଡେ ଉଡ଼ିଗଲା । କି ଅଦ୍ଭୁତ, ଅଦୃଶ୍ୟ ଯାନ ବାହନରେ ଚାଲିଗଲା ? କାହାର ଗତି ବା ଏତେ ଚଞ୍ଚଳ ? ମନର ଗତି ତ ସବୁ ଗତିକୁ ବଳିଯାଏ । ଏ ଯେ ମନଠାରୁ ବି ବଳି ଗଲା । ସେ ଗଳ୍ପ ମାତ୍ର ମୋତେ କାନ୍ଦିବା ପାଇଁ ଖାଲି ରଖିଗଲା । ଜୀବନ କି ପଦାର୍ଥ ପ୍ରଭୁ । ତାହାର ଆକାର ପ୍ରକାର ବା ରୂପବର୍ଣ୍ଣ କିପରି ? ଯେବେ ତାହା ସବୁ କିଛି ନାହିଁ, ସେ ଶୂନ୍ୟ, ପୁଣି ଶୂନ୍ୟଟା କୁଆଡ଼େ ଚାଲି ଯାଏ ? କାହିଁ ଯିବାବେଳେ ତକୁ କେହି ଦେଖିପାରେ ନାହିଁ, କେହି ତାହା ଶବ୍ଦ ଶୁଣେ ନାହିଁ -କେହି ତାହାର ଗନ୍ଧ ବୁଝେ ନାହିଁ କିମ୍ବା କେହି ତାହାର ସ୍ପର୍ଶ ସୁଦ୍ଧା ଅନୁଭବ କରିପାରେ ନାହିଁ । ତେବେ ସେ କଅଣ ? ଆଉ ଯାଏ ବା କାହିଁକି କୁଆଡେ ? ଯେବେ ଯାଏ, ତେବେ ଫେରିଆସି ନାହିଁ କାହିଁକି ? ସମସ୍ତେ ତ ଯେଉଁଠୁ ଯାଉଛନ୍ତି, ପୁଣି ସେହିଠିକି ଫେରି ଆସୁଛନ୍ତି । ଚନ୍ଦ୍ର ସୂର୍ଯ୍ୟ ଯେଉଁ ଆକାଶରୁ ଯାଉଛନ୍ତି, ପୁଣି ସେହି ଆକାଶକୁ ଫେରିଆସୁଛନ୍ତି–ଖରା ବର୍ଷା ଶୀତ ପ୍ରଭୃତି ଯେଉଁ ପୃଥିବୀରୁ ଯାଉଛନ୍ତି, ପୁଣି ସେହିଠିକି ଫେରିଆସୁଛନ୍ତି ? ତେବେ ସେହି ଜୀବନ ସେହି ଦେହକୁ ଫେରିଆସୁ ନାହିଁ କାହିଁକି ? ଆଉ ସେ ଜୀବନ ଅବା କିଏ ହରି ! ତୁମ୍ଭର ସତ୍ତା ଛଡ଼ା ଆଉ କିଛି ନା ! ତୁମ୍ଭେ କଅଣ ଯାଇପାରୁଛ; ମାତ୍ର ଫେରିଆସିପାରୁ ନାହଁ ! ଏହା ଯେ ଅତିଠାରୁ ବଳି ଅସମ୍ଭବ ।

 

ଆଚ୍ଛା ପ୍ରଭୁ, ତୁମ୍ଭେ ତ ଇଚ୍ଛାମୟ, ଇଚ୍ଛାକଲେ ସବୁ କରିପାର, ବାସ୍ତବରେ ତୁମ୍ଭେ ଇଚ୍ଛାକଲେ, କ୍ଷୁଦ୍ର ଶିଶୁଟିକୁ କଅଣ ଫେରାଇଆଣିପାରିବ ନାହିଁ ! ସେଥିରେ ତୁମର ବିଧିଭଙ୍ଗ ହେବ ପରା ! ତେବେ ତୁମେ କଅଣ ନିଜ ଶାସନରେ ଶାସିତ ହୁଅ ? ତୁମର କି ବ୍ୟକ୍ତିତ୍ୱ ବା ସ୍ୱାଧୀନତା ବିନ୍ଦୁଏ ବି ନାହିଁ ! ନିଜର ଅଧିକାର ନିଜେ ହରଣ କରିଛି କି ହରି ! ନିଜର ବ୍ୟବସ୍ଥା ତ ନିଜେ ଲଙ୍ଘନ କର ନାହିଁ । ଗୁରୁ ପୁତ୍ରଙ୍କୁ ଯମ ପୁରରୁ ଆଣି ଦେବା ବେଳେ ସେ ବ୍ୟବସ୍ଥା ଅକ୍ଷତ ରହିଲା କିପରି ? ଏ ତ ବଡ଼ କୌତୁକର କଥା । ମୋ ହୃଦୟର କେବେ ଜାଗା ସେ ମାଡ଼ି ବସିଥିଲା, ତାହା କି ତୁମେ ଜାଣ ନାହିଁ । ତାହା ଅଭାବରେ ମୋ ହୃଦୟରେ ଯେଉଁ ବିରାଟ ଭୀଷଣ ଫାଙ୍କ ହୋଇଗଲା, ତାହା କାହିଁରେ ପୂର୍ଣ୍ଣ ହେବ ? ମୋର ଏତେ ସ୍ନେହ, ଏତେ ଆତ୍ମତ୍ୟାଗର ମୂଲ୍ୟ ସେ କଡ଼ାଏ ସୁଦ୍ଧା ଦେଇଗଲା ନାହିଁ । ତାହା ନ ଦେଇ ପଛେ ମୋର ସ୍ନେହ ଓ ଆତ୍ମତ୍ୟାଗରୁ ସୁଦ୍ଧା ବଞ୍ଚାଇପାରିଲା ନାହିଁ, ଏହା କି ଅଳ୍ପ କ୍ଷୋଭ,- ଅଳ୍ପ ଅନୁତାପର କଥା ? ତେବେ ମୁଁ ତାହା ପାଇଁ ଏତେ ଦୁଃଖ ଜ୍ୱାଳା ସହିଚି କାହିଁକି ? ତାକୁ ଯେପରି ମୋ କଥା ପାଶୋରାଇଦେଲ, ମୋତେ ସେହିପରି ତା’ କଥା ପାଶୋରାଇଦିଅ । ଯେ ଯାଇଛି, ସେ ତ ଚିରକାଳ ସକାଶେ ଯାଇଛି। ସେ ଯାଉ, ମନରୁ ଯାଉ, ହୃଦୟରୁ ଯାଉ, ଚିନ୍ତାରୁ ଯାଉ, କଳ୍ପନାରୁ ଯାଉ-ଏକାବେଳକେ ପୋଛିହୋଇଯାଉ; ମାତ୍ର ତାହାରି କଥା ଆଣି ବଳେ ବଳେ ମନ ଭିତରେ, ପ୍ରାଣ ଭିତରେ ଗୁଞ୍ଜିଦେବଟା । ତୁମର ଆଉ ଉଚିତ ନୁହେଁ, ପ୍ରଭୁ ! କେତେବେଳେ ଟିକିଏ ସାନ୍ତ୍ୱନା ଆଣି ଦେଉଛ, ପୁଣି ମୁହୂର୍ତ୍ତକେ ତାହା ଶୂନ୍ୟରେ ଉଡାଇ ନେଇଯାଉଛ । ଏ ଯେ ଭଗାରୀ ହଟ ପରି ହେଉଛି ଲୀଳାମୟ ! ବେଳ କାଳ ଜାଣି କଅଣ ଏହିପରି ଦାଉ ସାଧନ୍ତି ? ଶାନ୍ତି ଦେଲେ ଦିଅ, ନ ହେଲେ ମୋର ଶୋକ ଥାଉ; ସେହି ଶୋକ ମୋତେ ସାନ୍ତ୍ୱନା ଆଣିଦେବ । ପିଲାଙ୍କ ପରି ଦେଇକରି ଛଡାଇ ନେବାଟା ଯେବେ ତୁମ୍ଭଙ୍କୁ ସୁନ୍ଦର ଦିଶିଲା, ତେବେ ଦିଶୁ । ମୋତେ ଶାସ୍ତି ଦେବାଟା ଯେବେ ତୁମର କୌତୁକ ହୁଏ, ତେବେ ସେ କୌତୁକରେ ମୁଁ ବାଧା ଦେବି ନାହିଁ । ସେଥିରେ ତୁମେ କଣିକାଏ ଆନନ୍ଦ ପାଇଲେ ମୋର ସେତିକି ଲାଭ । କ୍ଷୁଦ୍ର ଭୃତ୍ୟ ସକାଶେ ମହାନ୍‌ ପ୍ରଭୁ ଯେବେ ଆନନ୍ଦ ଲାଭ କରନ୍ତି, ତେବେ ଭୃତ୍ୟ ପକ୍ଷରେ ତାହାଠାରୁ ବଳି ସୌଭାଗ୍ୟର ବିଷୟ-ଗୌରବର ବିଷୟ ଆଉ କଅଣ ହୋଇପାରେ ? ଏମନ୍ତ କି ମୁକ୍ତିର ମୂଲ୍ୟ ତାହାଠାରେ ତୁଚ୍ଛ ।

 

ଶେଷ ଦିନ ଆଉ କେତେ ଦୂରରେ ଅଛି, ପ୍ରଭୁ ? ମୁଁ ଜୀବନ ଯେତିକି ଅଗ୍ରସର ହେଉଛି, ସେତିକି ନିକଟ ହୁଅନ୍ତା କଅଣ, ଅଧିକ ଦୂରକୁ ଘୁଞ୍ଚି ଯାଉଛି । ଅକର୍ମା ଲୋକକୁ ଏଡେ ଦୀର୍ଘାୟୁ କାହିଁକି କର ହରି ? ଯେଉଁ ମାନେ ତୁମ୍ଭ ସୃଷ୍ଟିର ଉନ୍ନତି କରିବେ, ସେମାନଙ୍କୁ ଦୀର୍ଘାୟୁ ପ୍ରଦାନରେ କାହିଁକି ବା କୃପଣତା ପ୍ରକାଶ କର ? ଅକର୍ମାଙ୍କ ଆୟୁ ନେଇ ତାଙ୍କୁ ଦେଲେ ତ ହୁଅନ୍ତା-! ନିଜର ଦେହଭାର ରହିବାକୁ ଯେ ଅକ୍ଷମ, ତାକୁ ଅଧିକ ଦିନ ବଞ୍ଚାଇ ରଖି ପୃଥିବୀର ବ୍ୟର୍ଥ ଭାର ବୃଦ୍ଧି କର ସିନା ! କାଳ-ସମୁଦ୍ରର ଲୁଣୀ ପବନ ବାଜି ଯାହାର ହାଡ଼ ରସିଗଲାଣି–ଦୁଷ୍ଟ ଜରା ଯାହା ଦେହରେ ଘୂଣ ଲଗାଇ ଛିଦ୍ରମୟ କରି ସାରିଲାଣି ଜୀବନ ଯାହା ବକ୍ଷରେ ମୃତ୍ୟୁଠାରୁ ଅମଙ୍ଗଳ ଦାୟକ ହେଲାଣି–ମୃତ୍ୟୁକୁ ଯେ ଆଦର ଆଗ୍ରହରେ ଆଲିଙ୍ଗନ ହେଲାଣି–ମୃତ୍ୟୁକୁ ଯେ ଆଦର ଆଗ୍ରହରେ ଆଲିଙ୍ଗନ କରିବାକୁ ଅଧୀର ହୋଇଉଠିଲାଣି–ସଂସାର ଯାହାକୁ ଶ୍ମଶାନ ପରି ବୋଧ ହେଲାଣି, ତାକୁ ଅଟକାଇ ରଖି ଲାଭ କଅଣ ପ୍ରଭୁ ! ତାହା ତୁମ୍ଭେ ଏକା ଜାଣ; ମାତ୍ର ତାହା ଭାବିଲେ ମନୁଷ୍ୟର ବୁଦ୍ଧି ବଣା ହୋଇଯାଏ ।

 

ଏ ସଂସାରରେ କେହି ଅମର ନୂହେଁ । ‘‘ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହୋଇ, ଦେବତା ହୋଇଲେ ମରଇ ।’’ ମୁଁ ବି ଦିନେ ମରିବି । ତାହାର ଭୋଗ ଶେଷ ହେଲା ସେ ଚାଲିଗଲା । ଦିନେ ତ ଯାଇଥାନ୍ତା, ଆଜି ଜାଣି ସେହିଦିନ ଉପସ୍ଥିତ ହେଲା । ଏହିପରି କେତେ ସାନ୍ତ୍ୱନା ଚିତ୍ତ-ଦର୍ପଣରେ ଭାସି ଉଠୁଛି, ପୁଣି କି ଗୋଟିଏ ନିବିଡ ଛାୟା ଆସି ତାକୁ ଘୋଡ଼ାଇ ପକାଉଛି । ଏ କଅଣ ପ୍ରଭୁ । ମୁଁ ଯାହା ଜାଣୁଛି, ମୂହୂର୍ତ୍ତକ ପରେ ପୁଣି ତାହା ଭୁଲିଯାଉଛି–ଓହୋ କି ଆଶ୍ଚର୍ଯ୍ୟ ବ୍ୟାପାର ! ମୋହ ତୁଟିଗଲାକ୍ଷଣି ଏ ଦୁର୍ବଳତା ସ୍ମରଣ କରି ବଡ ଦୁଃଖରେ ମୁଁ ନିଜେ ମୋତେ ପଚାରେ–ତେବେ ମୋର ଜ୍ଞାନ କେତେ ଟିକିଏ ହୋଉଛି କାହିଁକି ? ସେହିକ୍ଷଣି ନିଜ ଭିତରୁ ଉତ୍ତର ବାହାରିପଡେ–ନା, ଜ୍ଞାନ କିଛି ହୋଇ ନାହିଁ । ତହୁଁ ଦାରୁଣ ଲଜ୍ଜା ଓ ଅସ୍ତ୍ରାଧିକାରରେ ହୃଦୟ ବିଷାକ୍ତ ହୋଇଉଠେ । ନିଜ ପାଖରେ ନିଜକୁ ହଟହଟା ହେବାକୁ ପଡ଼େ । ଚାରିଆଡ଼େ କାହାର ନୀରବ ନିର୍ଦ୍ଦୟ ପରିହାସ ଶୁଣଯାଏ । ସତ୍ୟ କଥା କହିବାକୁ ଗଲେ ଜ୍ଞାନର ବଡ଼େଇ ଅବା କଅଣ କରିବି ? ଅର୍ଜୁନ ପରି ମହାତ୍ମାଙ୍କୁ ତୁମ୍ଭ ନିଜ ଶ୍ରୀମୁଖରେ କେତେ ଭିନ୍ନ ଭିନ୍ନ କରି ବୁଝାଇଲ, ତେବେ ବି ତ ସେ କିଛି ବୁଝିପାରିଲେ ନାହିଁ । ଶେଷରେ ବିଶ୍ୱରୁପ ଦେଖାଇ ବିଶ୍ୱାସ ଜନ୍ମାଇଲ । ଅର୍ଜୁନ ଜଗତର ଆଦର୍ଶପୂର୍ଣ୍ଣମାନବ ହୋଇ ସୁଦ୍ଧା ତ ତୁମ୍ଭର ଜ୍ଞାନୋପଦେଶ ବୁଝିପାରିଲେ ନାହିଁ, ମୁଁ ନଗଣ୍ୟ ଅବ କେଉଁ ଛାର ଯେ, ଖାଲି ଆପେ ଆପେ ବୁଝିଯିବି ? ତୁମ୍ଭର ବିଶ୍ୱରୂପ ଦେଖିବା ଦୂରେ ଥାଉ, ସ୍ୱରୂପ ବି ଦେଖି ନାହିଁ । ‘ମୁଁ’ ଆଉ ‘ମୋର’ ଏ ଦୁଇଟି ଥିବାଯାଏଁ ଜ୍ଞାନ ସଙ୍ଗରେ ସ୍ୱପ୍ନରେ ବି ସାକ୍ଷାତ୍‌ ହେବ ନାହିଁ । ଏ ଦୁଇଟିଙ୍କୁ ଛାଡ଼ିବାକୁ ମୋର ଚାରା କଅଣ ପ୍ରଭୂ ? ମୁଁ ତାଙ୍କୁ ଛାଡ଼ିଲେ ସୁଦ୍ଧା ସେ ମୋତେ ଛାଡ଼ି–ଯିବେ ନାହିଁ । ‘‘କମଲି ନେହି ଛୋଡ଼ତା ହେ’’- ଭକ୍ତର ଏ ଉକ୍ତି ମିଛ ନୁହେ ହରି ! ତୁମ୍ଭେ ଜ୍ଞାନ-ସ୍ୱରୁପ, ମୁଁ ତୁମ୍ଭର ସନ୍ତାନ; କିନ୍ତୁ ଏଡ଼େ ଦୁର୍ଭାଗ୍ୟ ଯେ, ଜ୍ଞାନର ସନ୍ତାନ ହୋଇ ସୁଦ୍ଧା ମୁଁ ଅଜ୍ଞାନ-ଅମୃତର ପୁତ୍ର ହୋଇ ସୁଦ୍ଧା ମୃତ୍ୟୁ ଶାଳ ବଡ଼ଲୋକର ପୁଅ ହୋଇ ସୁଦ୍ଧା ବଡ଼ କାଙ୍ଗାଳ । ଏହା କି ସାମାନ୍ୟ କ୍ଷୋଭର କଥା ପ୍ରଭୁ ? ମହାର୍ହ ରତ୍ନ ଖଣିରୁ ଜନ୍ନ ହୋଇ ଗୋଡ଼ିଖପରା ହେବା ଅପେଷା ମର୍ମନ୍ତୁଦ କଥା ଆଉ କଅଣ ଅଛି ? ତୁମ୍ଭରି ସୃଷ୍ଟିରେ ତ ପ୍ରଭୁ ପଦ୍ମ ପଙ୍କରୁ ଜନ୍ମୁଛି, ତେବେ ରତ୍ନାକର ଗର୍ଭରୁ ଗେଣ୍ତା ଶାମୁକା କାହିଁକି ଜନ୍ମେ ? କିନ୍ତୁ ସେ ଦୋଷ ମୋର ନୁହେ ।

 

ହରି, ତୁମ୍ଭେ ତ ମୋ ଭିତରେ ଅଛ, ତୁମ୍ଭଙ୍କୁ ଆଉ ସ୍ୱତନ୍ତ୍ର ସ୍ଥାନରେ ଖୋଜିବି ବା ପୂଜିବି କଅଣ ? ତୁମ୍ଭେ ଯେ ମୁଁ ସେ । ମୁଁ କଅଣ ମୋତେ ପୂଜା କରେ ନାହିଁ ? ତେବେ ମୋର ଏତେ କାମ କାହା ପାଇଁ ? ନିଜକୁ ପୂଜା କଲେ ତ ତୁମ୍ଭଙ୍କୁ ପୂଜା କରିବା ହେଲା । ତୁମ୍ଭେ ମୋ ଦେହରେ କ୍ଷୁଧା ରୂପରେ ଅଛ, ମୁଁ ତୁମ୍ଭଙ୍କୁ ଖାଦ୍ୟ ଦେଇ ପୂଜା କରେ–ତୁମ୍ଭେ ଚକ୍ଷୁରେ ଅଛ, ସୁନ୍ଦର ଦୃଶ୍ୟ ଦେଖାଇ ମୁଁ ତୁମ୍ଭଙ୍କୁ ପୂଜା କରେ–ତୁମ୍ଭେ କର୍ଣ୍ଣରେ ଅଛ, ମୁଁ ତୁମ୍ଭଙ୍କୁ ସତକଥା ଆନନ୍ଦ କଥା ଶୁଣାଇ ପୂଜା କରେ–ତୁମ୍ଭେ ନାସିକାରେ ଅଛ, ମୁଁ ତୁମ୍ଭଙ୍କୁ ପବିତ୍ର ସୁଗନ୍ଧ ଆଘ୍ରାଣ କରାଇ ଅର୍ଚ୍ଚନା କରେ । ସେହିପରି ଜିହ୍ୱାକୁ ସୁରସ ଏବଂ ଚର୍ମକୁ ସୁଖସ୍ପର୍ଶ ପଦାର୍ଥ ଦେଇ ପରିତୃପ୍ତ କରେ, ସୁତରାଂ ପୂଜା କରେ । ଏ ମହା ପୁଜା ଛାଡ଼ି–ଏ ପ୍ରତ୍ୟକ୍ଷ ଜୀବନ୍ତ ଦେବତାର ପ୍ରୀତି-ପୂଜା ନ କରି ଆଉ କେଉଁଠି ଯାଇ କାହାକୁ ପୂଜା କରିବି ପ୍ରଭୁ ? ଆଶୀର୍ବାଦ କର ହରି; ମୁଁ ଯେପରି ତୁମ୍ଭଙ୍କୁ ଚିହ୍ନି ନିଜକୁ ଚିହ୍ନିପାରେ । ହସ୍ତ ସତ୍‌କର୍ମଦ୍ୱାରା ତୁମ୍ଭଙ୍କୁ ପୂଜା କରୁ–ମନ ସତ୍‌ଚିନ୍ତା ଦ୍ୱାରା, ମୁଖ ତୁମ୍ଭର ଗୁଣକୀର୍ତ୍ତନ ଦ୍ୱାରା ତୁମ୍ଭଙ୍କୁ ପୂଜା କରୁ । ସ୍ୱଭାବ ମଧୁର ହେଉ–ବନ୍ଧନ ବିଦୂର ହେଉ ।

 

ହରି ହେ, ଏଡ଼େ ବଡ ଗୋଟିଏ ସୃଷ୍ଟି ରଚନା କରିବାକୁ ତୁମ୍ଭର ଭଲା କି ଗରଜ ପଡ଼ିଥିଲା ? ଏଡ଼େ ଜୀବସୃଷ୍ଟି କଲ କାହଁ କି ? କେହି ତ ତୁମ୍ଭଙ୍କୁ ପୋଷେ ନାହିଁ ବା ପାଳେ ନାହିଁ ବରଂ ତୁମ୍ଭେ ସମସ୍ତଙ୍କୁ ପାଳି-ଲାଳି ବଞ୍ଚାଇଛ । ତେବେ ତୁଚ୍ଛାଟାରେ ଏ ପର୍ବ ଲଗାଇଛ କାହିଁକି ? ଏ ଗୋଟାଏ ଲୀଳା ନା ଖିଆଲା ? ଏଡ଼େ ବଡ଼ ଭାର ବହି ନିଜେ ବି ତ କମ୍‌ଯନ୍ତ୍ରଣା ଭୋଗୁ ନ ଥିବ ପ୍ରଭୁ ! ସତେ କଅଣ ଏ ସୃଷ୍ଟି କଳ୍ପାନ୍ତେ ପ୍ରଳୟ ଭଜେ ? ତେବେ ତୁମ୍ଭେ ନିଜେ ଗଢି ନିଜେ ଭାଙ୍ଗ କାହିଁକି ? ଭାଙ୍ଗୁଛ, ପୁଣି ଗଢୁଛ-ଏହିପରି ଭଙ୍ଗ-ଗଢାରେ ନିଜକ୍ତ ଖଟାଇ କି ସୁଖ ପାଉଛ, ତାହା ତୁମ୍ଭେ ଏକା ଜାଣ; ମାନବ କଳ୍ପନା କାହାର କିଛି କୂଳ-କିନାରା ପାଏ ନାହିଁ । ଜାଣୁ ଜାଣୁ ଦୁଃଖଜଞ୍ଜାଳ କିଣିବା ତୁମ୍ଭର ପ୍ରଭାବ ପରା !

 

ସ୍ୱର୍ଗ, ନରକ, ପାପପୁଣ୍ୟ ପ୍ରଭୁତି ସୃଷ୍ଟି କରି ସେ ଜ୍ୱାଳାଜଞ୍ଜାଳକୁ ଆହୁରି ବୃଦ୍ଧି କରିଛ । ସ୍ୱତନ୍ତ୍ର ସ୍ୱର୍ଗ ନରକ ଅଛି କି ପ୍ରଭୁ ? ଥିଲେ ଥାଉ; ମାତ୍ର ଏହି ଜୀବନରେ,ଏହି ଦେହରେ ସୁଦ୍ଧା ସ୍ୱର୍ଗ-ନରକ ଭୋଗ ହେଉଅଛି । ଅଜ୍ଞାନ ଅବସ୍ଥାରେ ଶିଶୁ ଯାହା ପାଏ, ତାହା ପାଟିରେ ପୁରାଏ । ଯୌବନାବସ୍ଥାରେ ଆତ୍ମୀୟ-ନିଧନାଦି ଶୋକ ଓ ବିବିଧ ଦୁଃଖ ବିପଦରେ ଅନେକ ସମୟରେ ଅଭିଭୂତ ହେବାକୁ ହୁଏ । ପୁଣି ବୃଦ୍ଧାବସ୍ଥାରେ ନବଦ୍ୱାର ପଥରେ ନିର୍ଗତ ହୋଇ ଦେହଟାକୁ ବୀଭତ୍ସ ମନ୍ଦିର କରିଦିଏ । ଅନେକେ ବିଷ୍ଠାମୂତ୍ରରେ ଘାଣ୍ଟି ଗୋଳାଇ ହୁଅନ୍ତି । ନରକ-ଯନ୍ତ୍ରଣା ଏହାଠାରୁ କଣ ଅଧିକ ? ଏଗୁଡ଼ାକ ଜୀବନ୍ତ ନରକ ଭୋଗ ନୁହେଁ କି ? ଆଉ ସ୍ନେହ, ପ୍ରେମ, ପୁଣ୍ୟ, ମୈତ୍ରୀ ପ୍ରଭୃତି ଯାହା ଉପଭୋଗ କରିବାକୁ ହୁଏ, ତାହାହିଁ ତ ସ୍ୱର୍ଗଭୋଗ । ଏ ଦେହଟା ବି ସ୍ୱର୍ଗନରକରେ ଗଢ଼ା । ଉପରଟା ସଫାସୁତୁରା, ଚନ୍ଦନ ଅତରରେ ସୌରଭମୟ; ମାତ୍ର ଭିତରଟା ରକ୍ତ ମାଂସ, ଅସ୍ଥି ମେଦ, ମୂତ୍ରପୁରୁଷ, ବିବିଧ କୀଟ ପ୍ରଭୃତି ବୀଭତ୍ସ ପଦାର୍ଥରେ ପରିପୂର୍ଣ୍ଣ । ସତେ ଏହାଠାରୁ ବଳି ସ୍ୱତନ୍ତ୍ର ଭୀଷଣ ନରକ କେଉଁଠି ସୃଜିଛି କି ହରି ? ଯେତେବେଳେ ମାନବ ତୁମ୍ଭରି ଅନନ୍ତ ଅମୃତପ୍ରେମରେ ବିଭୋର ହୋଇ ନିଜର ସତ୍ତା ଭୁଲିଯାଇ ଅନାବିଳ ପବିତ୍ର ଆନନ୍ଦ ସମୁଦ୍ରରେ ପ୍ରାଣ, ମନ, ଶରୀର ଓ ଆତ୍ମାକୁ ଭସାଇ ଦିଏ, ତେତେବେଳେ ସେ ଦେହ ସ୍ୱର୍ଗସୁଖ ଭୋଗ କରେ ନାହିଁ କି ? ଶାନ୍ତି, ପ୍ରୀତି, ଦୟା, ଧର୍ମ, ସତ୍ୟ, ନ୍ୟାୟ, ସାମ୍ୟ–ଏହା ତ ପ୍ରତ୍ୟେକ ଗୋଟିଏ ଗୋଟିଏ ସ୍ୱର୍ଗ ! ଆଉ ଯେଉଁଠାରେ ଏ ସବୁଗୁଡ଼ିକର ସମାବେଶ, ସେ ମହାସ୍ୱର୍ଗ । ଏହା ଛଡ଼ା ଅନ୍ୟ ସ୍ୱର୍ଗ ଯେବେ କେଉଁଠାରେ ଥାଏ, ତେବେ ତାହା କାବ୍ୟକଳାର ରୂପକ ଅଳଙ୍କାରମାତ୍ର । ଏହି ଅପ୍ରତ୍ୟକ୍ଷ ସ୍ୱର୍ଗ ରଙ୍ଗଦିଆ ସ୍ୱପ୍ନ କିମ୍ବା ଜଟିଳ କଳ୍ପନା କାହିଁରେ ତିଆରି, ତାହା କିଏ କହିପାରିବ ? କିଏ ପ୍ରକୃତ, କିଏ ରୂପକ, ତାହା ବାରିବାର ଶକ୍ତି କାହାରି ନାହିଁ । ଛାର ମନୁଷ୍ୟ ଦେହ ଧରି ତୁମ୍ଭର ଛନ୍ଦମାୟା କିଏ ବୁଝିପାରିବ ପ୍ରଭୁ ? ଯେଉଁ ମାୟା ଦେବତାଙ୍କର ଅଗୋଚର–ତ୍ରିକାଳଦର୍ଶୀ ସର୍ବଜ୍ଞ ମୁନିଋଷିମାନେ ଯେଉଁ ମାୟାର ଜଟିଳ ରହସ୍ୟ ଭେଦ କରିବାକୁ ଅକ୍ଷମ, ସେ ଅନନ୍ତ ଛନ୍ଦ, ମାୟାର ଗୂଢ଼ରହସ୍ୟ ବୁଝିବାକୁ ନଗଣ୍ୟ ଜ୍ଞାନଧର ମନୁଷ୍ୟର ପ୍ରୟାସ କରିବା ସୁଦ୍ଧା ହାସ୍ୟକାର, ଦୁଃସାହସ ଓ ଅଧମ ଧୃଷ୍ଟତାମାତ୍ର । ତୁମ୍ଭ ବିଷମ ସମସ୍ୟାର ସମାଧାନ ନ ଭୂତ ଓ ନ ଭବିଷ୍ୟ ।

 

ସ୍ୱର୍ଗ ନରକ ପରି ପାପପୁଣ୍ୟ ସୁଦ୍ଧା ମହା ସମସ୍ୟାର ବିଷୟ । ଏ ସଂସାରରେ ତ ପ୍ରାଣୀମାନଙ୍କ ମଧ୍ୟରେ ହିଂସା ପ୍ରତିହିଂସା ଲାଗିରହିଛି । କ୍ଷୁଦ୍ର କୀଟପତଙ୍ଗକୁ ବେଙ୍ଗ ଖାଉଛି–ବେଙ୍ଗକୁ ସାପ ଖାଉଛି–ସାପକୁ ଆଉ କେହି ଖାଉଛି–ଏହିପରି ଖିଆ ପିଆ, ହିଂସା ହତ୍ୟା ସର୍ବଦା ଲାଗିଛି । ତାହା ନ ହେଲେ ତୁମ୍ଭ ସୃଷ୍ଟି ରହିପାରିବ ନାହିଁ । ଯେଉଁଠାରେ ଜୀବନ ଦ୍ୱାରା ଜୀବନ ପୋଷା ନ ହେଲେ ନ ଚଳେ, ସେଠାରେ ପାପପୁଣ୍ୟର ବିଚାର କଅଣ ପ୍ରଭୁ ? ହତ୍ୟା ମଧ୍ୟରେ ସ୍ନେହ ପ୍ରୀତି, ଆତ୍ମୀୟତା ଯାହା ଘଟିଯାଉଛି, ତାହା ତୁଚ୍ଛ ଅଭିନୟ ସିନା ! ପାପପୁଣ୍ୟର ଉଦ୍ଭାବନ ସଂସାରରେ ନିରାପଦରେ ଚଳିବାର ଉପାୟମାତ୍ର । ପାପର ଭୟ ନ ଥିଲେ ମାନବ-ସମାଜକୁ ବିପ୍ଳବରୁ ରକ୍ଷା କରନ୍ତା କିଏ ? ଯେଉଁ ମହାବିପ୍ଳବ ଘଡ଼ିକେ ମହା ପ୍ରଳୟ ଘଟାଇପାରନ୍ତି, ସେ ଭୀଷଣ ଦୈତ୍ୟ ‘ପାପ’ ଏହି ଦୁଇଟି ଅକ୍ଷରଦ୍ୱାରା ଆବଦ୍ଧ ହୋଇ ରହିଛି; ଦୟା ଏ ସଂସାରରେ ଗୋଟାଏ ଅଭିନୟ ସିନା ! ଯେଉଁଠି ଜୀବ ଜୀବ ମଧ୍ୟରେ ସଂଗ୍ରାମ ଲାଗି ରହିଛି, ପ୍ରାଣ ଘେନି ଟଣା ଝିଙ୍କା ଲାଗିଛି, ସେଠାରେ ‘‘ଜୀବେ ଦୟା’’ ର ମହତ୍ତ୍ୱ କିଏ ବୁଝିବ ? ହିଂସା ହତ୍ୟା ମଧ୍ୟରେ ଶାନ୍ତିରାଜ୍ୟ, ଧର୍ମ ରାଜ୍ୟ ପ୍ରତିଷ୍ଠା କରି ହୁଏ କି ହରି ? ମୋତେ ପଛେ କେହି ନାସ୍ତିକ କହୁ; ମାତ୍ର ମୋର ଯାହା ସହଜ ଧାରଣା, ତାହା ମୁଁ ବ୍ୟକ୍ତ କରିବାକୁ ଲଜ୍ଜିତ ବା କୁଣ୍ଠିତ ନୁହେଁ । ପାପ ପୁଣ୍ୟ ଖାଲି ତୁଚ୍ଛ ଛଳନା; ମାତ୍ର ଛଳନା ଉପରେ ତୁମ୍ଭ ବିରାଟ ସୃଷ୍ଟିର ସ୍ଥିତି ସୃଷ୍ଟି ଓ ବୃଦ୍ଧି ସମ୍ପୂର୍ଣ୍ଣ ନିର୍ଭରଶୀଳ । ସେହି ଛଳନା ଦଉଡ଼ି ହୁଗୁଳା ହେଲେ ସୃଷ୍ଟି ବିଶୃଙ୍ଖଳା ହୋଇଯିବ ଏବଂ ଛିଣ୍ଡିଗଲେ ସୃଷ୍ଟିର ପରମାୟୁ ଶେଷ ହୋଇଯିବ–ସଂସାରଟାଯାକ ଜୀବ ଓ ଜୀବାଣୁରେ ପୂର୍ଣ୍ଣ କରି ରଖି ପାପପୁଣ୍ୟ ସମସ୍ୟାକୁ ତୁମ୍ଭେ ଆହୁରି ଜଟିଳ କରି ଦେଇଛି ପ୍ରଭୁ ! କିଏ ପାପ, କିଏ ପୁଣ୍ୟ, ତାହା ଚିହ୍ନିବାର ଉପାୟ ନାହିଁ । ମନୁଷ୍ୟ ଉଦ୍ଭିଦଭୋଜୀ ପ୍ରାଣୀ । ମନୁଷ୍ୟର ଯେପରି ପ୍ରାଣ ଅଛି, ଉଦ୍ଭିଦର ସେହିପରି ପ୍ରାଣ ଅଛି । ତେବେ ଉଦ୍ଭିଦ ଖାଇଲେ ମନୁଷ୍ୟ ହତ୍ୟାପାପରେ ଲିପ୍ତ ନ ହେବ କାହିଁକି ? ଏଣେ ପୁଣି ନିଜର ପ୍ରାଣ ରକ୍ଷା ନ କଲେ ପାପ ହେବ; କିଛି ନ ଖାଇ ତ ପ୍ରାଣ ଧାରଣ କରି ହେବ ନାହିଁ । ମାଟି ଖାଇ ତ ମନୁଷ୍ୟ ବଞ୍ଚିପାରିବ ନାହିଁ, ଅବଶ୍ୟ ଶସ୍ୟ କିମ୍ବା ମାଂସହାର କରିବାକୁ ହେବ-। ଜୀବହତ୍ୟା ନ କଲେ ମାଂସ ବା କାହୁଁ ମିଳିବ ? ଏପରି ସ୍ଥଳେ କିଏ ପାପ, କିଏ ପୁଣ୍ୟ ତାହା ବାରିହେବ ନାହିଁ । ସାଧନା ବଳରେ ମନୁଷ୍ୟ ପାଣି କିମ୍ବା ପବନ ଖାଇ ବଞ୍ଚିରହିପାରେ, ମାତ୍ର ପାଣି ପବନରେ ଅସଂଖ୍ୟ କୀଟାଣୁ ଗୁନ୍ଥିହୋଇ ରହିଛନ୍ତି । ତାହା ଦେଖାଯାଉ ନାହିଁ ସତ୍ୟ; ମନୁଷ୍ୟ ତାହା ଅନୁଭବ କରିପାରୁ ନାହିଁ ସତ୍ୟ; ମାତ୍ର ଜଳରେ ଓ ବାୟୁରେ କୀଟାଣୁ ଅଛି ବୋଲି ସେ ଜାଣେ-। ସୁତରାଂ ଜାଣୁ ଜାଣୁ ପାପ ଅର୍ଜିବା ମନକୁ ଆଖି ଠାରିବା ପରି ନୁହେଁ କି ? ମହୁମାଛି ନିଜର ପେଟକୁ ଶୁଖାଇ ମଧୁ ସଂଗ୍ରହ କରି ଭବିଷ୍ୟତ୍‌ ପାଇଁ ରଖେ; ମାତ୍ର ମନୁଷ୍ୟ ଖସ୍ତ୍ରବୃତ୍ତ ଧରି ବଳରେ ସେ ମଧୁ ହରଣ କରେ । ପୁଣି ତାହା ନ କଲେ ମନୁଷ୍ୟ ପକ୍ଷରେ ମଧୁ ସଂଗ୍ରହ କରିବାର ଅନ୍ୟ ଉପାୟ ନାହିଁ । ମଧୁ ବିବିଧ ରୋଗର ଔଷଧ । ସମୟରେ ସେ ମନୁଷ୍ୟର ଜୀବନ ରଖିଦିଏ-। ଯେଉଁ ପଦାର୍ଥରୂପ ମହୋପକାରୀ, ତାକୁ ସଂଗ୍ରହ କରି ରଖିବା ମନୁଷ୍ୟର ପ୍ରଧାନ କର୍ତ୍ତବ୍ୟ; ମାତ୍ର ସଂଗ୍ରହ କଲେ ପରସ୍ୱ ଅପହରଣଜନିତ ପାପ ହେବ । ଏହି ସବୁ କଥା ସୁକ୍ଷ୍ମଭାବରେ ଆଲୋଚନା କଲେ କିଏ ପାପ, କିଏ ପୁଣ୍ୟ, ତାହା କିଛି ସ୍ଥିର କରିହୁଏ ନାହିଁ । ବରଂ ଏହା ଭାବିଲେ ମସ୍ତିଷ୍କର ଯନ୍ତ୍ରମାନ ଗୋଳମାଳ ହୋଇଯାଏ–ଚାରିଆଡ଼ ଅନ୍ଧାର ଦିଶେ ।

 

ଉଃ, ସମୟର ଗତି କି ପ୍ରଖର ! ଚାହୁଁ ଚାହୁଁ କଥା କହୁଁ କହୁ ଦିନ ପାଣି ପରି ବହି ଚାଲିଯାଏ । ସମୟର ଆଳସ୍ୟ ନାହିଁ–ବିଶ୍ରାମ ମଧ୍ୟ ନାହିଁ । ସେ ସମାନ ଗତିରେ ଇତର ବିଶେଷ ଘଟେ ନାହିଁ । ମନୁଷ୍ୟ ପରି ତାହାର ଶୋକ ଦୁଃଖ, ବିଘ୍ନ ବିପଦ ନାହିଁ କିମ୍ବା ଜ୍ଞାତ–ପରିବାର ନାହିଁ, ସୁତରାଂ ସେ ସବୁ ବିଷୟରେ ନିଶ୍ଚିନ୍ତ । ତେବେ ସେ ମନଫୁଲଣା ଗୀତ ଗାଇ ନିୟମାଧୀନ ନ ହେବ କାହିଁକି ? ଦିନ ଚାଲିଯାଏ; କିନ୍ତୁ କି ବିସ୍ମୟର କଥା, ମନୁଷ୍ୟ ତାହା ଶୁଣିପାରେ ନାହିଁ । ଆଜିକି ଛବିଶ ଦିନ ହେଲା ମା ମୋର ଚାଲିଗଲା; କିନ୍ତୁ ମୋତେ ତାହା କାଲିକାର ଘଟଣା ପରି ଲାଗୁଛି । ହାୟ ହାୟ, ସେ ତ ମରି ସୁଦ୍ଧା ମରି ନାହିଁ, ସବୁବେଳେ ମୋର ମନରେ ଚିନ୍ତାରେ ସେ ଗୁନ୍ଥିହୋଇ ରହିଛି; ଖାଲି ବାହାରକୁ ଆସୁ ନାହିଁ। କେତେ ପିଲା ଖେଳୁଛନ୍ତି, ରୋଜ ମୁଁ ଦେଖୁଛି; କିନ୍ତୁ ତାଙ୍କ ମେଳରେ ତାକୁ ନ ଦେଖି ଛାତି ଫାଟିଯାଉଛି । ସେ ତ ଦେବ-ଶିଶୁ, ଇତର ନର-ଶିଶୁ ମେଳରେ କାହିଁକି ବା ରହନ୍ତା ? ପୁଣି ସେହି ଦେବ-ଶିଶୁ ମେଳକୁ ଚାଲିଗଲା । ମୋ ଜୀବନର କେତେଟା ଦିନ ଆଉ ଅବଶିଷ୍ଟ ଅଛି, ଭଗବାନ ଏ କେତେଟା ଦିନ ତାକୁ ରଖିପାରିଲେ ନାହିଁ । ମୋତେ କଷ୍ଟ ଦେବା ପାଇଁ ତାଙ୍କର ବି ତର ସହିଲା ନାହିଁ । ତାହାର ସୁନ୍ଦର ସହାସ୍ୟ ଦେବ-ଶିଶୁ ମୁଖକୁ ଦେଖୁଁ ଦେଖୁଁ ଚାଲିଯାଇଥିଲେ ସେ ମରଣ ମୋର ସୁଖର ମରଣ, ତୃପ୍ତିର ମରଣ, ଆନନ୍ଦର ମରଣ ହୋଇଥାନ୍ତା । ସେ ମୃତ୍ୟୁ ବଡ଼ ମଧୁର ହୋଇଥାନ୍ତା । ହରି ହେ, ତୁମ୍ଭ ସୃଷ୍ଟ ଜୀବ ମୁଖରେ ଟିକିଏ ଆନନ୍ଦର ହାସ୍ୟ କି ତୁମ୍ଭେ ସହିପାର ନାହିଁ ପ୍ରଭୁ ? ତାହା ଚକ୍ଷୁରେ ଅଶ୍ରୁ ଦେଖିବାକୁ କି ତୁମ୍ଭଙ୍କୁ ସୁଖ ଲାଗେ ? ତୁମ୍ଭରି ସୃଷ୍ଟ, ତୁମ୍ଭରି ପ୍ରେରିତ, ତୁମ୍ଭରି ଆଶ୍ରିତ ଜୀନ-ନେତ୍ରରେ ତପ୍ତ ଅଶ୍ରୁ ଦେଖିଲେ ତୁମ୍ଭର ଦୟାଳୁ ପିତୃପ୍ରାଣ କି ଫାଟିଯାଏ ନାହିଁ ଭଗବାନ ? କି କଠୋର ବଜ୍ର ଉପାଦାନରେ ତୁମ୍ଭର ପିତୃ-ହୃଦୟ ଗଢା ହୋଇଅଛି କେଜାଣି ?

 

ତାହା ଲାଗି ମୁଁ କେତେ ଆଶା କରିଥିଲି–ଶୂନ୍ୟରେ କେତେ ସୁନା ପାଉଛ ବାନ୍ଧୁଥିଲି–ତାର ଭବିଷ୍ୟତ୍‌ ଉଜ୍ଜ୍ୱଳ ଚିନ୍ତାରେ ସ୍ୱପ୍ନରାଜ୍ୟର କେତେ ଘୂରି ଫେରି ବୁଲୁଥିଲି, ସେ ସବୁ ମୋର ବିଫଳ ହେଲା । ମନୁଷ୍ୟର ସ୍ୱଭାବ–ସେ ନିଜକୁ କେତେ ବାହାଣିଆ ମଣେ । ଭବିଷ୍ୟତ ପାଇଁ ସେ କେତେ କଳ୍ପନାର କୌତୁକ-ସୌଧ ନିର୍ମାଣ କରି ଯାଏ ତାହାର ସୀମା ରହେ ନାହିଁ; ମାତ୍ର ବିଧିଚକ୍ର ଯେ ଅଦୃଶ୍ୟରେ ମୁଣ୍ଡ ଉପରେ ସର୍ବଦା ଘୂରୁଅଛି, ସବୁ ସୁଖସୌଧକୁ ସେ ଖଣ୍ଡ କରି ପକାଇବ–ଏହା ସେ ଭୁଲିଯାଏ । ମନୁଷ୍ୟର ବ୍ୟର୍ଥ ଦୁରାଶା ଓ ବିଫଳ କଳ୍ପନାର ବନ୍ଧ୍ୟା-ବାଣୀ ପୁଣି କାଳପୁରୁଷ ମୁହଁରେ ବିଣ୍ଡା ଦେଇ ହସୁଥାଏ । ମନୁଷ୍ୟ ଯାହା ଭାବିବ, ତାହା ଘଟିବ–ଏ ସ୍ୱାଧୀନତା, ଏ ଅଧିକାର ତାକୁ କେହି ଦେଇ ନାହିଁ; ସେ ଆପେ ଆପଣାକୁ ଦେଇଛି । ମନୁଷ୍ୟ ଗାଈଆଳ ପିଲା ପରି ରାଜାଖେଳ ଖେଳେ । ବିଲରେ ଗୋରୁ ଛାଡ଼ିଦେଇ ଗାଈଆଳ ପିଲା ରାଜଦରବାର କରି ବସେ । ହୁଙ୍କା ତାହାର ରାଜସିଂହାସନ, ପାଞ୍ଚଣ ବାଡ଼ି ଶାସନଦଣ୍ଡ ଓ ପତ୍ର ଠୋଲା ରାଜମୁକୁଟ ହୁଏ-। ସଙ୍ଗୀ ରଖୁଆଳମାନେ ପାଦମନ୍ତ୍ରୀ, ମିତ୍ର ତେତେବେଳେ ସେ ନିଜକୁ ଗାଈଆଳ ବୋଲି ଭୁଲିଯାଏ-। ମନୁଷ୍ୟର ‘‘ମଣିଷ’’ ନାମ ଷୋଳପଣ ଠିକ୍‌ । ସଂସାରରେ ଆସି ସେ ମଣ ହୁଏ । ତାହାର ପରମାୟୁ ଏତେ ଅଳ୍ପ ଯେ, ମଣ ହେଉଁ ହେଉଁ ତାହା ସରିଯାଏ । କ୍ଷେତ୍ର କର୍ଷଣ କରିବା ଯାଏଁ ମଣିଷ ରହିପାରେ ନାହିଁ । ସେ ବଡ଼ ଅସହାୟ ଜୀବ; ତାହାର ସାହା ସୋଦର କେହି ନାହିଁ । କାହାରି ଆଶା ପୂର୍ଣ୍ଣ ହୁଏ ନାହିଁ, ସୁତରାଂ ଆଶା ପୋଷିବା ବୃଥା । ଆଶା ଉତ୍‌ଫଣା ତମ୍ଫୁଣୀ । ଯେ ତାକୁ ପୋଷିବ, ତାକୁହିଁ ସେ ଦଶଂନ କରିବ । ପୁଣି ତାକୁ ନ ପୋଷିଲେ ବି ଚାରା ନାହିଁ । ଆଶା ନ ଦେଲେ ମନୁଷ୍ୟ କାହା ଉପରେ ଭରା ଦେଇ ବଞ୍ଚିବ ? ନାଗସାପ ଚୁଚୁନ୍ଦ୍ରା ଧରିଲା ପରି ମନୁଷ୍ୟ ଆଶାକୁ ଧରିଲେ ମଲା–ଛାଡ଼ିଲେ ବି ମଲା । ହେ ବିଶ୍ୱବବି, ତୁମ୍ଭର ଏ ବିରୋଧାର୍ଥ ଜଟିଳ କାବ୍ୟର ଅର୍ଥ କିଏ ବୁଝିବ ପ୍ରଭୋ ? ତୁମ୍ଭ ମହା ମହିମାକୁ ଜୁହାର ତୁମ୍ଭର ଅନନ୍ତ ଅଜ୍ଞେୟ ରହସ୍ୟକୁ କୋଟି ଲକ୍ଷ ନମସ୍କାର ।

 

[ ୩ ]

 

ହରି ହେ, ମନୁଷ୍ୟର ମନକୁ ତୁମ୍ଭେ କାହିଁରେ ଗଢ଼ିଛ, ତାକୁ ଆଉ ମୁଁ ବୁଝିପାରିଲି ନାହିଁ । ତାହା ପରି ଅବିଶ୍ୱାସୀ ତୁମ୍ଭ ସୃଷ୍ଟିରେ ଆଉ କିଏ ଅଛି ? ସ୍ୱଚକ୍ଷୁରେ ଦେଖିଲା କଥାକୁ, ଅଙ୍ଗେ ନିଭାଇଲା କଥାକୁ ସୁଦ୍ଧା ଅବିଶ୍ୱାସ କରେ ନାହିଁ । ଯେ ତୁମ୍ଭ ପାଖକୁ ଯାଏ, ସେ ଆଉ ଫେରିଆସେ ନାହିଁ–ଏହା ମୁଁ ଦୃଢ଼ରୂପେ ଜାଣେ । ତଥାପି ମନ କହୁଛି–‘‘ନା, ସେ ନିଶ୍ଚେ ଫେରିଆସିବ ।’’ ଏ ଭଲା କି ଭ୍ରମ ପ୍ରଭୁ ? ମନକୁ ଯେତେ ବୁଝାଇଲେ ବି ସେ ମାନିବାକୁ ନାହିଁ, ସେହି ଏକ ସ୍ୱର ଧରି ସେ ବାରାବର କହୁଛି–‘‘ନା, ସେ ନିଶ୍ଚେ ଫେରିଆସିବ ।’’ ଏ ତାହାର ଗୋଟିଏ ଝୁଙ୍କ ନା କଅଣ ? ମୁଁ ଭୁଲିଯିବାକୁ ବସିଲେ ସୁଦ୍ଧା ସେ ମୋତେ ଭୁଲିବାକୁ ଦେଉ ନାହିଁ । ବନ୍ଧୁମାନେ ଉପଦେଶ ଦେଇ କହୁଛନ୍ତି–‘‘ପବିତ୍ର ହୋଇ ତୀର୍ଥ ଭ୍ରମଣ କର–କାମନା ପରିତ୍ୟାଗ କରି ଈଶ୍ୱରଙ୍କୁ ଧ୍ୟାନ କର । ତାହାହେଲେ ଈଶ୍ୱରଙ୍କୁ ପାଇବ । ସେ ଆନନ୍ଦମୟ, ତାଙ୍କୁ ପାଇଲେ ଶୋକ, ତାପ, ପାପସବୁ ଦୂର ହୋଇଯିବ ।’’ ବନ୍ଧୁମାନେ ଉପଦେଶ ଦେଇ ଖଲାସ; ମାତ୍ର କାର୍ଯ୍ୟଟି ବଡ଼ କଠିନ। ଯେଉଁ ଦେହ ରାଗଦ୍ୱେଷାଦି କଦର୍ଯ୍ୟ ପଙ୍କରେ ପରିଲିପ୍ତ, ସେ ଦେହ କି ଜଳରେ ନିର୍ମଳ ହେବ ? ପୁଣି ଶରୀର ତ ମଳମୂତ୍ରରେ ପୂର୍ଣ୍ଣ । ଏଣେ ମଳମୂତ୍ର ଅଭାବରେ ଶରୀର ବଢ଼ିପାରିବ ନାହିଁ । ମଳମୂତ୍ର ଥାଉଁ ଥାଉଁ ଦେହଟା ପବିତ୍ର ହେବ କିପରି ? ତୀର୍ଥକୁ ଗଲେ ଯେବେ ପାପତାପରୁ ମୁକ୍ତି ମିଳୁଥାନ୍ତା, ତେବେ ଆଜନ୍ମ ତୀର୍ଥବାସୀଙ୍କର ତ ବନ୍ଧନ ଥାନ୍ତା ନାହିଁ–ସେମାନେ ଜୀବନ୍ମୁକ୍ତ ହୋଇଥାନ୍ତେ । ଆଉ କେଉଁ ତୀର୍ଥରେ ବା ଯାଇ ବୁଲିବ ? ମୋର ମାତୃଭୂମି ତ କୋଟି ତୀର୍ଥର ମହୁଡ଼ମଣି, ତାହାଠାରୁ ବଳି ଆଉ ତୀର୍ଥ କିଏ ? ଯେଉଁ ତୀର୍ଥର ମାଟିରେ ଏ ଦେହ ଗଢ଼ା ହୋଇଛି, ପୁଣି ଶେଷର ଯହିଁରେ ମିଶିବ, ସେ ମହାତୀର୍ଥକୁ ଛାଡ଼ି ଆଉ କୁଆଡ଼େ ଯିବାକୁ ଆତ୍ମା ବଳୁ ନାହିଁ । ତୃତୀୟତଃ କାମନା ଛାଡ଼ିଦେବା ସମ୍ଭବ କି ? ବାୟୁର ଗନ୍ଧ ନ ଥିଲେ ସୁଦ୍ଧା ସେ ଅନ୍ୟର ଗନ୍ଧରେ ଗନ୍ଧବାନ ହୁଏ । ସେହିପରି ମନୁଷ୍ୟର ନିର୍ମଳ ମନ କାମନାରେ କଳୁଷିତ ହୁଏ । କାମନା ସବୁବେଳ ମନକୁ ଘେରି ରହିଅଛି । କାମନା ଛଡ଼ା ମନର ସ୍ୱତନ୍ତ୍ର ଅସ୍ତିତ୍ୱ ବା କେଉଁଠାରେ ? ମନ ତ କାମନାରେ ଗଢ଼ା, ସେଥିରୁ କାମନା କାଢ଼ିନେଲେ ଆଉ କଅଣ ରହିବ ? ସୁତରାଂ କାମନା ଛାଡ଼ିହେବ ନାହିଁ, କି ଛାଡ଼ି ହେବାର ନୁହେଁ ।

 

ଚତୁର୍ଥତଃ ତୁମ୍ଭଙ୍କୁ ଆଉ ସ୍ୱତନ୍ତ୍ର ଭାବରେ ଦେଖିବି ବା ପାଇବି କଅଣ ? ପୂର୍ବରୁ ତ କହିଛି, ଆତ୍ମାରୂପୀ ବ୍ରହ୍ମ । ମୁଁ ଯେ, ତୁମ୍ଭେ ସେ । ମୁଁ ଯେବେ ମୋ ମଧ୍ୟରେ ମୋତେ ଦେଖିପାରନ୍ତି, ତେବେ ମୋର ଆତ୍ମଦର୍ଶନ ହୁଅନ୍ତା–ସୁତରାଂ ବ୍ରହ୍ମଦର୍ଶନ ଓ ବ୍ରହ୍ମେପ୍ରାପ୍ତି ଘଟନ୍ତା । ତାହା ଅତି ସହଜ ନୁହେଁ, କି ଗୋଟାଏ ତନ୍ମର ସାଧନାର ଫଳ ନୁହେଁ । ମୋର ଏ ସିଦ୍ଧାନ୍ତ ପଛେ ଠିକ୍‌ ନ ହେଉ କିମ୍ବା ଏହା ମୋର ମତିଭ୍ରମ ବା ବାତୁଳତା ପଛେ ହେଉ; ମାତ୍ର ସେଥିରେ ମୋର ସୁଖ ଓ ସେହି ମୋର ଲକ୍ଷେ ଟଙ୍କା । ଏବେ ମୁଁ ଅନୁଭବ କରିପାରୁଛି ଯେ, ମନୁଷ୍ୟ ନ ମରିବାଯାଏଁ ଶୋକ, ତାପ ମରେ ନାହିଁ । ଆସିବାବେଳେ ସେ ସଙ୍ଗରେ ଆସିଥାଏ, ସର୍ବଦା ପଛେ ପଛେ ଥାଇ ଯିବାବେଳେ ପୁଣି ସଙ୍ଗରେ ଯାଏ । ଶୋକ ମୋତେ ଗ୍ରାସ କରିବ, କି କାଳ ଶୋକକୁ ଗ୍ରାସ କରି ସର୍ବଗ୍ରାସି ନାମ ସାର୍ଥକ କରିବି–ସେ ସମସ୍ୟା ଭବିଷ୍ୟତରେ ଅନ୍ଧକାର ଗୁହା ଗର୍ଭରେ ଆବଦ୍ଧ । ତାହା ଜାଣିବାର ଉପାୟ ନାହିଁ; ମାତ୍ର ଏହା ସୁଦ୍ଧା କଠୋର ସତ୍ୟ ଯେ, ତୁମ୍ଭର ଏ ସଂସାରରେ କିଛିହିଁ ବିଚିତ୍ର ନୁହେଁ ପ୍ରଭୁ ! ପାଶୋରିଯିବାଟା ସଂସାରର ରୀତି । ଅନ୍ୟ କଥା ଦୂରେ ଥାଉ, ଏଠାରେ ମନୁଷ୍ୟ ନିଜକୁ ବି ପାଶୋରିଥାଏ । ଅନ୍ଧାର ପଛରେ ଆଲୁଅ ଥାଏ–ଶୋକ ପଛରେ ବିସ୍ମୃତି ଥାଏ–ଏହା ଦେହେକେ ଉପଭୋଗ କରି ସୁଦ୍ଧା ମନୁଷ୍ୟ ସେ କଥା ବି ପାଶୋରିଯାଏ । ଏହିପରି ପାଶୋରିଯାଉ ନ ଥିଲେ, ମନୁଷ୍ୟ–ସୃଷ୍ଟି କେଉଁ ଯୁଗରୁ ଶେଷ ହୋଇଯାନ୍ତାଣି । ଶୋକ ବି ତୁମ୍ଭେ ଆଣ, ବିସ୍ମୃତି ବି ତୁମ୍ଭେ ଆଣ କିନ୍ତୁ ପ୍ରଭୁ ଆଗେ ଶୋକ ଦେଇ ପଛେ ବିସ୍ମୃତି ଆଣିବା ଅପେକ୍ଷା ଆଦୌ ଶୋକ ନ ଦେବା କି ସହଜ ନ୍ୟାୟ ନୁହେଁ ? ହୃଦୟରେ କ୍ଷତି କରିଦେଇ ଔଷଧ ଲେପିବାଠାରୁ ମୂଳରୁ ଆଘାତ ନ କରିବା ତ ଭଲ ! କାହିଁକି ତାହା ନ କର, ସେ କଥା ତୁମ୍ଭେ ଜାଣ । ହରି, ତୁମ୍ଭର ମାୟା ବଡ଼ ଗୋଳିଆ, ତାହା ଭାବିଲେ ମନ ସୁଦ୍ଧା ଗୋଳିଆ ହୋଇଯାଏ; ତାହା ନ ଭାବିବାହିଁ ଶ୍ରେୟଃ ।

 

ମୋର ଏ ଅଡ଼ୁଆ ମହାଭାରତ ପଢ଼ି ଯେ ହସିବ ହସୁ ପଛେ; ମାତ୍ର ମୋର ଏହା ପ୍ରାଣର ବ୍ୟଥା ବାଣୀ । କାହାରି ପଢ଼ିବା ପାଇଁ ମୁଁ ଲେଖୁ ନାହିଁ–ଲେଖିବା ଦ୍ୱାରା ଟିକିଏ ଶାନ୍ତି ପାଉଛି ବୋଲି ଲେଖୁଛି, ନଚେତ୍‌ ଅନ୍ୟକୁ ଶିକ୍ଷା ଦେବା ଭଳି ଦୁରାଶ ବା ଧୃଷ୍ଟତା ମୋର ଆଦୌ ନାହିଁ । ଆଉ କିଏ କାହିଁକି ବା ଏହାକୁ ପଢ଼ିବ ? ଏଥିରେ ପଦ୍ମ ବା ପାରିଜାତର ମାଧୁରୀ ନାହିଁ–ଇନ୍ଦ୍ରଧନୁର ବର୍ଣ୍ଣବୈଚିତ୍ର୍ୟ ନାହିଁ–କୋକିଳର କର୍ଣ୍ଣରସାୟନ ସୁର ନାହିଁ–ମଧୁପର ପ୍ରାଣପାଗଳକାରୀ ଉନ୍ନତ ବୀଣାଝଙ୍କାର ନାହିଁ କିମ୍ବା ମଳୟାନିଳର ସୌରଭ-ବିଭବ ନାହିଁ–ଏହା ଶୁଷ୍କକାଷ୍ଠ । ଶୁଷ୍କ ଚନ୍ଦନ କାଷ୍ଠକୁ ଘୋରିଲେ ସୁବାସ ବାହାରେ; ମାତ୍ର ଏ ଲେଖାରେ ସେ ଗୁଣ ବି ନାହିଁ । ପୁଣି ଏହା ମଧୁର ଜଳତରଙ୍ଗ ବାଦ୍ୟଧ୍ୱନି ନୁହେଁ–କର୍କଶ କଟୁରାବୀ ଏକସୁରା ଫଟା ଢୋଲର କର୍ଣ୍ଣଚିରା ଶବ୍ଦ । ଏ ଶବ୍ଦ ଶୁଣିଲେ କର୍ଣ୍ଣ ଜ୍ୱାଳା କରିବ–ଏ ବୈରାଗୀଗୀତିକା ବଡ଼ ନୀରସ । ବିଜୁଳିରେ ଖାଲି ଉତ୍ତାପ ଥାଏ ନାହିଁ–ଟିକିଏ ଆଲୁଅ ବି ଥାଏ । ସେହି ଆଲୁଅରେ ମୁଁ ବିପଦରେ ପଥ ଧରିପାରିଲେ ତେତିକି ଅଳ୍ପ ଲାଭ ନୁହେଁ । ମୋରି ପରି ଯେ ଦଗ୍‌ଧଭାଗ୍ୟ–ମୋହରି ପରି ସେ ବାଷଠି ବର୍ଷକାଳ ହସଖୁସିରେ କଟାଇ ଶ୍ମଶାନ ଯାତ୍ରାବେଳେ ନିଦାରୁଣ ଆଘାତ ପାଇଛି–ମୋହରି ପରି ଯେ ଅମୂଲ୍ୟ ରତ୍ନ ହରାଇ ହାହାମୟ ଜୀବନ ଧରି ବଞ୍ଚି ରହିଛି, ସେ ଯେବେ ମୋର ଏ ଶୋକ-କାହାଣୀ ପଢ଼ି କ୍ଷଣକ ପାଇଁ ଶୋକ ପାଶୋରିପାରେ, ତେବେ ତାହାହିଁ ମୋର ପରମ କଲ୍ୟାଣ । ସମଦୁଃଖୀ ଛଡ଼ା ଆଉ କିଏ ହୃଦୟର ବେଦନା ବୁଝିବ ? ଦୁଃଖୀ ପାଖର ଦୁଃଖ ଗାଇଲେ ବ୍ୟଥା ଟିକିଏ ଊଣା ହୁଏ । ଯଦି କେହି ସମଦୁଃଖୀ ନ ଥାଏ, ତେବେ ମୋହରି କାନ୍ଦଣା ମୁଁ ଶୁଣିବି । ମୁଁ ତାକୁ କାହିଁକି ସ୍ନେହ କଲି, ମୋର ସ୍ନେହ କାହିଁକି ତାହା ପାଖକୁ ଗଲା ? ସେ ଦୋଷ ମୋର ନା ମୋ ସ୍ନେହର ? କିରେ ସ୍ନେହ ତୁ କାହିଁକି ତାହା ପାଖକୁ ଗଲୁ ? ଏହି ତ ସ୍ନେହ କହୁଛି–‘‘ତୁ ପଠାଇଲାରୁ ମୁଁ ଗଲି । ମୁଁ ତ ତୋର ଆଜ୍ଞାବହ, ତୁ ଯେଉଁଠିକି ପଠାଇବୁ, ମୁଁ ସେଠାକୁ ଯିବାକୁ ବାଧ୍ୟ ।’’ ସତ କଥା ତ, ମୁଁ ପଠାଇଲାରୁ ସିନା ସେ ଗଲା, ତେବେ ଦୋଷ ମୋର । ଆଚ୍ଛା, ଦୋଷ ଯେବେ ମୋର ହେଲା, ତେବେ ମୋ କାନ୍ଦଣା ମୁଁ ନ ଶୁଣି ଆଉ କିଏ ଶୁଣିବ ? ତ୍ରାହି ମଧୁସୂଦନ !

 

ଦିନ ଗଣୁ ଗଣୁ ମାସ ଆସି ପୂର୍ଣ୍ଣ ହେଲା, କାହିଁ ସେ ତ ଆସିଲା ନାହିଁ ! ମନ, ତୁ କାହା ବଳରେ ବା କି ଭରସାରେ ଏଡ଼େ ଆଣ୍ଟରେ ବିଶ୍ୱାସ ବାନ୍ଧି ବସିଛୁ ? ତୁ କେତେ ଶ୍ଳେଷ, ଇଙ୍ଗିତରେ କଥା କହି ଜାଣୁ । ତୁ କହୁଛୁ ପରା–‘‘ଜନ୍ମାନ୍ତର ଯେତେବେଳେ ଅଛି, ତେତେବେଳେ ସେ ନିଶ୍ଚୟ ଆସିବ ।’’

 

ହେଉ, ଜନ୍ମାନ୍ତର ଯେବେ ଥାଏ, ତେବେ ସେ ଭିନ୍ନ ରୂପ ଧରି ଆସିପାରେ, ମାତ୍ର ଯେଉଁ ରୂପରେ ଯାଇଛି, ସେ ରୂପରେ ତ ଆସିବ ନାହିଁ ! ସେ କେବେ ଆସିବ, କେଉଁଠକି ଆସିବ, ମୁଁ ତାକୁ କାହିଁକି ଚିହ୍ନିବ, ସେ ମୋତେ କାହିଁକି ଚିହ୍ନିବ, ସେପରି ଆସିବାରେ ଲାଭ କଅଣ ? ସେ ଆସିବା ଆଉ ନ ଆସିବା ସମାନ । ଆଉ ଜନ୍ମାନ୍ତର ଅଛି କି ନାହିଁ, ତାହା ବା କିଏ ଜାଣେ ? ଥାଇ ବି ପାରେ, ନ ଥାଇ ବି ପାରେ । ଜନ୍ମାନ୍ତର ଅଛି ବୋଲି ବିଶ୍ୱାସଯୋଗ୍ୟ ପ୍ରମାଣ ବା କାହିଁ ? କେହି କେହି କହନ୍ତି–‘‘ଅନ୍ଧ ହେବା, ପଙ୍ଗୁ ହେବା–ଏ ସବୁ ପାପର ଫଳ । ଯେ ଜନ୍ମାନ୍ଧ ବା ଜନ୍ମପଙ୍ଗୁ, ସେ ତ ଜନ୍ମହେଲାକ୍ଷଣି ପାପ କରି ଅନ୍ଧ ତା ପଙ୍ଗୁ ହୁଏ ନାହିଁ ! ସେ ତାହା ପୂର୍ବଜନ୍ମ ପାପର ଫଳ ।’’ ଏହି କଥାରୁ କି ଜନ୍ମାନ୍ତର ସପ୍ରମାଣ ହେଲା ? ଏହା ଯୁକ୍ତିର କଥା ହୋଇପାରେ, ମାତ୍ର ମନ ମାନିବା ଭଳି ପ୍ରମାଣର କଥା ନୁହେଁ । ଶରୀର ଗଠନର ଅସମ୍ପୂର୍ଣ୍ଣତା ନାନା କାରଣରୁ ଘଟିପାରେ । ତାହା ଯେ କେବଳ ପାପର ଫଳ, ସ୍ୱତଃସିଦ୍ଧ କେଉଁ ଜ୍ୟାମିତିରେ ଅଛି ? ଗଛରେ ଯେତେ ଫଳ ଫଳେ, ସେଥିରୁ ସବୁ ପୂର୍ଣ୍ଣତାପ୍ରାପ୍ତ ହୁଏ ନାହିଁ–କେହି କୁଜା ହୁଏ–କେହି ଆବୁଆ ହୁଏ–କେହି ବା ପୋକା ହୁଏ । ତେବେ କୁଜା, ଆବୁଆ କିମ୍ବା ପୋକା ହେବା କଅଣ ସେହି ଫଳର ପୂର୍ବଜନ୍ମର ପାପ ? ନାନାବିଧ ପ୍ରାକୃତିକ କାରଣରୁ ସେପରି ଘଟିବା ଅସମ୍ଭବ ନୁହେଁ । ଆଉ ଜନ୍ମାନ୍ତର ନାହିଁ ବୋଲି ବା କିଏ ସାହସ କରି କହିପାରିବ ? ଭଗବାନଙ୍କ ଅନନ୍ତ ସୃଷ୍ଟି ବା ଅନନ୍ତ ରହସ୍ୟରେ କିଛିହିଁ, ଅସମ୍ଭବ ନୁହେଁ । ପୁଣି ପାପପୁଣ୍ୟର ମର୍ମ ବୁଝିବା ବି ତ ସହଜ ନୁହେଁ । ବନ୍ୟ ହସ୍ତୀଦ୍ୱାରା ତ ଅନେକ ସମୟରେ ଜୀବହତ୍ୟା ଘଟିଥାଏ, ତେବେ ସେଥିରେ କଅଣ ତାହାର ପାପ ହୁଏ ? ମନୁଷ୍ୟ ପରି ତାହାର ପାପପୁଣ୍ୟ ଜ୍ଞାନ ଅଛି କି ?

 

ପକ୍ଷାନ୍ତରରେ ହତ୍ୟାମାତ୍ରେ ତ ପାପ, ତେବେ ସେ ପାପ କାହାର ହୁଏ ? ଯାଉ ସେ କଥା, ‘‘ଖୋଳ ପର୍ବତ ମାର ମୂଷା’’ ରୁ କଅଣ ମିଳିବ ? ମୂଷା ମରିବା ଦୂରେ ଥାଉ, ସେ ମିଳିବ କି ନାହିଁ–ଖାଲି ପର୍ବତ ଖୋଳିବା ଏକା ସାର ହେବ ।

 

ଉଃ, ଏ ପୋଡ଼ା ମନକୁ ନେଇ ତ ସଂସାରରେ ଆଉ ଚଳିହେବ ନାହିଁ । ଭଗବାନ, ଏଟାକୁ ଭଲା ତୁମ୍ଭେ ନେଇଯାଅ, କେଉଁ ଶୂନ୍ୟ-ମହା ଶୂନ୍ୟରେ ଯେ ମିଳେଇଗଲାଣି–ଯାହାର ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ, ପାଗଳ ମନ କହୁଛି–ସେ ଆସିବ ! ମୁଁ ବି ତା କଥାରେ ଭୁଲିଯାଉଛି । କି ମନ୍ତ୍ରବଳରେ ସେ ମୋର ବିଶ୍ୱାସକୁ ହରିନେଉଛି କେଜାଣି ? ମୋର ଦୃଢ଼ ବିଶ୍ୱାସ ବି ପାଣି ହୋଇଯାଉଛି । ହାୟ, ଏ ପୋଡ଼ା ସଂସାରରେ କିଛି କଅଣ ସ୍ଥିର ନୁହେଁ ? ମନୁଷ୍ୟର ବିଶ୍ୱାସ ବି ଅସ୍ଥାୟୀ ହୁଏ ? ବେଳେ ବେଳେ କେଉଁ ଅପଦେବତା ଆସି ମୋ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ବସୁଛି। ତେତେବେଳେ ଆଉ ଅସ୍ୱଜ୍ଞାନ ରହୁ ନାହିଁ । ମା ଉମା, ତୁ ମୋତେ ପାଗଳ କରିଦେଉଛୁ । ଆଉ ଯନ୍ତ୍ରଣା ସହିପାରିବି ନାହିଁ। ଘୂଣଲଗା ରସିଆ ହାଡ଼ ଆଉ କେତେ ସହିବ ମା ! ତୋ ଛଡ଼ା ଆଉ କାହାରି ଉପରେ ଜୀବନ ନିର୍ଭର କରି ଚଳିହେବାର ତ ମୁଁ ଦେଖୁନାହିଁ ! ଏବେ ମୋତେ ନେଇ ଯା ମା ! ତୋତେ ଦେଖିଲାକ୍ଷଣି ମୁଁ ଶତ ଦୁଃଖ, ସହସ୍ର ପୀଡ଼ା, ଲକ୍ଷେ ଯନ୍ତ୍ରଣା ସବୁ ଭୁଲିଯାଉଥିଲି, ଏବେ ତୋ ସ୍ଥାନ ଅଧିକାର କରିବ କିଏ ? ଅନେକ ଖୋଜିଲାଣି–ଢେର ଭାବିଲିଣି, କେତେ ପରୀକ୍ଷା କଲିଣି; କିନ୍ତୁ ସେଭଳି ପତ୍ର ତ ଦେଖୁ ନାହିଁ ମା ! ତେଣୁ ସେ ଆଶା ଏ ଜନ୍ମ ସକାଶେ ଛାଡ଼ିଛି । ତୋ ପରି ଜୋରରେ ମନ ଭିତରେ ବ୍ୟାଜ ଆନନ୍ଦ ପୂରାଇଦେବ ଆଉ କିଏ ? ସେ ଆଲୌକିକ ଦୈବଶକ୍ତି କାହାରି ତ ଦେଖୁ ନାହିଁ ମା ! ତୁ ମୋ ହୃଦୟରେ ଯେଉଁ ଆସନ ଅଧିକାର କରିଥିଲୁ, ସେ ଆସନରେ ଆଉ କେହି ବସିବ ନାହିଁ ମା ! ଏ ଜନ୍ମରେ ସେ ସ୍ଥାନ ପୂର୍ଣ୍ଣ ହେବ ନାହିଁ, ପ୍ରାଣ ଥିବା ଯାଏଁ ତାହା ଖାଲି ରହିବ । ଶଶୀ ଛଡ଼ା ସାଗରକୁ ଉଛୁଳାଇବାର ଶକ୍ତି କୌଣସି ତାରାର ନାହିଁ ମା ! ହରି ହେ, ତୁମ୍ଭ ମନରେ ଏଇଆ ଥିଲା ?

 

ହାୟ ମା ଲୋ, ଟିକିଏ ସରବତ ପାଇଁ କେତେ ବ୍ୟାକୁଳ ହେଉଥିଲୁ ! ତୋର ରୋଗ ବୃଦ୍ଧି ଭୟରେ ମୁଁ ତାହା ଦେଇ ନାହିଁ । ତୁ ଚାଲିଯିବୁ ବୋଲି ଜାଣି ଥିଲେ ନିଶ୍ଚୟ ନୋଟାଏ ପିଇବାକୁ ଦେଇଥାନ୍ତି; ମାତ୍ର ନିଷ୍ଠୁର ଆଶା-ପିତାଶୁଣୀ ମୋତେ ଭୟ ଦେଖାଇଲା । ଏ ବର୍ଷ ଆମ୍ବ ପାଚିଲେ ଖାଇବୁ ବୋଲି କେତେ ଖୁସି ହେଉଥିଲୁ, ଏବେ ତାହାସବୁ ମୁଁ କାହକୁ ଦେବି ? ଅବୁଝା ମନ ତ ଥୟ ହେଉ ନାହିଁ । ସରବତ୍‌, ଆମ୍ବ ତୋ ଶ୍ମଶାନ ଭୁମିକୁ ପଠାଇଦେବା ପାଇଁ ସେ କହୁଛି । ହାୟ ଅବୋଧ ମନରେ, ଶ୍ମଶାନରେ ତୋର ଆମ୍ବ ସରବତ୍‌ କିଏ ଖାଇବ ? ତାହାର କ୍ଷୁଧା ତୃଷା ନିବାରଣ ପାଇଁ ତୋର ଏ ବ୍ୟବସ୍ଥା ? ପୃଥିବୀର ଜୀବ ପୃଥିବୀରେ ଥିବା ପର୍ଯ୍ୟନ୍ତ ଏହି ନିର୍ବୋଧପଣିଆ ଛାଡ଼ିପାରିବ ନାହିଁ । କ୍ଷୁଧା ତୃଷା ପାର୍ଥିବ, ସେ ପୃଥିବୀ ଛାଡ଼ି ତାହା ସଙ୍ଗରେ ଯିବ ନାହିଁ । ପୁଣି ସେ ଅମୃତ ରାଜ୍ୟରେ ଅଛି–ଅମୃତ ପାନ କଲେ ପାର୍ଥିବ କ୍ଷୁଧା ତୃଷା ଛୁଇଁ ପାରେ ନାହିଁ-। ତୋର ନବାତ ପଣା ତ ଅମୃତଠାରୁ ଉପାଦେୟ ନୁହେଁ–ତାହା ପିଇବା ପାଇଁ ସେ ଧାଇଁ ଆସିବ । ଆଉ ପୃଥିବୀର ଅପବିତ୍ର ପଦାର୍ଥ ସେ ଛୁଇଁବ ବା କାହିଁକି ? ମନ, ତୋର ଏ କଳ୍ପନା–ଏ ଧାରଣା ସବୁ ମିଛ; କିନ୍ତୁ ସେହି ମିଛ ଭିତରେ ସେ ଟିକିଏ ଶାନ୍ତି ଅଛି, ତାହା ମୁଁ ଅସ୍ୱୀକାର କରିବି ନାହିଁ । ସେ ନ ଥାଉ ପଛକେ–ଆସି ନ ଖାଉ ବା ନ ଛୁଇଁ ପଛକେ; ମାତ୍ର ତାହା ନାମରେ ଉତ୍ସର୍ଗ କରି କିଛି ଦେଇ ଆସିଲେ କାହିଁକି କେଜାଣି ମନରେ ଗୋଟାଏ ଅପୂର୍ବ ତୃପ୍ତି ଜାତ ହୁଏ । ସତେ ଯେପରି ସେ ଆସି ନେଲା–ଖାଇଲା, ଏହିପରି ଗୋଟାଏ କୃତ୍ରିମ ଧାରଣା ମନକୁ ପ୍ରବୋଧ ଦିଏ । ଏ ଧାରଣା ଯେ ମିଥ୍ୟା–ଏ କଥା ସତ; ମାତ୍ର ଝୁଟା ମୋତିରେ ବା ବେଙ୍ଗି ପିତ୍ତଳରେ ଯେବେ ଟିକିଏ କ୍ଷୀଣ ଜ୍ୟୋତି ଥାଏ, ତେବେ ତାହା କି ଉପଭାଗ୍ୟ ନୁହେଁ ? ଯହିଁରେ ହତାଶ ମନ କ୍ଷଣକ ପାଇଁ ପ୍ରଫୁଲ୍ଲ ହୁଏ, ତାହା ଅମୂଳକ ହେଲେ ସୁଦ୍ଧା କରଣୀୟ । ଆନନ୍ଦ ସମ୍ବାଦ ମିଥ୍ୟା ହେଲେ ସୁଦ୍ଧା କ୍ଷଣିକର ମୂଲ୍ୟ ଯେ ଅମୂଲ୍ୟ–ଏହା ବୋଲିବା ବାହୁଲ୍ୟ ।

 

ସତ କହୁଛି ମା, ସଂସାରରେ ଆଉ ମନ ଲାଗିବାକୁ ନାହିଁ । କେଉଁଠି କଅଣ ଛାଡ଼ି ଆସିଲା ପରି ମନ ଖାଲି ଉଚ୍ଚାଟ ହେଉଛି, ସଂସାରକୁ ଦେଖି ଡର ମାଡ଼ୁଛି । ତାହାର ବିଷବାଷ୍ପରେ ନିଃଶ୍ୱାସ ରୁଦ୍ଧ ହୋଇ ଆସୁଛି । ମୋର ଜୀବନ ସବୁବେଳେ ଗୁଳିଭରା ବନ୍ଧୁକ ମୁହଁରେ ରହିଛି । କେତେବେଳେ କୁଆଡ଼େ ଉଡ଼ିଯିବ, ତାହାର ଠିକଣା ନାହିଁ । ନିଜର ଦେହଟାକୁ ନିଜେ ଟେକିପାରୁ ନାହିଁ । ଟାଣି ଓଟାରି ତାକୁ ଚଳାଇବାକୁ ପଡ଼ୁଛି । ଗତର ନ ଚଳିଲେ ବଞ୍ଚି ରହିବା ବିଡ଼ମ୍ବନା ସିନା ! ସଂସାରରୁ ଯେ ଚାଲିଯାଏ ସେ ମୁକ୍ତ ହୋଇଯାଏ; ମାତ୍ର ଯେ ରହେ ସେ ପଚିବା ପାଇଁ ରହେ । କିନ୍ତୁ କଅଣ କରିବି ମା, ଜୀବନକୁ ତ ଫିଙ୍ଗିଦେଇ ହୁଏ ନାହିଁ । ଶଙ୍କରାଚାର୍ଯ୍ୟଙ୍କ ବୈରାଗ୍ୟ-ଗୀତିକା ଗାଇ ମାଣକ ପୂରିବା ଯାଏ ପଡ଼ିରହିବାକୁ ହେବ; ଏହା ଛଡ଼ା ଆଉ ଚାରା କଅଣ ଅଛି ? ବାସ୍ତବରେ ଏ ସଂସାର ଗୋଟାଏ ମଜାଦାର ଆଖଡ଼ା ଘର । ଏଠାରେ ସବୁ ଅଛି, ଖାଲି ନାହିଁ ଏକା ନାହିଁ । ଏହି ମନୁଷ୍ୟର ଜୀବନ ରକ୍ଷା ଓ ମନସୃଷ୍ଟି ସକାଶେ କେତେ ଉପାୟ କରାଯାଏ, ପୁଣି ଏହି ମନୁଷ୍ୟର ମୃତ୍ୟୁ–କାମନା ବି କରାଯାଏ । ଯେ ଗଳାର ହାର ଥାଏ, ସେ ଜୀବନର ଭାର ହୁଏ । ଯାହାର କଥା ହିତକର ଥାଏ, ତାହାର ପ୍ରତି କଥା, ପ୍ରତି ଶବ୍ଦ ଦୋଷମୟ ଓ ବିଷମୟ ହୋଇଉଠେ-। ଅର୍ଥରେ କିଛି ନାହିଁ । ଶକ୍ତି ଗଲେ ଅର୍ଥର ମହତ୍ତ୍ୱ ବି ଖର୍ବ ହୋଇଯାଏ । ସବୁ ଯାଏ, ତହିଁ ସଙ୍ଗରେ ସମ୍ଭ୍ରମଟିକକ ବି ନଷ୍ଟ ହୋଇଯାଏ । ଆଜ୍ଞା ଆପଣ ଯେଉଁଠି ଆସିଥିଲା, ସେଇଠିକି ଚାଲିଯାଏ । କେତେଗୁଡ଼ାଏ ଅପଶବ୍ଦ ଆସି ତାହା ସ୍ଥାନ ଅଧିକାର କରେ । ଏହିପରି ସଂସାର କେତେ ଯାତ୍ରା, କେତେ ସୁଆଙ୍ଗ, କେତେ କୌତୁକ, କେତେ ହାସ୍ୟ, କେତେ ଭେଳିକିରେ ପୂର୍ଣ୍ଣ । ଏଠାରେ ଅବସ୍ଥା ଅନୁସାରେ ସୁଖଦୁଃଖ ଭୋଗ କରାଯାଏ । ଯାହାର ପାଦ ଛୁଇଁ ନମସ୍କାର କରାଯାଉଥାଏ, ତାହାକୁ ପୁଣି ପଦାଘାତ କରାଯାଏ । ଏଠାରେ ସ୍ନେହ ନାହିଁ । ସ୍ୱାର୍ଥହିଁ ସ୍ନେହ ନାମ ଧରିଅଛି । ତୁ ସୌଭାଗ୍ୟବତୀ, ତାହାସବୁ ନ ଦେଖଇ ଚାଲିଗଲୁ । ସଂସାରରେ ଯେଉଁମାନେ ସମପ୍ରାଣ ପରିବାର ପାଇଛନ୍ତି, ସେମାନଙ୍କ ଜୀବନ ଧନ୍ୟ । ଶିକ୍ଷା ଓ ଆଦର୍ଶ ଉଭୟେ ମନୁଷ୍ୟ ଜାତିକୁ ମହତ୍‌ କରନ୍ତି । ଗୃହସ୍ଥାଶ୍ରମଠାରୁ ବାନପ୍ରସ୍ଥର ସ୍ଥାନ ଉଚ୍ଚ ହେବାର ଯଥେଷ୍ଟ କାରଣ ଅଛି। ସଂସାରର ଦୁଃଖଜଞ୍ଜାଳ ଭିତରକୁ ନ ଆସି ବାହାରେ ବାହାରେ ରହି ଈଶ୍ୱରଙ୍କ ରାଜ୍ୟର ଶୋଭା ଦେଖି ବୁଲିବା କି ଶ୍ରେୟସ୍କର ନୁହେଁ ? ପ୍ରତିବନ୍ଧକ ମନୁଷ୍ୟକୁ ମାଟି କରେ । ସେ ଯାହାର ନାହିଁ, ସେ ଭାଗ୍ୟଧର । ତାହାର ସ୍ୱାଧୀନ ଇଚ୍ଛା ଓ ଲକ୍ଷ୍ୟ ପ୍ରତିହିତ ହୁଏ ନାହିଁ । ତାହାର ସ୍ୱାଧୀନ ଚିନ୍ତା ସଙ୍କୁଚିତ ନ ହୋଇ ବିଶାଳ ଆକାର ଧାରଣ କରେ । କାହାର ମସ୍ତିଷ୍କ ଉଚ୍ଚ ଚିନ୍ତା ଓ ଉଚ୍ଚ ଧାରଣାର ଭାର ସହିପାରେ । ଚାରିଆଡ଼ୁ ସୁବିଧା ପାଇ ପ୍ରତିଭା ଫୁଲିଉଠେ । ହାୟ ! ସେ ଦିନ ଯାଇଛି, କେତେବେଳେ ସେ ବୁଦ୍ଧି ଆସେ ନାହିଁ । ସେହି ଅଜ୍ଞାନତାର ଫଳ ଆଣି କାଳ ଗୋଟି ଗୋଟି କରି ଦେଖାଇଦେଇ ମୃତ୍ୟୁ ପର୍ଯ୍ୟନ୍ତ କଠୋର ପରିହାସ କରେ । ଯେଉଁମାନେ ଭାଗ୍ୟବାନ୍‌, ସଂସାରରେ ତାଙ୍କ ପାଇଁ ମଡ଼ା କାନ୍ଦଣା କାନ୍ଦିବାକୁ ଲୋକ ଥାନ୍ତି; ମାତ୍ର ତାହା ସାଧାରଣ ଦୁର୍ଲଭ । ଅନେକ ଜନାରଣ୍ୟ ପରିବାରରେ ମୃତବ୍ୟକ୍ତି ପାଇଁ କେହି କାନ୍ଦିବାକୁ ଥାଏ ନାହିଁ । ସଂସାରରେ ତ ଏହିପରି ଦେଖି ଦେଖି ଆସିଲି ।

 

ମା ସେଥିପାଇଁ ଯିବାକୁ ମନ ଚଞ୍ଚଳ । ଆଚ୍ଛା ମନୁଷ୍ୟକୁ ତ ଭଗବାନ ଏ ପୃଥିବୀରୁ ନେଇଥାନ୍ତି, ତେବେ ଶକ୍ତିହୀନ କରି ମାରି ନିଅନ୍ତି କାହିଁକି ? ଆଖିକୁ ଦିଶିବ ନାହିଁ, କାନକୁ ଶୁଭିବ ନାହିଁ, ତୁଣ୍ଡକୁ ରୁଚିବ ନାହିଁ–ତେବେ ଯାଇ ପ୍ରଭୁଙ୍କର ଅନୁଗ୍ରହ ହେବ । ଏଟା ତାଙ୍କ ରାଜ୍ୟର ସାଧାରଣ ନିୟମ; ମାତ୍ର ଏ ନିୟମରେ ବ୍ୟତିକ୍ରମେ ବି ଯଥେଷ୍ଟ ଘଟେ । କେହି ଜରାରେ ଜୀବନ୍ମୃତ ହୋଇ ମରେ–କେହି ଯୌବନରେ ମରେ, କେହି ଶୈଶବରେ ମରେ, ପୁଣି କେହି ମାତୃଗର୍ଭରେ ମରେ । କର୍ମ ସାରିଲା ଉତ୍ତାରୁ ସମସ୍ତେ ଯିବେ ବୋଲି ତ ଶାସ୍ତ୍ର ପୁରାଣ କହେ । କେହି କହେ, ହାଟ ସଉଦା ସରିଲେ ଯିବାକୁ ହେବ; ମାତ୍ର ଏହା କେମନ୍ତ କଥା ? ଯେ ମାତୃଗର୍ଭରେ ମରେ, ତାହାର କର୍ମ ଅବା କାହିଁ ? ସଂସାରକୁ ତ ସେ ଦେଖେ ନାହିଁ, ତେବେ ହାଟକୁ ନ ଯାଇ ସଉଦା ସାରିଲା ବା କଅଣ–ଏଥିର ରହସ୍ୟ କିଏ କହିବ ? ମା, ତୁ ବର୍ତ୍ତମାନ ଭଗବାନଙ୍କ ଚରଣ ତଳେ ଅଛୁ । ତାଙ୍କୁ ପଚାରି ବୁଝିଥିବୁ, ମୁଁ ଗଲେ କହିବୁ । ଶୁକ୍ରବାର, ତୋହ ପ୍ରତି ବିଜାତୀୟ ଘୃଣା ହେଉଛି । ତୋତେ ସଶରୀରେ, ହାତ ପାଖରେ ପାଇଲେ କଶିକରି ତୋର କାନଯୋଡ଼ାକ ମୋଡ଼ିଦିଅନ୍ତି । କି ଅକୃତଜ୍ଞ ତୁ ? ତୁ ମୋର ଘାତ ବାର, ସୁତରାଂ ଅନାଦୃତ । ମୁଁ ତୋତେ ଆଦର କଲେ ଅଶୁଭ ହୋଇ ସୁଦ୍ଧା ଶୁଭ ହେବୁ–ଏହି ବିଶ୍ୱାସରେ ମୁଁ ଶୁଭକାର୍ଯ୍ୟମାତ୍ରେ ଶୁକ୍ରବାରରେ ଆରମ୍ଭ କରେ । ତୁ ମଧ୍ୟ ମୋର କାମନା ସଫଳ କରୁ । ଶତ୍ରୁକୁ ପ୍ରେମରେ ଆଲିଙ୍ଗନ କଲେ ସେ ଶତ୍ରୁତା ଭୁଲିଯାଇ ମିତ୍ର ଆଚରଣ କରେ । ଏହି ବିଶ୍ୱାସରେ ମୁଁ ଚୋର ହାତରେ କୁଞ୍ଚିକାଠି ଦେଇଥିଲି; ମାତ୍ର ଏତେ କାଳ ପରେ ବୁଝିଲି ଯେ; ମୋର ସେ ଧାରଣା ଭୁଲ । ସାପକୁ ଦୁଧ ମହୁ ପିଆଇଲେ ସେ ବିଷ ଉଦ୍‌ଗାର କରେ-। ଏତେ ଦିନେ ତୁ ନିଜ ହାତରେ ନିଜ ମୁହଁରେ କାଳି ବୋଳିହେଲୁ । ତୁ ବି ମୋ ଉପରେ ଦାଉ ସାଧିଲୁ । ହାୟ ! ମୋର ଯେ ଅମୂଲ୍ୟ ନିଧି ହରଣ କଲୁ, ତାହା ଆଉ କଅଣ କହିବି ? ବଞ୍ଚିଥିବାଯାଏ ତୋର ଅଖ୍ୟାତି ଗାଇବି ଏବଂ ତୋର ମସ୍ତକରେ ତପ୍ତ ଅଶ୍ରୁ ଢାଳୁଥିବ । ଏହାହିଁ ତୋର କ୍ରୁର କରଣୀର ଉପଯୁକ୍ତ ପ୍ରତିଦାନ । ଶୁକ୍ରମୁନି, ତୁମ୍ଭେ ପରା ଶୁକ୍ରବାରର କର୍ତ୍ତା, କି ଅଶୁଭ କ୍ଷଣରେ ତୁମ୍ଭେ ଜନ୍ମ ଲଭିଥିଲ କେଜାଣି ? ବାମନ ଦେବତା ତୁମ୍ଭ ଗୁଣ ଜାଣି ଗୋଟାଏ ଆଖି ଫୁଟାଇଦେଇଛନ୍ତି । ଏ ଯୁଗରେ ଆଉ କେହି ତୁମ୍ଭ ଆର ଆଖିଟା ଫୁଟାଇଦିଅନ୍ତା କି ! ବ୍ରାହ୍ମଣ ଖାଲି ତେଜସ୍ୱୀ ହୁଏ ନାହିଁ, ଶାନ୍ତି ତାହାର ଜନ୍ମଗତ ଧର୍ମ । ସେହି ଶାନ୍ତଭାବ ତାହାର ବ୍ରହ୍ମତେଜର ଭୂଷଣସ୍ୱରୂପ । ଯେ ବ୍ରାହ୍ମଣ ହୋଇ ପରକୁ ପୀଡ଼ା ଦିଏ, ତାହାର କେବେ ଭଲ ଗତି ହୁଏ ନାହିଁ; ତୁମ୍ଭେ ଯେତେ ଋଷି–ଯେତେ ପଣ୍ଡିତ–ଯେତେ ବଡ଼ଲୋକ ହୁଅ ପଛେ, ଦୂରନ୍ତ ଦାନବକୁଳର ଗୁରୁ ହୋଇ ଦୂରନ୍ତ ନ ହେବ କାହିଁକି ? ଶାସ୍ତ୍ର କହୁଛି ପରା, ସଂସର୍ଗଜା ଦୋଷଗୁଣାଃ ଭବନ୍ତି । ତୁମ୍ଭର ବ୍ରାହ୍ମଣପଣ ଭସ୍ମମିଶା କର୍ପୁର କିମ୍ବା ମଦମିଶା ମହୁ ପରି ଭୟଙ୍କର ସିନା । ତୁମ୍ଭେ ଅକ୍ଷମସର୍ବସ୍ୱ ଉଦ୍ଧତା ଦୁର୍ମୁଖା ଦୁହିତା ବାକ୍ୟରେ ସାମାନ୍ୟ ଦୋଷରେ ତୁମ୍ଭେ ଯଯାତି ପରି ଜାମାତାଙ୍କୁ କଠୋର ଶାପରେ ଦଣ୍ଡିତ କଲ ।

 

ଏଭଳି କ୍ରୋଧ ବାହ୍ମଣ ଓ ବ୍ରାହ୍ମଣତ୍ୱର କଳଙ୍କ ସିନା ! ଯାହାର ଦୟା ନାହିଁ, ସେ ବ୍ରାହ୍ମଣ ନୁହେଁ । ଆଉ ଅଧିକ କହିବାକୁ ପ୍ରବୃତ୍ତି ବଳୁ ନାହିଁ । ମାସେ ପୁରି ଆଠଦିନ ଅଧିକ ହେଲା ମା, ତୋର ଏ ଜରାଜୀର୍ଣ୍ଣ ରୁଗୁଣ ବାପ କଥା ଆଉ କି ତୋ ମନରେ ପଡ଼ିଲା ନାହିଁ ? ମୁଁ ଅନୁମାନ କରୁଛି, ତୁ ସୁଖଭୋଗ ଭୋଳରେ ମୋତେ ଭୁଲିଯାଇଛୁ । ଏଥିରୁ ଜାଣୁଛି, ତୁ ଭଲ ଅଛୁ, ଏଠା ଅପେକ୍ଷା ବହୁଗୁଣ ସୁଖରେ ଅଛି । ତାହା ହିଁ ତ ମୋର ଦଗ୍‌ଧ ପ୍ରାଣର ସର୍ବଶ୍ରେଷ୍ଠ କାମନା ଓ ସାନ୍ତ୍ୱନା ମା ! ଜଗତର ତୋର ସମବୟସ୍କ ପିଲାର ତ ଅଭାବ ନାହିଁ, ତେବେ ସମସ୍ତଙ୍କୁ ଛାଡ଼ି ବିଧାତା ତୋତେ ଏକା ନେଇଗଲେ କାହିଁକି ? ତୋ ଉପରେ ତାଙ୍କର ଅସୀମ ଦୟା ଥିବାରୁ ସିନା ! ଆଜି ତୋତେ ଆଉ ଗୋଟିଏ କଥା କହି ବିଦାୟ ନେବି ମା ! ତୋତେ ଯେତେ ଯେ ସାକୁଲା ସାକୁଲି କରୁ ପଛେ, ତୁ ଆଉ ପୃଥିବୀକୁ ଆସିବାକୁ ରାଜୀ ହେବୁ ନାହିଁ । ମୃତ୍ୟୁ ପୂର୍ବରୁ ତୋତେ କିଏ ପାକଲା ଆମ୍ବ ଯାଚି ଡାକୁଥିଲା ବୋଲି କହୁଥିଲୁ ପରା ମା ? ସେହିପରି କେହି କିଛି ଅପୂର୍ବ ପଦାର୍ଥ ଦେଖାଇଲେ ତୁ ଲୋଭରେ ପଡ଼ି ଏ ଅସ୍ଥାୟୀ ଦୁଃଖପୂର୍ଣ୍ଣ ସଂସାରକୁ କେବେ ଆସିବୁ ନାହିଁ । ମୁଁ ତୋତେ ଭଗବାନଙ୍କ ପାଦତଳେ ସମର୍ପଣ କରି ଦେଇଛି । ତୁ ତାଙ୍କର ମନ ନେଇ ସେବା କରୁଥିବୁ, ତାହାହେଲେ ସେ ଆଉ ତୋତେ କୁଆଡ଼େ ନ ପଠାଇ ସବୁବେଳେ ପାଖରେ ରଖିଥିବେ । ତୁ ସେହିଠାରେ ଅନନ୍ତ ଅଖଣ୍ଡ ସୁଖ ଭୋଗ କରି ଧନ୍ୟ ହେବୁ । ଏ ସଂସାର-ରୂପ ଜ୍ୱଳନ୍ତ ଅଗ୍ନିକୁଣ୍ଡ ମଧ୍ୟକୁ ଥରେ ଭୁଲ କରି ଆସିଥିଲୁ, ଆଉ ସେପରି ଭୁଲ କରିବୁ ନାହିଁ । ମୋର ଏ କଥାଟି ମନରେ ରଖିଥିବୁ ।

 

ମା ଉମା ! ତୋର ସ୍ମୃତି ତୋତେ ଆଉ ଭୁମଣ୍ଡଳରେ ରଖାଇଦେବ ନାହିଁ । ମା, ତୁ ତୋର ମୂର୍ତ୍ତିଟି ନେଇଗଲୁ, କିନ୍ତୁ କୋଟିଏ ସ୍ମୃତି ରଖିଗଲୁ । ଓଃ, କି ଭୀଷଣ ସର୍ପ ସେ ! ଏକାବେଳକେ ସହସ୍ର ମୁଖରେ ମର୍ମସ୍ଥଳରେ ତୀବ୍ର ଦଶନ କରୁଛି । ମୁଁ ସେହି ଜ୍ୱାଳାମୟୀ ସ୍ମୃତିକୁ କଅଣ କରିବି ? ସେ ତ କ୍ଷଣେ ମୋତେ ଛାଡ଼ିବାକୁ ନାହିଁ, ଛାଇ ପରି ସବୁବେଳେ ସଙ୍ଗରେ ଗୋଡ଼ାଇଛି । ସେ ମୋତେ କିଛି କରାଇଦେଉ ନାହିଁ । ମୁଁ ଟିକିଏ ଶାନ୍ତି ପାଇବ ବୋଲି ଈଶ୍ୱରଙ୍କ ନାମ ଜପି ବସିଲେ ସେ ଆସି ବାଧା ଦିଏ । ଖାଇ ବସିବାବେଳେ ଆସି ଚକ୍ଷୁ ଲୋତକପୂର୍ଣ୍ଣ କରିଦିଏ । କିଛି ଭାବିଲାବେଳେ ଧାଇଁ ଆସି ମୋର ଚିନ୍ତା ସୂତ୍ର ଶତଛିନ୍ନ କରିଦିଏ । ନିଦ୍ରାତାବସ୍ଥାରେ ଟିକିଏ ନିସ୍ତାର ପାଏଁ; ମାତ୍ର ନିଦ ଭାଙ୍ଗିଲାକ୍ଷଣି ସେ ଆସି ଉପସ୍ଥିତ । ଅନାଦର କରି ଠେଲିଦେଲେ, ମନଇଚ୍ଛା ଗାଳିଦେଲେ ତେବେ ବି ଆସୁଛି । ସେଟା ବଡ଼ ବେହିଆପଣ । ଲାଜମାଟିରେ ତା ଦେହ ଗଢ଼ା ହୋଇ ନାହିଁ । ତୁ ତ ଗଲୁ, ତୋର ସ୍ମୃତିକୁ ନେଇଗଲୁ ନାହିଁ କାହିଁକି-? ତୁ ତ ମୋର ହେଲୁ ନାହିଁ, ତୋର ସ୍ମୃତି କାହିଁକି ମୋର ହେବ ? ତୋ ବଦଳରେ ତୁ କଣ ରଖିଗଲୁ ଯେ, ମୁଁ ତାକୁ ଦେଖି ଥୟ ଧରି ରହିପାରିବି ? ଲୋକେ କହନ୍ତି, ସମୟ ଯେତେ ଅତୀତ ହୁଏ, ଆଘାତଜନିତ ବେଦନା ତେତିକି ମିଳେଇଆସେ, ଘା ବି ତେତିକି ଶୁଖି ଆସେ; କିନ୍ତୁ ନାହିଁ ମା, ତାହା ହେବା ଦୂରେ ଥାଉ, କ୍ଷତି ବିସପତ ହୋଇ ବରଂ ଅଧିକ ଗଭୀର ହେଉଛି । ଦୁଷ୍ଟ ଶୁକ୍ରବାରଟା ସବୁଠାରୁ ବେଶୀ ଯନ୍ତ୍ରଣା ଦିଏ । ବାର ଚକ୍ରରୁ ସେଟାକୁ କେହି ଉଠାଇଦେଲେ ମୁଁ କାହାର କିଣାକିଙ୍କର ହୋଇ ରହନ୍ତି ।

 

ଅଭାବ ସିନା ପଦାର୍ଥର ମୂଲ୍ୟ ବୁଝାଇଦିଏ । ତୋର ସେହି ଅଭାବର ମୂଲ୍ୟ ପ୍ରାଣେ ପ୍ରାଣେ ଅନୁଭବ କରୁଛି ମା ! ତୁ ସବୁତେଳେ ମୋ ପାଖରେ ଥିଲୁ; ବାଳ ବିହଙ୍ଗର କାଳକାକଳି ତୁଲ୍ୟ ତୋର ମଧୁର ବାଣୀରେ ମୁଗ୍‌ଧ ହୋଇ ସବୁ ବ୍ୟଥା ବେଦନା ଭୁଲି ଯାଉଥିଲି; କିନ୍ତୁ ହାୟ ! ବିଧାତା ମୋର ସେ ସୁଖଟିକ ବି ଛଡ଼ାଇନେଲା । ତୋ ଅଭାବରେ ଏବେ ଏକୁଟିଆ ବସି ଶୂନ୍ୟ ମନରେ ହାହାକାର କରୁଛି । ଆଉ କେହି ତୋ ପରି ଏ ଶୋକ ଦଗ୍‌ଧ ପିତା ପାଖକୁ ଆସୁ ନାହିଁ, ଆସୁଛି ଏକା ଲୋତକ । ସେହି ମୋର ବିପଦବନ୍ଧୁ ଓ ନିର୍ଜ୍ଜନ ସଙ୍ଗୀ । ତୋ ପରି ଏତେ ଦରଜ ଆଉ କାହାର ହେବ ଯେ, ସେ କତିରେ ବସି ମୃତ୍ୟୁପଥ-ଯାତ୍ରୀର ଚିର ବିନୋଦ କରିବ ? ମା, ତୁ ମୋ ଆଖି ଆଗରେ ଦୁଇଟି ଅକ୍ଷର ଲେଖି ରଖି ଯାଇଛୁ । ନିର୍ଜନତା ଯେତେବେଳେ ଅସହ୍ୟ ହୋଇଉଠେ, ତେତେବେଳେ ମୁଁ ସେହି ଅକ୍ଷର ଯୋଡ଼ିକ ସଙ୍ଗରେ କଥା କହି ହୃଦୟର ଗୁରୁଭାର କିଞ୍ଚିତ ଲଘୁ କରେ । ତୋତେ ପାଶୋରିଯିବା ପାଇଁ ତୁ ଅବା କହିବୁ; ମାତ୍ର ତାହା ହୋଇପାରେ କି ମା ? ଫୁଲ କି ସୁବାସକୁ ଭୁଲିପାରେ ? ସେ ଯେ ତାର ସମ୍ପଦ–ସେ ଯେ ତାର ଜୀବନ ମା ! ତୋ ଅଭାବରେ ଗୋଟିଏ ଦିନ ମୋତେ କୋଟିଏ ଯୁଗପରି ଲାଗୁଛି ମା ! ତୁ ଗଲୁ, ମୋତେ ରଖିଗଲୁ କାହିଁକି ? ସଙ୍ଗରେ ନେଲୁ ତ ନାହିଁ, ଏବେ ଭଲା ନେଇଯିବାକୁ ଉପାୟ କର । ଅବଧି ତୁ ମୋ ଲାଗି ଭଗବାନଙ୍କ ପାଖରେ କିଛି ଜଣାଇ ନାହୁଁ ? ତୁ ସରଳ ଶିଶୁ । ସରଳ ପ୍ରାଣରେ ମୋ ପାଇଁ ଜଣାଇଥିଲେ ଭଗବାନଙ୍କର କି ସାଧ୍ୟ ଅଛି ଯେ, ସେ ତୋହର ଗୁହାରି ନ ଶୁଣି ରହିପାରିବେ? ମୋର ଅବସ୍ଥା ତୁ କଅଣ ଦେଖୁ ନାହୁଁ ? ଯେତେବେଳେ ବ୍ୟଥା ବଳିପଡ଼ି ପାଚିଲା ବଥ ପରି ହୃଦୟ ଟଣ୍‌ଟଣ୍‌ହୁଏ, ତେତେବେଳେ ମୁଁ କିଛି ଉପାୟ ନ ପାଇ ତୋହରି କଥା ଲେଖିବସେ । ମୁଁ ଯେତେ ଲେଖୁଛି, ଲେଖିବାକୁ ତେତେ ମନ ବଳୁଛି । ଲେଖିବାଦ୍ୱାରା ମୁଁ ଘୋର ଦୁଃଖ ମଧ୍ୟରେ ଟିକିଏ ସୁଖ ପାଏଁ ବୋଲି ଲେଖେଁ; ହୃଦୟର ବଜ୍ରଭାର କିଞ୍ଚିତ ଉଶ୍ୱାସ ହୁଏ ବୋଲି ଲେଖେଁ । ନଚେତ୍‌ଏ ମୋର ସୌଖୀନ ଲେଖା ନୁହେଁ । ଏ ନିର୍ଜ୍ଜନ କାରାଗାରରୁ ମୋତେ ଶୀଘ୍ର ଉଦ୍ଧାର କର ମା ! ଏହା ଛଡ଼ା ମୁଁ ଆଉ ତୋତେ କିଛି କହୁ ନାହିଁ । ମୋର କଥା ମାନ୍‌ ମା ! ମା ଉମା, ଦୁଇ ମାସରୁ ବଳିଗଲା, ଆଉ କେବେ ତୁ ଆସିବୁ ? ହାୟ ଅବୋଧ ମନରେ, ତୁ କେତେବେଳେ କଅଣ କହିପକାଉ ? ତୋର ଥାନ ଜ୍ଞାନ ନ ଥାଏ । ଯେ ଗଲା, ସେ କି ଆଉ ଆସିବ ? କର୍ପୂର ଉଡ଼ିଯାଇ ବାୟୁରେ ମିଳେଇଗଲାଣି, ସେ କି ଆଉ ମୁଣ୍ଡା ବାନ୍ଧିବ ? ମା ଲୋ, ସେଠି ତୋର ଗୋସବାପ, ଗୋସମା, ବଡ଼ବାପ, ଅଜା, ଆଈମା, ମାଉସୀ–ସମସ୍ତେ ଅଛନ୍ତି ।

 

ସେମାନେ ତୋତେ ବୀଣାଯନ୍ତ୍ର ପରି ଭୂଇ ଛୁଆଁଇ ନ ଦେଇ କୋଳରେ ବଢ଼ାଉ ଥିବେ । ତୁ ସେମାନଙ୍କ ଆଦର ସ୍ନେହ ପାଇ ମୋତେ ଭୁଲିଯାଇଥିବୁ । ସେଠାରେ ତୋର ଦୁଇଟି ଭାଇ ତୋର ଜନ୍ମ ପୂର୍ବରୁ ଯାଇଛନ୍ତି । ତୁ ତାଙ୍କ ସଙ୍ଗରେ ଖେଳୁଥିବୁ । ତାଙ୍କୁ ଦେଖି ମୋତେ ଭୁଲିପାରିଥିବୁ; ମାତ୍ର ମୁଁ କାହାକୁ ଦେଖି ତୋତେ ଭୁଲିପାରିବି ? ତୋ ପରି ମୋର ଆଉ କିଏ ଅଛି-? ଭାଇଟିମାନେ ତୋତେ କେତେ ଶରଧା କରି ‘କୁ’ ଆଣି ଦେଉଥିବେ, ‘ଫୁ’ ଆଣିଦେଉଥିବେ-। ତୁ ଠାକୁର ପାଜାଁ (ଠାକୁର ପୂଜା ) କରୁଥିବୁ । ତୋର ସାଙ୍କେତିକ ଭାଷା ସେ ବୁଝନ୍ତି ତ ମା ? ‘କୁ’ ଅର୍ଥ ଜାତୀୟ ଫଳ ଓ କୋଳି । ‘‘ପୁ’’ ଅର୍ଥ ଫୁଲ । ଶିଶୁ-ସୁଲଭ ଏହି ଏକାକ୍ଷରୀ ଭାଷା ସେ ଶିଶୁ ଦୁଇଟି ଅବଶ୍ୟ ବୁଝି-ପାରୁଥିବେ । ଶିଶୁର ଭାଷା ଶିଶୁଏ ଭଲ ବୁଝନ୍ତି । ମୋର ଅନେକ ଅଛନ୍ତି ସତ୍ୟ; ମାତ୍ର ତୋ ପରି କେହି ଦିଶୁ ନାହିଁ; ତୋ ପରି କେହି ପ୍ରାଣରେ ଆନନ୍ଦ ଢାଳୁ ନାହିଁ କିମ୍ବା ଦଗ୍‌ଧ ଆତ୍ମାରେ ଶୀତଳ ଚନ୍ଦନ ଲେସିଦେଉ ନାହିଁ । ଆଉ ସେପରି ଭାଷା ବା କାହା ତୁଣ୍ଡରେ ଅଛି-? ସେଭଳି ଲାବଣ୍ୟ ବା କାହା ଦେହରୁ ଝୁରୁଛି ? ସେଭଳି ବାସନ୍ତୀ ପୁର୍ଣ୍ଣିମାର ଢଳ ଢଳ ଜ୍ୟୋତ୍ସା । ବା କାହା ମୁଖମଣ୍ଡଳକୁ ଆବୃତ କରିଅଛି ? ତୋର ଇନ୍ଦୀବର-ସୁନ୍ଦର ଚଞ୍ଚଳ କ୍ଷୁଦ୍ର ନେତ୍ରଯୋଡ଼ିକୁ ସବୁବେଳେ କେଜାଣି କି ମହାଭାବ ଆଚ୍ଛନ୍ନ କରି ରଖିଥାଏ । ସାଧାରଣତଃ ଶିଶୁ-ଜୀବନରେ ସେ ରୂପ ଭାବ-ପ୍ରବଣତା ଦୁର୍ଲଭ ପରିଲିକ୍ଷିତ ହୁଏ ।

 

ବିଲେଇ କରିଛି ଓଷା,

ଭୋଗ ଲାଗିବ ମୂଷା ।

ପାଠ ପଢ଼ାରେ ମନ ଦିଅ,

କହିବେ ସବୁ ସୁନାଝିଅ ।

 

ଏହି ଗୀତ ଦୁଇପଦ ତୁ ସବୁବେଳେ ଗୁଣୁ ଗୁଣୁ ସ୍ୱରରେ ଗାଉ । ଆହା ! ସେ ଶିଶୁ-ଗୀତର କୋମଳ ମଧୁର ସ୍ୱର ଆଗରେ ବାଦ୍ୟରାଣୀ ବୀଣାର ସ୍ୱର କି ଛାର ! ମା, ତୋର ପ୍ରିୟ କଣ୍ଢେଇଗୁଡ଼ିକ ମୁହଁ ଶୁଖାଇ ମୂର୍ଚ୍ଛିତା ହେଲା ପରି ଇତସ୍ତତଃ ହୋଇ ପଡ଼ିଛନ୍ତି । ସେଗୁଡ଼ିକର ଚେହେରା ଦେଖି ବୋଧହୁଏ ତୋର ଅଭାବ ତାଙ୍କୁ ବଡ଼ ବାଧିଛି; ମାତ୍ର ସେମାନେ ଲୁହ ଗଡ଼ାଇପାରୁ ନାହାନ୍ତି । ତାଙ୍କ ଦେହ କାଠପାଷାଣରେ ତିଆରି ହୋଇ ନ ଥିଲେ ତରଳି ଯାଇସାରନ୍ତେଣି । ତୋର କି ଶକ୍ତି ଥିଲା କେଜାଣି ମା, ଦେଖିଲାକ୍ଷଣି ଦର୍ଶକ ହୃଦୟରୁ ଅଲକ୍ଷ୍ୟରେ ସ୍ନେହ ଟାଣି ଆଣୁଥିଲୁ । ଯେ ତୋତେ ଦେଖୁଥିଲା, ସେ ତୋତେ ଗେଲ ନ କରି ବା ନ କାଖେଇ ରହିପାରୁ ନ ଥିଲା ।

 

ଆଜି ତୋଲାଗି କେତେ ଆଖି ଅଶ୍ରୁ-ପ୍ରବାହରେ ଭାସିଯାଉଛି, କେତେ ବକ୍ଷରେ ଶୋକର ଆଘାତ ଲାଗିଛି । କେତେ ପ୍ରାଣରୁ ହାହାକାର ଉଠୁଛି–ତାହା କି ତୁ ଜାଣିପାରୁଛି ମା ? ରାବଣର ଚିତା ପରି ତୋର ସ୍ମୃତି କ୍ଷଣେମାତ୍ର ନିଭିବାକୁ ନାହିଁ । ପାକଲା ବଥ ପରି ସେ ସ୍ମୃତି ଟଣଟଣ ହୋଇ ବିନ୍ଧି ହୃଦୟ ଫଟାଇ ଦେଉଛି । ବିସ୍ମୃତି ତାକୁ ଆଚ୍ଛନ୍ନ କରିବା ଦୂରେ ଥାଉ, ତାହା ପାଖ ପଶିବାକୁ ନାହିଁ । କି ମନ୍ତ୍ରବଳରେ ତୁ ମୋତେ ଭୁଲିଗଲୁ, ମୋତେ ସେ ମନ୍ତ୍ର କିଏ ଶିଖାଇ ଦେବ ? ଯେବେ କେହି ଶିଖାଇଦିଅନ୍ତା, ତେବେ ତାକୁ ମୁଁ ଦେବତା ପରି ଭକ୍ତ କରନ୍ତି । ତୋବେ ଏତେ ଗେହ୍ଲା କରିଥିଲି, ଏତେ ଶରଧା କରିଥିଲି–ତୁ ଟିକିଏ ମୁହଁକୁ ଚାହିଁଲୁ ନାହିଁ ? ବାସ୍ତବରେ ଏ ସଂସାରରେ କେହି କାହାରି ନୁହେଁ ମା ! ସଂସାର ଏଡ଼େ ନିର୍ମମ ବୋଲି ଜାଣିଥିଲେ ମୁଁ କଦାଚ ତାହାର ପାଖ ପଶିଥାନ୍ତି ନାହିଁ । ମୋ କଥା ଶୁଣି ହସୁଛି କି ମା? କହୁଛି କି ମୋ ମୋର ଚାରା କଅଣ ? ସବୁ ନିୟମର ଲୀଳା । ତାହା ହୋଇପାରେ ମା; କିନ୍ତୁ ଯେଉଁ ନିୟତି ଯାଚିଗୁଞ୍ଜି ହାତରେ ଦେଇ ପୁଣି ତାକୁ ଅପହରଣ କରେ, ତାକୁ ଦୟାବତୀ ଦେବୀ ବୋଲି କହିବାକୁ ଜିଭ ତ ଲେଉଟୁ ନାହିଁ ମା ! ନିୟତିର ଲୀଳା ହେଉ ବା ଖେଳା ହେଉ, ସେ ଲୀଳା ଖେଳା ଯେ ବିଷମୟ, ଏହା କହିବା ଦୋଷର କଥା ନୁହେ । ସୃଷ୍ଟ ଜୀବ ଉପରେ ଦୂରକୁ ଜୁହାର । ଅବଶ୍ୟ ଲୀଳାମୟୀଙ୍କର ଲୀଳାରେ ବ୍ୟାଘାତ ହେବ ନାହିଁ । ଜୀବ ଯେତେ କଷ୍ଟ ଭୁଞ୍ଜ ପଛେ ତାହାର ମୂଲ୍ୟ କିଛି ନାହିଁ । ଯେଉଁ ନିୟତିର ଏପରି ବୁଝାମଣା, ତାହା ରାଜ୍ୟରେ ଘର କରିବା ଶୁଭପଦ ନୁହେଁ । ମା ଲୋ, ତୋତେ ଘେନି ମୋର ଦୀନ ତୃଣ କୁଟୀରରେ ମୁଁ ରାଜ୍ୟଶୂନ୍ୟ ରାଜା ପରି କେଡ଼େ ସୁଖରେ, କେଡ଼େ ଆରାମରେ ଦିନ କାଟୁଥିଲି । ମୋର ଯେତେ ବିଭବ, ଯେତେ ଐଶ୍ଚର୍ଯ୍ୟ, କେଉଁ ରାଜ୍ୟଧର ରାଜାର ଭଲା ତେତେ ଅଛି ମା ! ସ୍ୱଚ୍ଛ ପୁତଜଳା ନଦୀଟିଏ ମୋର ଦୁର୍ଗ-ପରିଖାରୂପେ ବହୁଅଛି । ତହିପରେ ଦୁର୍ଭେଦ୍ୟ ବାଉଁଶ ପ୍ରାଚୀର ଆକାଶକୁ ଚୁମ୍ଭନ କରୁଅଛି । ଦୁର୍ଗ ଚାରିପାଖରେ ଆନନ୍ଦ ଉଦ୍ୟାନ । ମୋର ବୃକ୍ଷ-ପ୍ରଜାମାନେ ମୋତେ ଫଳଫୁଲ ରାଜକର ଦେଇ ସୁଖୀ କରନ୍ତି । ତୁ ସେହି ଉଦ୍ୟାନରେ ଫୁଲରାଣୀ ପରି କେତେ ଖେଳ ଖେଳୁଥିଲୁ- କେତେ ନାଚୁଥିଲୁ । ତୋର ସେହି ମଧୁର ନୃତ୍ୟ ଦେଖି ଗୋଟାଏ ଫୁଲ ହସି ହସି ଆଉ ଗୋଟିକ ଉପରେ ଢଳିପଡ଼ୁଥାଏ । ଗୋଟିକ କାନରେ ଆଉ ଗୋଟିଏ ତୁନି ତୁନି କେତେ କଥା କହୁଥାଏ । ସେହି ଉଦ୍ୟାନର ପକ୍ଷୀଗୁଡ଼ିକ ମୋର ବାଦ୍ୟକାର । ସକାଳେ ସେଗୁଡ଼ିକ ନହବତ ବାଦ୍ୟ ବଜାଇ ଆଉ କେହି କେହି ବିଭାଷ ରାଗରେ ପ୍ରଭାତୀ ସଙ୍ଗୀତ ଗାଇ ମୋର ନିଦ୍ରା ଭଙ୍ଗାଇଦିଅନ୍ତି ।

 

ଚନ୍ଦ୍ରସୂର୍ଯ୍ୟ ମୋ ଦୁର୍ଗରେ ଆଲୋକ ଦିଅନ୍ତି- ପବନ ମୋ ଦୁର୍ଗରେ ବୈଦ୍ୟୁତିକ ପଙ୍ଖା, ତାରାମୟ ଆକାଶ ବିବିଧ ରତ୍ନଜଡ଼ିତ ମରକତ ଚନ୍ଦ୍ରହାସ ଚନ୍ଦ୍ରାତପ ଆଉ ଉଚ୍ଚ ତାଳଗଛଟି ମୋ ଦୁର୍ଗରେ ଚାଳନିଶାଣ । ପ୍ରକୃତି-ରାଣୀ ତାଙ୍କ ଅନନ୍ତ ସମ୍ପଦ ମଧ୍ୟରେ ମୋତେ ରାଜା କରି ରଖିଛନ୍ତି ; ମୋର ପରିବାରବର୍ଗ ମୋର ପାତ୍ରମନ୍ତ୍ରୀ, ସଦସ୍ୟ ପାରିଷଦ ପ୍ରଭୃତି । ଜଣେ ଦରିଦ୍ର ରାଜାର ଏହାଠାରୁ ବଳି ଅଧିକ ଐଶ୍ଚର୍ଯ୍ୟ କଅଣ ହୋଇପାରେ ? ମୋର ଯାହା ଥିଲା ସବୁ ସେହିପରି ଅଛି; ମାତ୍ର ତୁ ଏକା ନାହୁଁ । ମୋର ସୁଖ ପୂର୍ଣ୍ଣତା ଲଭିଥିଲା, ଏବେ ତୋ ବିନା ତାହା ଖଣ୍ଡିତ ହେଲା । ପରଲୋକସମ୍ବନ୍ଧୀୟ ଗ୍ରନ୍ଥି ପଢ଼ି ବୁଝୁଅଛି ଯେ, ତୁ ମୋଠାରୁ ଦୂରରେ ନାହୁ । ତୋ ସଙ୍ଗରେ ଦେଖା ହେଉଛି, କଥାବାର୍ତ୍ତା ହେଉଛି; ମାତ୍ର ତାହା କିଛି ମନରେ ରହୁ ନାହିଁ । ପାର୍ଥିବ ମନ ସେହିପରି ଉପାଦାନରେ ଗଢ଼ା ହୋଇଅଛି । ଦେଖା ସାକ୍ଷାତ୍‌କଥାବାର୍ତ୍ତା ପୁଣି ଏ ଅସ୍ଥିମାଂସ ଦେହ ସଙ୍ଗରେ ହେଉ ନାହିଁ । ଆଖି ଡୋଳାର ପୁଅ ପରି ଗୋଟାଏ ଖୁବ୍‌ସୂକ୍ଷ୍ମ ଦେହ ମନୁଷ୍ୟ ଦେହ ଭିତରେ ଅଛି । ସେହି ସୂକ୍ଷ୍ମ ଦେହ ରାତିରେ ଶୟନାବସ୍ଥାରେ ବାହାରିଯାଇ ପରଲୋକଗତ ଆତ୍ମୀୟର ସୂକ୍ଷ୍ମ ଆତ୍ମା ସଙ୍ଗରେ ସାକ୍ଷାତ୍‌ସମ୍ଭାଷଣ କରେ । ପ୍ରିୟ ସମ୍ବାଦ ମିଷ୍ଟ ହେଲେ ସୁଦ୍ଧା ଏ କଥା ସତ କି ମା ? ସତ ନ ହେଲେ ବି ସେଥିରେ ଆନନ୍ଦ ଅଛି । ବଡ଼ ମଧୁର; ବଡ଼ ତୃପ୍ତିକର । ପୁଣି ପୁସ୍ତକର କଥା ବୋଲି ତାହା ଅବିଶ୍ୱାସ କରିବାକୁ ସାହସ ମଧ୍ୟ ଖଟେ ନାହିଁ । ଚିକ୍‌କଣ ଅଠାରେ କାଗଜ ଯୋଡ଼ିଲେ କାଗଜ ବରଂ ଚିରିଯିବା; ମାତ୍ର ଯୋଡ଼ ଫିଟିବ ନାହିଁ । ସଂସାରରେ ସ୍ନେହ ସେହିପରି ଗୋଟିଏ ଖୁବ୍‌ଚିଟଦାର ଅଠା । ସେ ଲାଗିଗଲେ ଏପରି କାମୁଡ଼ି ଧରେ ଯେ, ବହୁ ଚେଷ୍ଟାରେ ସୁଦ୍ଧା ଛାଡ଼େ ନାହିଁ । ସ୍ନେହର ବୃଦ୍ଧି ଅଛି; ମାତ୍ର କ୍ଷୟ ନାହିଁ । ସ୍ନେହର ପଦାର୍ଥ ହଜିଗଲେ ସୁଦ୍ଧା ତାହାର ସ୍ମୃତି ହଜିଯାଏ ନାହିଁ । ଯେଉଁ ସ୍ମୃତି ଉପରେ ଗୋଟାଏ ବହଳ ଆବରଣ ପଡ଼ିଯାଇଥିଲା, ଯାହା ମନରୁ ଅନ୍ତର ହୋଇ ଯାଇଥିଲା, ଅଶୀଦିନ ପରେ ଆଜି ପୁଣି ଫୁଟିଉଠିଲା । କେଉଁ ପରିହାସ-ପ୍ରିୟ ଅପଦେବତା ସ୍ମୃତି କାଉଁଳିଆ ଦିନର ଖରାପରି କ୍ଷଣକେ ଲୁଚିଯାଇ କ୍ଷଣକେ ଆସି ଦେଖା ଦେଉଥିବ-! ଆଜି କେତେ କଥା ମନାରେ ପଡ଼ୁଛି । ମା ଉମା, ତୋତେ ବଞ୍ଚାଇବା ପାଇଁ ତୋର ମୃତ୍ୟୁର ଦୁଇଦିନ ପର୍ବରୁ ମୁଁ ମଧୂସୁଦନ ମନ୍ତ୍ର ଜପ କରୁଥିଲି । ଠିକ୍‌ରୂପେ ଆସନରେ ବସି ଅଧିକ କ୍ଷଣ ଜପ କରିବାକୁ ମୁଁ ଅକ୍ଷମ ।

 

ଏ ଦୁର୍ବଳତା ଲାଗି ମୁଁ ଆଗରୁ ଦେବତାଙ୍କଠାରୁ କ୍ଷମା ଭିକ୍ଷା ମାଗି ନେଇଥିଲି । କେତେବେଳେ ଗୋଡ଼ ଲମ୍ବାଇ ବସି, କେବେ ଚକାମାଡ଼ି ବସି କେବେ ବା ଶୋଇ ମୋର ସୁବିଧା ଅନୁସାରେ ମୁଁ ଜପ କରେ । ସେ ଦିନ ମଧ୍ୟ ସେହିପରି କରୁଥିଲି । ଠିକ୍‌ ଦ୍ୱିପ୍ରହରରେ ସମୟ ଜପ କରୁଁ କରୁଁ ଆସି କେତେବେଳେ ଛାଇ ନିଦ୍ରା ଆକ୍ରମଣ କଲାଣି, ମୁଁ ତାହା ଜାଣେ ନାହିଁ । ସଂଜ୍ଞା ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ । ଫୁଲ ସଞ୍ଜ ପରି ଝାପ୍‌ସା ଝାପସା ହୋଇ ଆସୁଥାଏ । ଜପ ବି ବିଶୃଙ୍ଖଳା ବା ବେସୁରା ହୋଇ ନାହିଁ । ଏହି ସମୟରେ କି ନିଦାରୁଣ ଶୂନ୍ୟ ବାଣୀ ଶୁଣିଲି । କେଉଁ ଦୁଷ୍ଟ ପିଶାଚ କେଉଁଠୁ ଏ ଦୁର୍ବାର୍ତ୍ତା ବହି ଆଣି କେଉଁଠି ରହି ମୋ କାନରେ ଅଗ୍ନିଧାରା ଢାଳିଦେଲା, କିଏ ଯେପରି ଗଭୀର ହତାଶମିଶା ଉଦାସ ଅତସ ସ୍ୱରରେ ଖୁବ୍‌ସୁସ୍ପଷ୍ଟ ଭାବରେ କହିଲା-‘‘ବୃ-ଥା-ଚେଷ୍ଟା ।’’ ହଠାତ୍‌ମୋର ତନ୍ଦ୍ରାର ଘୋର ଭାଙ୍ଗିଗଲା, ରୋମ ଟାଙ୍କୁରି ଉଠିଲା; ଚାହିଁଦେଇ ଦେଖିଲି କେହି କୁଆଡ଼େ ନାହିଁ । ଆଉ ସେ ବିଷୟରେ ମୁଁ ଆଲୋଚନା ନ କରି ତାହା ନିଜର ଶ୍ରୁତିଭ୍ରମ ବୋଲି ମନକୁ ବହିଲେଇଦେଲି ଏବଂ ଦୁଃସ୍ୱପ୍ନ ପରି ସେ ଅମଙ୍ଗଳ ଆକାଶ-ବାଣୀକୁ ଭୁଲିଯାଇଥିଲି; ମାତ୍ର ଆଜି ପୁଣି ସେ ସ୍ମୃତି କିଏ ଆଣିଦେଲା ? ଏ ନିର୍ଭୟ ରହସ୍ୟ କାହାର ? ରହସ୍ୟମୟୀ ପ୍ରକୃତି, ଏ ରହସ୍ୟ ତୋ ଛଡ଼ା ଆଉ କାହାରି ନୁହେଁ ମା ! ତୁହି ଲୁଚାଉ ପୁଣି ତୁହି ଆଣି ଦେଖାଉ- ତୁ ଭାଙ୍ଗୁ ପୁଣି ଗଢ଼ୁ । ଜନ୍ମ କରୁ, ପୁଣି ମାରୁ- ଏହି ବିରୋଧ ପ୍ରକୃତି ତୋର ଚିରକାଳ ଅଛି ମା ! ତୋ ଅନନ୍ତ ଗର୍ଭରେ ବିଷ ଅଛି ଅମୃତ ଅଛି, ରୋଗ ଅଛି, ପୁଣି ଔଷଧ ଅଛି, ଅଭାବ ଅଛି, ଆଉ ପୂର୍ଣ୍ଣତା ସୁଦ୍ଧା ଅଛି । ତୁ ଜନ୍ମ ଦେଉ, ପାଳନ କରି ବଢ଼ାଉ, ବିପଦ ବାଧାରୁ ରକ୍ଷା କରୁ, ପୁଣି ଶେଷରେ ତାହରି ଦେହରେ ମିଶାଇନେଉ । ତୁ ସବୁ- ଆଉ ସବୁ ତୁ । ତୋ ଛଡ଼ା ସ୍ୱତନ୍ତ୍ର ଦେବତା କେହି ନାହିଁ ମା ! ବ୍ରହ୍ମା, ହରି, ହର ତୋହର କଳ୍ପିତ ନାମ । ସୃଜନ, ପାଳନ, ଧ୍ୱଂସ ତୁମ୍ଭରି ଲୀଳା । ତୁମ୍ଭେ ଦୁର୍ଗ, ତୁମ୍ଭେ ଲକ୍ଷ୍ମୀ, ତୁମ୍ଭେ ସରସ୍ୱତୀ, ତୁମ୍ଭେ ସୁନ୍ଦରମୟୀ । ଏ ସ୍ପଷ୍ଟ ତୁମ୍ଭେ ରଚନା କରିଅଛି । ତୁମ୍ଭର ମାନସ-କନ୍ୟା କଳ୍ପନା ଏହି ସୃଷ୍ଟି-ବ୍ୟାପାରରେ ତୁମ୍ଭର ଏକମାତ୍ର ସାହାଯ୍ୟବାଣୀ ।

 

ତୁମ୍ଭେ ପ୍ରକୃତି, ତୁମେ ହିଁ ପୁରୁଷ-ତୁମ୍ଭେ ଇଚ୍ଛାମୟୀ । ଇଚ୍ଛାରେ ଜଗତ ସୃଷ୍ଟି କର–ତୁମ୍ଭର ସ୍ୱତନ୍ତ୍ର ପୁରୁଷ ସହଯୋଗ ଲୋଡ଼ା ନାହିଁ । ତୁମ୍ଭେ ସ୍ତ୍ରୀ, ତୁମ୍ଭେ ଏକା ପୁରୁଷ । ପୁଣି ତୁମେ ସ୍ତ୍ରୀ ନୁହେଁ କି ପୁରୁଷ ବି ନୁହଁ । ତୁମ୍ଭେ ତ ସମସ୍ତଙ୍କୁ ସୃଷ୍ଟି କରିଛ–ପୁରୁଷ ତ ତୁମ୍ଭର ସୃଷ୍ଟି, ସୁତରାଂ ସନ୍ତାନ । ତୁମ୍ଭର ପୁଣି ସ୍ୱାମୀ କିଏ ? ତୁମ୍ଭା ସ୍ୱାମୀ କେହି ନାହିଁ କି ହେବା ମଧ୍ୟ ଅସମ୍ଭବ । ତୁମ୍ଭେ ଏକା ତୁମ୍ଭର ସ୍ୱାମୀ । ତୁମ୍ଭ ଛଡ଼ା ଆଉ କେହି ତୁମ୍ଭର ସ୍ୱାମୀ ହୋଇପାରିବ ନାହିଁ । ତୁମ୍ଭେ ଅସୀମ ରହସ୍ୟମୟୀ, ତୁମ୍ଭର ଏ ମହାଗୁଢି ରହସ୍ୟ କିଏ ଭେଦିବି ମା ? ପୁଣି ତୁମ୍ଭେ ଅନନ୍ତ ଉପାଧିମୟୀ ତଥା ଅଶେଷ ହୃନ୍ଦରମୟୀ । ଚନ୍ଦ୍ର, ସୂର୍ଯ୍ୟ, ଇନ୍ଦ୍ର, ବାୟୁ ଓ ବରୁଣ ପ୍ରଭୃତି ତୁମ୍ଭର ବିଭିନ୍ନ ଉପାଧିମାତ୍ର । ତୁମ୍ଭର ହୁନ୍ଦର ବା କିଏ ବର୍ଣ୍ଣନା କରିପାରିବ ? ତୁମ୍ଭେ ନିତ୍ୟ ନୂତନ ଚିତ୍ର-ବର୍ଣ୍ଣାନାର ପଟାନ୍ତର ନାହିଁ । ଭାଷା ସେଠାରେ ମୂକତା ପ୍ରାପ୍ତ ହୁଏ । ତୁମ୍ଭେ ସଧବା ନହଁ, କି ବିଧବା ନୁହଁ- ତୁମ୍ଭେ ବିବାହିତା ନୁହଁ କିମ୍ବା ଅବିବାହିତା ନୁହଁ । ବିବାହ କରିଥିଲେ ତୁମ୍ଭେ ନିଜେ ନିଜକୁ ବିବାହ କରିଥିବ, ନଚେତ୍‌ ତୁମ୍ଭେ ଚିରକୁମାରୀ, ମୁଁ ଭୁଲରେ ତୁମ୍ଭଙ୍କୁ ଛାଡ଼ି ଅନ୍ୟ ଦେବତା ପୂଜିଛି । ତୁମ୍ଭ ଛଡ଼ା ଯେ ଦେବତା । ନାହିଁ–ଏ ଜ୍ଞାନ ମୋର ଥିଲା ନାହିଁ । ମୁଁ ତୁମ୍ଭର ସେହି ଉପାଧିକୁ ତୁମ୍ଭର ଶକ୍ତିବିଶେଷକୁ ପୂଜିଅଛି; ମୂଳ ଛାଡ଼ି ଡ଼ାଳକୁ ପୂଜିଛି । ଏବେ ମୋର ଭ୍ରାନ୍ତି ତୁଟିଛି । ଏବେ ମୂଳଗଛକୁ ପୁଜିବି । ମା ପ୍ରକୃତି-ଦେବୀ, ତୁମ୍ଭଙ୍କଉ ଆଉ କଅଣ ପ୍ରାର୍ଥନା କରିବି ? ମୋର ଇହ ପରକାଳର ଜୀବନ-ପଥ ଆଲୋକମୟ କର, ଆଉ ତୁମ୍ଭଙ୍କୁ ପ୍ରକୃତ ରୂପରେ ଅଭ୍ରାନ୍ତ ଚିହ୍ନିପାରିବାର ଶକ୍ତି ଓ ଶୁଭ କଅଣ ଅଛି, ମୁଁ ଜାଣେ ନାହିଁ । ମୋର ବିଶ୍ୱାସ ମୋର ଏହି ସ୍ୱଳ୍ପ ପ୍ରାର୍ଥନାରେ ଜୀବନର ସକଳ ଆକାଙ୍‌କ୍ଷା ସମସ୍ତ ବାଞ୍ଛିତ ସୁଖ ଏକାଧାରରେ ପୁଞ୍ଜୀଭୂତ ହୋଇ ରହିଛି । ମା, ତୁମ୍ଭେ ଅନନ୍ତ-ତୁମ୍ଭର ମହିମା ଅନନ୍ତ-ଶକ୍ତି ଅନନ୍ତ-ଦୟାଅନନ୍ତ-କ୍ଷମା ଅନନ୍ତ- ଅଳ୍ପ କଥାରେ ତୁମ୍ଭର ସବୁ ଅନନ୍ତ ।

 

ତୁମ୍ଭର ସେହି ଅନନ୍ତତ୍ୱ ମୋର ଚାରିପାଖରେ ଘେରି ରହିଛି । ଏତେ ଅନନ୍ତ ମଧ୍ୟରେ ମୁଁ ଅତି ଶାନ୍ତ । ଅତି କ୍ଷୁଦ୍ର ମାନବର ଅସ୍ତିତ୍ୱ । କେଉଁ ଅନଳ ଗଭୀରରେ ବୁଡ଼ିଯାଏ, ମୁଁ ଅଛି ବା ମୁଁ ଭାବୁଛି, ଏ ଜ୍ଞାନ ରହେ ନାହିଁ । ଏଥିରେ ତୁମ୍ଭଙ୍କୁ ଧାରଣା କରିବି କଅଣ ? ଆଉ ମାଗିବି ବା କଅଣ-? ଖାଲି ଏତିକି କହୁଛି ମା–ମୋ ଦେହରୁ ସ୍ଥୂଳ ଇନ୍ଦ୍ରିୟ କାଢ଼ିନିଅ । ମୋତେ ଦିବ୍ୟ ଚକ୍ଷୁ ଦିଅ-। ମୁଁ ତୁମ୍ଭଙ୍କୁ ନିଜ ମଧ୍ୟରେ ଏବଂ ବାହାରେ ସବୁଠାରେ ଦେଖେଁ । ଦିବ୍ୟ କର୍ଣ୍ଣ ଦିଅ, ତୁମ୍ଭର ଅବ୍ୟକ୍ତ ମହାବାଣୀ ଶୁଣେ, ଦିବ୍ୟ ଜିହ୍ୱା ଦିଅ, ତୁମର ମହିମା କୀର୍ତ୍ତନ କରେଁ ଏବଂ ପ୍ରେମାମୃତ ଆସ୍ୱାଦନ କରେଁ । ଦିବ୍ୟ ନାସିକା ଦିଅ, ତୁମ୍ଭର ପଦ-ପଙ୍କଜ ଓ ଗୁଣର ସୁଗନ୍ଧ ଆଘ୍ରାଣ କରେ । ଦିବ୍ୟ ଶରୀର ଦିଅ, ତୁମ୍ଭର ପାବନ ସ୍ପର୍ଶ-ଅମୃତ ସ୍ପର୍ଶ ଅନୁଭବ କରେଁ । ଦିବ୍ୟ ଭାଷ ଦିଅ, ତୁମ୍ଭର ଦିବ୍ୟସ୍ତବ ରଚନା କରେଁ । ସର୍ବୋପରି ଦିବ୍ୟ ଜ୍ଞାନ ଦିଅ, ତୁମ୍ଭର ଅଭୟ ପାଦରେ ବିକିହୁଏଁ–ଏହାହିଁ ମୋର ମୂଢ଼ ପ୍ରାର୍ଥନା ମା !

 

ମୋତେ ଅନ୍ଧାରରୁ ଆଲୁଅକୁ ନେଇଯାଅ, ମିଥ୍ୟାକୁ ସତ୍ୟ ଆଡ଼କୁ ଘେନିଯାଅ । ଆପଦରୁ ଉତ୍ସବ ଆଡ଼କୁ ନେଇଯାଅ–ଅସୁନ୍ଦରରୁ ସୁନ୍ଦର ଆଡ଼କୁ ନେଇଯାଅ । ମାଟି ରାଜ୍ୟକୁ ସ୍ୱର୍ଣ୍ଣଭୂମିକୁ ନେଇଯାଅ । ପଙ୍କିଳ, ପଲ୍ୱଳରୁ ନେଇ ପବିତ୍ର ମାନ-ସରୋବରରେ ରଖ । ମା, ଜନନୀ-ଦେବୀ ପ୍ରକୃତ-ରାଣୀ, ମୋତେ ତୁମ୍ଭ ମନ୍ଦିରର ମାର୍ଜନୀକର ପଦ ପୋଛା ଗାମୁଛା, କର ପୟର ଘଷା ପଥର କର ଅଥବା ଖଟଣୀ ଚାମର କର । ପାଦଲାଖୀ ଫୁଲ କିମ୍ବା ପୁଜାର ଦୁବଘାସ ହୋଇ ପାରିଲେ ମୁଁ ଆଉ କିଛି ଖୋଜନ୍ତି ନାହିଁ, ନତୁବା ମୋତେ ଧୂପ କର–ନିଜେ ପୋଡ଼ିହୋଇ ତୁମ୍ଭଙ୍କୁ ଆମୋଦର ତୃପ୍ତି କରିବି । ମୁଁ ଯେବେ ଚନ୍ଦନ ହୋଇପାରନ୍ତି, ତେବେ ତୁମ୍ଭ ଦେହରେ ଲାଗି ଲାଗି ଶେଷରେ ମିଳାଇଯାଇ ଧନ୍ୟ ହୁଅନ୍ତି । ମା, ମୋତେ ତୁମ୍ଭ ରୋଷଘରର ଚୁଲ୍ଲୀ କିମ୍ବା ମଣୋହି ରନ୍ଧା ହାଣ୍ଡି କର । ମୁଁ ନିତି ଅଗ୍ନିରେ ସ୍ନାନ କରି ଆତ୍ମା ଶୁଦ୍ଧି କରିବ । ମୁକ୍ତି ମୋର ଲୋଡ଼ା ନାହିଁ ମା, ସେବା ଏକା ଲୋଡ଼ା । ମୁକ୍ତିସ୍ଥିର ନିଶ୍ଚଳ, ସେବା ତରଙ୍ଗସଂକୁଳ । ସ୍ଥାଣୁତ୍ୱରେ ସୁଖ ନାହିଁ, ସ୍ପନ୍ଦନରେ ଏକା ସୁଖ । ତୁମ୍ଭର ଯୋଗ୍ୟ ସେବକ ନ ହୁଏ ପଛେ, ଅଧମ ସେବକ ହୋଇ ରହିବ । ସତେ ଏ ସୌଭାଗ୍ୟ ମୋର ଉଦିତ ହେବ ମା ? ତୁମ୍ଭ ଜଗତର ସେବା କରିବା ଭଳି ଶକ୍ତି ଦିଅ-ସାହସ ଦିଅ-ନୈପୁଣ୍ୟ ଦିଅ ଓ ଐକାନ୍ତିକ ନିଷ୍ଠା ଦିଅ । ତୁମ୍ଭ ସିଂହାସନର ଖଣ୍ଡେ ଇଟା ଦେଇ ପାରିଲେ ମୋର ଅଲୋଡ଼ା ଜୀବନ ଓ ବିଫଳ ଜନ୍ମ ଧନ୍ୟବାନ୍‌ ହୁଅନ୍ତା ।

 

ମନରେ, ସ୍ଥିର ହୋଇ ରହ, ବିଶ୍ୱାସ ଦୃଢ଼ ହେଲେ ସବୁ ହେବ, ନଚେତ୍‌ ଏ କଳ୍ପନା ଖାଲି କଳ୍ପନାହିଁ ହୋଇପାରିବ; କିନ୍ତୁ ବିଶ୍ୱାସ ଦୃଢ଼ ହେଉଛି କାହିଁ ? ଟିକିଏ ଦୃଢ଼ ହୋଇଆସିଲା ବେଳକୁ କିଏ ତାକୁ ହଲାଇ ହୁଗୁଳାଇଦେଉଛି । କାଳେ ମୋର ବିଶ୍ୱାସଟା ଚେର ଭିଡ଼ିଯାଇ ଶକ୍ତ ହୋଇଯିବ, ତେବେ ତ ସବୁ ସରିଗଲା ! ଆଉ ଯନ୍ତ୍ରଣା ଭୋଗିବ କିଏ ? ହରି ହେ ! ଏ ଗୋଟାଏ ପୁଣି ତୁମ୍ଭର କି କୌତୁକ ? ମୋହର ଯାହା ଲୋଡ଼ା, ତାହା ତୁମ୍ଭେ ମୋ ପାଖରେ ରଖିଛି । ମୁଁ ତାକୁ ଦେଖି ନ ପାରି ତୁମ୍ଭଙ୍କୁ ଅବିଶ୍ୱାସ କରୁଛି । କିନ୍ତୁ ତୁମ୍ଭେ ତାହା ଉପଯୁକ୍ତ ସମୟରେ ଆଣି ବେଳେ ବେଳେ ହାତରେ ଗୁଞ୍ଜିଦେଉଛ । ତେତେବେଳେ ମୁଁ ଲଜ୍ଜିତ ହେଉଛି । ଯାହା ଦେଇ, ତାହା ଦଣ୍ଡକ ବା ଦିନକ ଆଗରୁ ମୋର ବିଶ୍ୱାସ ଚଳନ୍ତା କାହିଁକି ? ଆଗେ ଅବିଶ୍ୱାସ ଆଣି ଦେଇ ସାରି ପଛକୁ ବାଞ୍ଛିତ ଆଣିଦେବା ହଟ ଲଗାଇଲା ପରି ନୁହେଁ କି ?

 

ଏରୂପ ଲୁଚକାଳି ଖେଳ କି କୌତୁକ ଉପଭୋଗ କର କୌତୁକମୟ ? ଆଉ ଲଜ୍ଜା ଦିଅ ନାହିଁ ପ୍ରଭୁ ! ବିଷମ ଲଜ୍ଜାରେ କଲିଜା ଫାଟିଯାଉଛି-ଆଉ ମୁଣ୍ଡଟେକି ପାରୁ ନାହିଁ, ଆଉ ସହିପାରିବି ନାହିଁ–ରକ୍ଷା କର ହରି ! ଦୁର୍ବଳ ହୃଦୟରେ ବଳ ଦିଅ–ଢଳ ଢଳ ବିଶ୍ୱାସ ଦୃଢ଼ କରିଦିଅ, ସବୁ ଛଡ଼ାଇନେଇ ସାରିଲେଣି, ତେବେ ବି ତ ମୁଁ ବଞ୍ଚି ରହିଛି । ଏହା ଉପରେ ଆଉ କି ପରୀକ୍ଷା କରିବି-? ଏହିଠାରେ ପରୀକ୍ଷା ଶେଷ ହେଉ । ତୁମ୍ଭେ ଏକା ସିନା ମୋତେ ଅକୃତଜ୍ଞ କରୁଛ, ଅବିଶ୍ୱାସୀ କରୁଛି, ପୁଣି ମୋହରି ପାଖରେ ମୋତେ ହଟହଟା କରୁଚ । ଯାହାର ଜୀବନର ଅବଲମ୍ବନ କାଢ଼ି ନେଇ, ତାକୁ ରଖି ଆଉ ଫଳ କଅଣ ? ଖାଲି ହଟ ସାଧିବା, ନାଟ ଦେଖିବା ଛଡ଼ା ଆଉ ତୁମ୍ଭର କି ଉଦ୍ଦେଶ୍ୟ ଅଛି କିଏ ଜାଣେ ? ଆଚ୍ଛା, ତୁମ୍ଭଙ୍କୁ ଏହିପରି କିଏ କରିଥିଲେ ତୁମ୍ଭର ପ୍ରାଣ କଅଣ ହୁଅନ୍ତା-? ମୋର କଅଣ ଏତେ ଅପରାଧ ସଞ୍ଚିତ ଅଛି ଯେ, ସାରା ଜୀବନଟା ତାହାର ପ୍ରାୟଶ୍ଚିତ୍ତ ପୂର୍ଣ୍ଣ ହେଉ ନାହିଁ ? ବୃକ୍ଷର ମଲାଙ୍ଗ ପରି ମୁଁ ତୁମ୍ଭ ସଂସାରରୁ ରସ ଶୋଷଣ କରୁଛି; ମାତ୍ର ତାକୁ କିଛି ଦେଲାପରି ନାହିଁ । ମଲାଙ୍ଗ ଗଛରୁ ରସ ନେଇ ବଞ୍ଚେ; ମାତ୍ର ଯାହା ଲାଗି ବଞ୍ଚେ, ତାହାର କିଛି ଉପକାର ନ କରି ବରଂ ତାକୁ ଦୁର୍ବଳ କରିଦିଏ । ମୁଁ ଖାଲି ସେହିପରି କରିଛି, କ୍ଷମାକାର କ୍ଷମାସାଗର ।

 

ମା ଉମା, ଆଜି ସେହି କାଳ ଶୁକ୍ରବାର । ତୁ ଆଜିକି ୧୨୦ ଦିନ ହେଲା ଗଲୁ, ତାହା ବେତିକି ମୂହୂର୍ତ୍ତ ପରି ସୁଦ୍ଧା ଲାଗୁ ନାହିଁ । ତୋର ହସିବା ମୂର୍ତ୍ତପରି ରୁଷିତା ମୂର୍ତ୍ତିଟା ସୁଦ୍ଧା କି ସୁନ୍ଦର ! ସେ କପଟ ଭାଷରୁ ମମତା, ଅଭିମାନ ଫୁଟିଉଠୁଥାଏ । ସେ ଅଭିମାନ କି ମଧୁର ! ଚୋରା ହାସ୍ୟରେ ମୁଖଶ୍ରୀ ସମ୍ମୁଜ୍ଜଳ ଦିଶେ, ଏହା କି ପାଶୋରିବାର କଥା ? ଥାଉ ସେସବୁ ତୁ ଏବେ ସ୍ୱର୍ଗରୁ ତପସ୍ୱିନୀ, ଆଉ ତୋତେ ସ୍ନେହରେ ବନ୍ଧି ରଖି ତୋର ତପୋଭଙ୍ଗ କରିବି ନାହିଁ । ପୁନର୍ବାର କହୁଛି–ତୁ ରାଜରାଜେଶ୍ୱରୀ ମୂର୍ତ୍ତରେ ଭଗବାନଙ୍କ ସେବାରେ ନିଯୁକ୍ତ ରହି ଧନ୍ୟ ହୋ ମା !

 

ରେ ବର୍ବର ସ୍ନେହ, ତୁ ମନୁଷ୍ୟର ପୋଷ୍ୟପୁତ୍ର । ପୋଷାପୁଅ ସମ୍ପତ୍ତି ଉଜାଡ଼ି ଦିଏ ପୁଣି ଯନ୍ତ୍ରଣା ଦିଏ । ତାକୁ ପୋଷି ରଖିବାର ଫଳ ଏତିକି । ତୁ ସୁଦ୍ଧା ସେହିପରି ରେ ସ୍ନେହ, କୋଟରସ୍ଥ ଅଗ୍ନି ପରି ଯେ ତୋତେ ପୋଷି ରଖେ, ତୁ ତାକୁ ପୋଡ଼ି ଜାଳି ଭସ୍ମ କରିଦେଉ । ମୁଁ ତୋ ଗୋଡ଼ ତଳେ ପଡ଼ି ହାତ ଯୋଡ଼ି ବିନୟ ହୋଇ ପ୍ରାର୍ଥନା କରୁଛି–ଏ ଜନ୍ମରେ ତୁ ଆଉ ମୋ ପାଖ ପଶିବୁ ନାହିଁ ।

 

ତ୍ରାହି ମଧୁସୂଦନ !

Image